Spread the love

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍‌ ବୋର୍ଡ (ବିସିସିଆଇ) ରବିବାର ଘରୋଇ ପ୍ରତିଯୋଗିତାଗୁଡ଼ିକ ପାଇଁ ପୁରସ୍କାର ରାଶି ବୃଦ୍ଧି କରିଛି। ଏନେଇ ବିସିସିଆଇ ସଂପାଦକ ଜୟ ଶାହା ଘୋଷଣା କରିଛନ୍ତି। ବିସିସିଆଇର ଏହି ଘୋଷଣା ମୁତାବକ ଚଳିତ ବର୍ଷର ରଣଜୀ ଟ୍ରଫି ବିଜେତା ୫ କୋଟି ଟଙ୍କାର ପୁରସ୍କାର ରାଶି ପାଇବେ। ନିକଟରେ ରଣଜୀ ବିଜେତା ୨ କୋଟି ଟଙ୍କାର ଚେକ୍‌ ପାଇଥିଲା ବେଳେ ନୂଆ ପାଉଣା ଢାଞ୍ଚା ଅନୁଯାୟୀ ୫ କୋଟି ପାଇବେ। ସେହିପରି ରଣଜୀ ଉପବିଜେତା ଏବଂ ପରାଜିତ ସେମିଫାଇନାଲିଷ୍ଟ ଯଥାକ୍ରମେ ୩ ଓ ୧ କୋଟି ଟଙ୍କା ପୁରସ୍କାର ରାଶି ପାଇବେ। ଅନ୍ୟପକ୍ଷରେ ସିନିୟର ମହିଳା ବିଜେତା ୬ ଲକ୍ଷ ପରିବର୍ତେ ଚଳିତ ବର୍ଷରୁ ୫୦ ଲକ୍ଷ ଟଙ୍କାର ପୁରସ୍କାର ରାଶି ଗ୍ରହଣ କରିବେ। ରଣଜୀ ଟ୍ରଫି ବ୍ୟତୀତ ଈରାନୀ କପ୍‌ ବିଜେତାଙ୍କ ପୁରସ୍କାର ରାଶି ପରିମାଣ ମଧ୍ୟ ଦୁଇଗୁଣା ହୋଇଯାଇଛି।
ଏହାର ପରିମାଣ ୨୫ ଲକ୍ଷ ରହିଥିଲା ବେଳେ ୫୦ ଲକ୍ଷକୁ ବୃଦ୍ଧି ପାଇଛି। ତେବେ ପୂର୍ବରୁ ଉପବିଜେତାଙ୍କ ପାଇଁ କୌଣସି ପୁରସ୍କାର ବ୍ୟବସ୍ଥା ନଥିଲା ବେଳେ ଏଣିକି ସେହି ଦଳକୁ ୨୫ ଲକ୍ଷ ମିଳିବ। ଘୋଷିତ ନୂଆ ବ୍ୟବସ୍ଥା ଅନୁଯାୟୀ ଦଲୀପ ଟ୍ରଫି ଏବଂ ବିଜୟ ହଜାରେ ଟ୍ରଫି ବିଜେତା ଦଳକୁ ୧ ‌କୋଟି, ଉପବିଜେତା ଦଳକୁ ୫୦ ଲକ୍ଷ ଟଙ୍କାର ପୁରସ୍କାର ରାଶି ମିଳିବ। ତେବେ ଦେଓଧର ଟ୍ରଫି ବିଜେତାକୁ ୪୦ ଲକ୍ଷ, ଫାଇନାଲ୍‌ରେ ହାରିଥିବା ଦଳକୁ ୨୦ ଲକ୍ଷ ଟଙ୍କା ମିଳିବାକୁ ଥିଲା ବେଳେ ସୟଦ୍‌ ମୁସ୍ତାକ ଅଲ୍ଲୀ ଟ୍ରଫି ବିଜେତାକୁ ୮୦ ଲକ୍ଷ ଏବଂ ଫାଇନାଲ୍‌ରେ ପରାଜିତ ଦଳକୁ ୪୦ ଲକ୍ଷ ଟଙ୍କା ପୁରସ୍କାର ପ୍ରଦାନ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି। ପୁରୁଷଙ୍କ ଭଳି ମହିଳା କ୍ରିକେଟ୍‌କୁ ମଧ୍ୟ ଗୁରୁତ୍ବ ଦିଆଯାଇଛି। ସିନିୟର ମହିଳା