ନୂଆଦିଲ୍ଲୀ: ଗତ ଶୁକ୍ରବାର କଂଗ୍ରେସ ନେତା ରାହୁଲ ଗାନ୍ଧୀ ସାଂସଦ ଭାବରେ ଦିଲ୍ଲୀର ଲୁଟିୟନ୍ସ ଜୋନରେ ମିଳିଥିବା ୧୨ ତୁଗଲକ୍ ଲେନ୍ ବଙ୍ଗଳାରୁ ଜିନିଷପତ୍ର ଖାଲି କରିଦେଇଥିଲେ । ତାଙ୍କର ସମସ୍ତ ଜିନିଷପତ୍ର ଏକ ଟ୍ରକରେ ଭରିବା ପରେ ମା’ ସୋନିଆ ଗାନ୍ଧିଙ୍କ ଆବାସକୁ ପଠାଇ ଦିଆଯାଇଥିବା ସୂଚନା ମିଳିଥିଲା। ଏହାର ଏକ ଭିଡିଓ ମଧ୍ୟ ସାମ୍ନାକୁ ଆସିଥିବା ବେଳେ ଗତମଙ୍ଗଳବାର ଅର୍ଥାତ ଏପ୍ରିଲ ୧୮ ତାରିଖରେ ରାହୁଲ ବେଙ୍ଗଲି ବଜାରରେ ବୁଲି ଗୁପ୍ଚୁପ୍ ଖାଇବା ସହ ଚାଟର ମଜା ନେଉଥିବା ଏକ ଭିଡିଓ ସାମ୍ନାକୁ ଆସିଛି।
ଏହି ଭିଡିଓରେ ଦେଖିବାକୁ ମିଳୁଛି, ଦିଲ୍ଲୀର କନ୍ନଟ ପେଲେସ୍ ଏବଂ ଚାନ୍ଦନୀ ଚୌକ ଅଞ୍ଚଳରେ ଥିବା ବେଙ୍ଗଲି ମାର୍କେଟରେ ରାହୁଲ ଏକ ନୀଳ ରଙ୍ଗର ସାର୍ଟ ପିନ୍ଧି ବୁଲୁଛନ୍ତି। ଏଥିସହିତ ସେଠାରେ ମିଳୁଥିବା ସ୍ବାଦିଷ୍ଟ ଖାଦ୍ୟ ଖାଇବା ସହିତ ଗୁପ୍ଚୁପ୍ ଓ ଚାଟର ବି ମଜା ନେଉଛନ୍ତି।
କେବଳ ଏତିକି ନୁହେଁ ରାହୁଲ ପୁରୁଣା ଦିଲ୍ଲୀରେ ପହଞ୍ଚି ମୋହବତ୍ର ଶରବତ ଦୋକାନରେ ତରଭୁଜ ମଧ୍ୟ ଖାଇଥିଲେ। ରାହୁଲଙ୍କୁ ନିଜ ଆଖି ସାମ୍ନାରେ ଦେଖି ଲୋକେ ତାଙ୍କ ସହ ସେଲଫି ନେବାକୁ ଭିଡ କରିଥିଲେ। ରାହୁଲ ବି ଏସବୁକୁ ବାରଣ ନକରି ଲୋକଙ୍କ ସହିତ ସେଲଫି ଉଠାଇ କଥାବାର୍ତ୍ତା ବି ହୋଇଥିଲେ।
ତେବେ ଏହା ପ୍ରଥମ ଘଟଣା ନୁହେଁ, ଏହାପୂର୍ବରୁ ମଧ୍ୟ ରାହୁଲ ଅନେକ ଥର ବଜାରରେ ବୁଲିବୁଲି ଷ୍ଟ୍ରିଟ ଫୁଡ୍ର ମଜା ନେଇଛନ୍ତି। ଲୋକଙ୍କ ସହ ବସି ସିଧାସଳଖ ଆଲୋଚନା ବି କରିଛନ୍ତି। ଆଉ ସେମାନଙ୍କ ଅସୁବିଧା ବି ପଚାରି ବୁଝିଛନ୍ତି।