ନୂଆଦିଲ୍ଲୀ: ଆମ ଦେଶରେ ପ୍ରତ୍ୟେକ ଦିନ ଅନେକ ଲୋକ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯାତ୍ରା କରିଥାନ୍ତି। ଅଧିକାଂଶ ଲୋକ ରେଳରେ ଯାତ୍ରା କରିବା ପାଇଁ ପସନ୍ଦ କରନ୍ତି। କାଶ୍ମୀର ଠାରୁ କନ୍ୟାକୁମାରୀ ପର୍ଯ୍ୟନ୍ତ ସବୁ ସ୍ଥାନକୁ ଟ୍ରେନରେ ଯିବାକୁ ସୁବିଧା ରହିଛି । ସେଥିପାଇଁ ଭାରତର ମାନଚିତ୍ର ଦେଖିଲେ ଟ୍ରେନ୍ ଲାଇନ ଗୁଡ଼ିକ ଜାଲ ପରି ବିଛାଡ଼ି ହୋଇଥିବା ଦେଖିବାକୁ ମିଳେ। ହେଲେ ଦେଶର ସବୁଠୁ ଅଧିକ ଯାତ୍ରା କରୁଥିବା ଟ୍ରେନ ବିଷୟରେ ଆପଣ ଜାଣିଛନ୍ତି କି?
ଦେଶର ସବୁଠୁ ଅଧିକ ଯାତ୍ରା କରୁଥିବା ଟ୍ରେନର ନାମ ବିବେକ ଏକ୍ସପ୍ରେସ୍। ଯାହା ଦିବ୍ରୁଗଡରୁ କନ୍ୟାକୁମାରୀ ପର୍ଯ୍ୟନ୍ତ ଯାତ୍ରା କରିଥାଏ। ଟ୍ରେନ୍ ପାଖାପାଖି ୮୨ ଘଣ୍ଟାରେ ୪୧୫୦ କିଲୋମିଟରରୁ ଅଧିକ ଯାତ୍ରା କରେ । ଟ୍ରେନ୍ ନମ୍ବର ୧୫୯୦୬ ବିବେକ ଏକ୍ସପ୍ରେସ୍ ଦିବ୍ରୁଗଡରୁ ସନ୍ଧ୍ୟା ୭ଟା ୨୫ ମିନିଟରେ ବାହାରି ଚାରିଦିନ ପରେ କନ୍ୟାକୁମାରୀରେ ପହଞ୍ଚିଥାଏ ।
ଆସାମର ଦିବ୍ରୁଗଡରୁ ଏହି ଟ୍ରେନ୍ ୮-୯ ରୁ ଅଧିକ ରାଜ୍ୟ ଦେଇ ଯାଇଥାଏ। ଏହି ଟ୍ରେନ୍ ଦିମାପୁର, ଗୌହାଟି , ନ୍ୟୁ ବୋଙ୍ଗାଇଗାଓଁ କୋକରାଝର୍ ନ୍ୟୁ ଆଲିପୁରଦ୍ଵାର, ନ୍ୟୁ କୁଚବିହାର, ନ୍ୟୁ ଜଲପାଇଗୁଡ଼ି କିଶାନଗଞ୍ଜ ମାଲଦା ଟାଉନ, ବର୍ଦ୍ଧମାନ୍ ଜଙ୍କସନ, ବାଲେଶ୍ଵର, କଟକ, ଭୁବନେଶ୍ୱର, ବିଶାଖାପାଟଣା, ବିଜୟଓ୍ଵାଡ଼ା, ନେଲ୍ଲୋର୍, କୋଲମ ଜଙ୍କସନ ହୋଇ ଚତୁର୍ଥ ଦିନରେ ତାମିଲନାଡୁର କନ୍ୟାକୁମାରୀରେ ପହଞ୍ଚି ଥାଏ।