ଦିନିକିଆ ଟ୍ରଫି ବିଜେତାକୁ ୫୦ ଲକ୍ଷ ଏବଂ ଉପବିଜେତାକୁ ୨୫ ଲକ୍ଷ ଟଙ୍କାର ପୁରସ୍କାର ରାଶି ପ୍ରଦାନ କରାଯିବ। ସେହିପରି ସିନିୟର ମହିଳା ଟ୍ବେଣ୍ଟି-୨୦ ଟ୍ରଫି ବିଜେତାକୁ ୪୦ ଲକ୍ଷ (ପାଉଥିବା ରାଶିର ୮ ଗୁଣା ଅଧିକ) ଏବଂ ପରାଜିତ ଫାଇନାଲିଷ୍ଟକୁ ୨୦ ଲକ୍ଷ ଟଙ୍କା ମିଳିବ। ଘରୋଇ ପ୍ରତିଯୋଗିତାଗୁଡ଼ିକର ପୁରସ୍କାର ରାଶିରେ ବୃଦ୍ଧି ଘୋଷଣା କରିଥିବାରୁ ମୁଁ ବିଶେଷ ଆନନ୍ଦିତ ବୋଲି ଟ୍ବିଟ୍‌ କରିଛନ୍ତି ବିସିସିଆଇ ସଂପାଦକ ଜୟ ଶାହା। ଭାରତୀୟ କ୍ରିକେଟ୍‌ର ମେରୁଦଣ୍ଡ ଘରୋଇ ପ୍ରତିଯୋଗିତାରେ ବିନିମୟ କରିବାର ପ୍ରୟାସ ଆମେ ଜାରି ରଖିବୁ ବୋଲି ଶାହା କହିଛନ୍ତି।
ଏଠାରେ ସୂଚନାଯୋଗ୍ୟ, ଭାରତର ୨୦୨୩-୨୪ ଘରୋଇ ଋତୁ ଦଲୀପ ଟ୍ରଫିରୁ ଆରମ୍ଭ ହେବ। ଏହି ପ୍ରତିଯୋଗିତା ଜୁନ୍‌ ୨୮ରୁ ଆରମ୍ଭ ହେବାକୁ ଥିଲା ବେ‌ଳେ ପ୍ରମୁଖ ପ୍ରତିଯୋଗିତା ରରଜୀ ଟ୍ରଫି ଆସନ୍ତାବର୍ଷ ଜାନୁଆରି ୫ ତାରିଖରୁ ଆରମ୍ଭ ହେବ। ଏହାପରେ ଦଲୀପ ଟ୍ରଫି, ଦେଓଧର ଟ୍ରଫି (ଜୁଲାଇ ୨୪ରୁ ଅଗଷ୍ଟ ୩), ଈରାନୀ କପ୍‌ (ଅକ୍ଟୋବର ୧-୫), ସୟଦ୍‌ ମୁସ୍ତାକ ଅଲ୍ଲୀ ଟ୍ରଫି ପୁରୁଷ ଟ୍ବେଣ୍ଟି-୨୦ ଜାତୀୟ ଚାମ୍ପିଅନ୍‌ସିପ୍‌ (ଅକ୍ଟୋବର ୧୬-ନଭେମ୍ବର ୬) ଏବଂ ବିଜୟ ହଜାରେ ଟ୍ରଫି (ନଭେମ୍ବର ୨୩-ଡିସେମ୍ବର ୧୫) ଆୟୋଜିତ ହେବ। ବରିଷ୍ଠ ମହିଳାଙ୍କ ଋତୁ ଜାତୀୟ ଟ୍ବେଣ୍ଟି-୨୦ (ଅକ୍ଟୋବର ୧୯ରୁ ନଭେମ୍ବର ୯)ରୁ ଆରମ୍ଭ ହେବାକୁ ଥିଲା ବେଳେ ଅନ୍ତଃଜୋନ୍‌ ‌ଟ୍ବେଣ୍ଟି-୨୦ ଟ୍ରଫି ନଭେମ୍ବର ୨୪ରୁ ଡିସେମ୍ବର ୪ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବ। ଏହାପରେ ସିନିୟର ମହିଳା ଦିନିକିଆ ଟ୍ରଫି ଆସନ୍ତାବର୍ଷ ଜାନୁଆରି ୪ରୁ ୨୬ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବ।

Leave a Reply

Your email address will not be published. Required fields are marked *