Spread the love

ଭୁବନେଶ୍ବର : ରାଜ୍ୟ ଓ ରାଜ୍ୟ ବାହାରେ ବିଭିନ୍ନ ମେଡ଼ିକାଲ କଲେଜ ଏବଂ ଇଞ୍ଜିନିୟରିଂ କଲେଜରେ ଆଡ଼ମିଶନ କରାଇ ଦେବାକୁ ପ୍ରଲୋଭନ ଦେଇ ଛାତ୍ରଛାତ୍ରୀଙ୍କ ଠାରୁ କୋଟି କୋଟି ଟଙ୍କା ଠକି ନେଉଥିବା ଗ୍ୟାଙ୍ଗ ବାଲେଶ୍ୱର ପୁଲିସ ହାତରେ ଧରାପଡ଼ିଛି। ଏମାନେ ପ୍ରାୟ ସାଢ଼େ ୩ କୋଟି ଟଙ୍କା ଠକି ନେଇଥିବା ପୁଲିସ ତଦନ୍ତ ବେଳେ ଜାଣିବାକୁ ପାଇଛି। ଦୁଇ ଅଭିଯୁକ୍ତଙ୍କ ମଧ୍ୟରୁ ଜଣେ କୋଲକାତା ଓ ଆଉ ଜଣେ ଭୁବନେଶ୍ୱରରେ ରହି ଛାତ୍ରଛାତ୍ରୀଙ୍କୁ ଅଭିନବ ଉପାୟରେ ଠକୁଥିଲେ। ସେମାନେ ହେଲେ ଯାଜପୁର ଜିଲ୍ଲାର ସୁନିଲ ସାମନ୍ତରାୟ ଓ ସୁମିତ ବିଶ୍ଵାଳ। ବାଲେଶ୍ୱର ଖନ୍ତାପଡ଼ା ଅଞ୍ଚଳର ଜଣଙ୍କୁ ୨୧ ଲକ୍ଷ ଠକିବା ଅଭିଯୋଗରେ ତଦନ୍ତ ବେଳେ ସାଇବର ପୁଲିସ ହାତରେ ଏମାନେ ଧରାପଡ଼ିଛନ୍ତି।
ଏନେଇ ଆଜି ବାଲେଶ୍ୱର ଏସପି ସାଗରିକା ନାଥ କହିଛନ୍ତି, ଗତ ମେ’ ୧୪ ତାରିଖ ଦିନ ବାଲେଶ୍ୱର ସାଇବର ଥାନାରେ ଏନେଇ ଅଭିଯୋଗ ହୋଇଥିଲା। ସାଇବର ପୁଲିସ ତଦନ୍ତ କରିବା ବେଳେ ଦୁଇ ଜଣ ବି.ଟେକ୍ ଛାତ୍ରଙ୍କ ଲିଙ୍କ୍ ଠକେଇରେ ଥିବା ଥିବା ଜାଣିପାରିଥିଲା। ସେମାନେ ଭୁବନେଶ୍ୱରରେ ସାଇ ଏକାଡେମୀ କନସଲଟେନ୍ସି ନାମରେ ଏକ ସଂସ୍ଥା ଖୋଲି ଛାତ୍ରଛାତ୍ରୀ ଓ ସେମାନଙ୍କ ଅଭିଭାବକଙ୍କୁ ମେଡିକାଲ ଓ ଇଞ୍ଜିନିୟରିଂ କଲେଜରେ ସିଟ୍‌ ଯୋଗାଇ ଦେବାର ପ୍ରଲୋଭନ ଦେଇ ଟଙ୍କା ଠକି ନେଉଥିଲେ। ତଦନ୍ତରେ ସବୁକିଛି ସ୍ପଷ୍ଟ ହେବା ପରେ ଦୁହିଁଙ୍କୁ ପୁଲିସ ଭୁବନେଶ୍ୱରରୁ ଗିରଫ କରିଥିଲା।
ସେମାନଙ୍କୁ ପଚରାଚରା କରିବା ବେଳେ ଆଳୁ ଖୋଳୁ ଖୋଳୁ ମହାଦେବ ବାହାରିବା ଭଳି ତଥ୍ୟ ପଦାକୁ ଆସିଥିଲା। ଏହି ଦୁଇ ଅଭିଯୁକ୍ତ ପ୍ରାୟ ୭ଜଣ ଛାତ୍ରଙ୍କ ଠାରୁ ୩ କୋଟିରୁ ଅଧିକ ଟଙ୍କା ଠକି ନେଇଥିବା ଜଣାପଡ଼ିଛି। ଅଭିଯୁକ୍ତମାନେ ଘରୋଇ କଲେଜରେ ଆଡମିସନ କରାଇଦେବାର ପ୍ରଲୋଭନ ଦେଇ ଟଙ୍କା ଠକି ନେଉଥିଲେ।
ସୁନିଲ ଓ ସୁମିତଙ୍କ ନାମରେ ଭୁବନେଶ୍ଵର, ଝାଡ଼ଖଣ୍ଡ, ଭଦ୍ରକ ଥାନାରେ ୧୨ରୁ ଅଧିକ ମାମଲା ରହିଥିବା ସୂଚନା ଦେଇଛନ୍ତି ଏସପି ସାଗରିକା ନାଥ।

Leave a Reply

Your email address will not be published. Required fields are marked *