Spread the love

କଟକ : କଟକ ଅର୍ବାନ୍ କୋପରେଟିଭ୍ ବ୍ୟାଙ୍କରେ ୫ କୋଟିର ଋଣ ଜାଲିଆତି ମାମଲାରେ କେବଳ ଜଣେ କନିଷ୍ଠ କର୍ମଚାରୀଙ୍କୁ ନିଲମ୍ବିତ କରି କର୍ତ୍ତୃପକ୍ଷ ହାତ ଝାଡ଼ି ଦେଇଛନ୍ତି। ଏହି ଘଟଣାରେ ଏଯାଏ ଥାନାରେ ଅପରାଧ ମାମଲା ରୁଜୁ ନ ହେବା ଘଟଣା ପରୋକ୍ଷରେ ଏଥିରେ ସଂପୃକ୍ତ ବରିଷ୍ଠ ଅଧିକାରୀଙ୍କୁ ସୁରକ୍ଷା ଦେଉଥିବା ଅଭିଯୋଗ ହେଉଛି। ଯେଉଁ କର୍ମଚାରୀଙ୍କ କ୍ଷମତା ବାହାରେ ଏଭଳି ଜାଲିଆତି ହୋଇଛି, ତାଙ୍କୁ ଉତ୍ତରଦାୟୀ କରି ନିଲମ୍ବିତ କରି ଦିଆଯାଇଥିବା ବେଳେ କେଉଁ କାରଣରୁ ସେହିସମୟରେ ଦାୟିତ୍ବରେ ଥିବା ବରିଷ୍ଠ ଅଧିକାରୀ ଏଯାଏ ସଂପୂର୍ଣ୍ଣ ସୁରକ୍ଷିତ ରହିଛନ୍ତି, ତାହା ଏବେ ମୂଳ ପ୍ରସଙ୍ଗ ହୋଇଛି। କିନ୍ତୁ, ଏଭଳି ଜାଲିଆତି ଓ ବ୍ୟାଙ୍କର ବଡ଼ଧରଣର କ୍ଷତିକୁ ନେଇ ଅର୍ବାନ ବ୍ୟାଙ୍କରେ କାର୍ଯ୍ୟରତ ୩୪୭ କର୍ମଚାରୀ ବି ସେମାନଙ୍କ ଭବିଷ୍ୟତକୁ ନେଇ ଆଶଙ୍କ‌ାରେ ରହିଛନ୍ତି।
କଟକ ଅର୍ବାନ କୋପରେଟିଭ୍ ବ୍ୟ‌ାଙ୍କ୍‌ ନୂଆପାଟଣା ଶାଖାରୁ ୨୦୨୦ ମସିହାରେ ଜାଲ୍‌ କାଗଜପତ୍ର ମାଧ୍ୟମରେ ସାଢ଼େ ୪ କୋଟି ଟଙ୍କା ଋଣ ଦିଆଯାଇଥିଲା। ସେସମୟରେ ନୂଆପାଟଣା ଶାଖାର ମ୍ୟାନେଜର ଥିଲେ ଅବୁଦୁଲ ହାଇ ଓ ବ୍ୟାଙ୍କ ମୁଖ୍ୟ ଶାଖାରେ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ(ସିଇଓ) ଥିଲେ ପ୍ରକୃତି ଭୂଷଣ ରାୟ। ଏହି ଋଣ ପାଖପାଖି ବର୍ଷେ ପର୍ଯ୍ୟନ୍ତ ଆଦାୟ ନ ହେବାରୁ ନୂଆ କୌଶଳ ଅନୁସରଣ କରାଗଲା। ଏହି ପରିମାଣକୁ ଭରଣା କରିବାକୁ ୨୦୨୧ ଡିସେମ୍ବର ୬ତାରିଖରେ ନୂଆପଟଣା ଶାଖା ଅଧୀନରେ ଥିବା ଖ୍ରୀଷ୍ଟ କଲେଜ ଏକ୍ସଟେନ୍ସନ କାଉଣ୍ଟରରୁ ଋଣ ପ୍ରଦାନ କରାଗଲା। ସେ ସମୟରେ ଖ୍ରୀଷ୍ଟ କଲେଜ ଏକ୍ସଟେନସନ୍‌ କାଉଣ୍ଟରରେ ପ୍ରକାଶ ମହାପାତ୍ର ସିନିୟର ଆସିଷ୍ଟାଣ୍ଟ ଥିଲେ। ତାଙ୍କର ୫୦ ହଜାର ଟଙ୍କା ଉଠାଣ କ୍ଷମତା ନଥିଲେ ବି ସେହି ଶାଖାରୁ ୮ଟି କିସ୍ତିରେ ୪ କୋଟି ୮୪ ଲକ୍ଷ ଟଙ୍କା ଋଣ ପ୍ରଦାନ କରାଗଲା। ୨୦୨୧, ଡିସେମ୍ବର ୮ରୁ ୨୦ ତାରିଖ ମଧ୍ୟରେ ୮ଟି କିସ୍ତିରେ ଏହି ଋଣ ଦିଆଯାଇଥିଲା। ଏଥିପାଇଁ ଜାଲ୍‌ ଏଲ୍‌ଆଇସି ବଣ୍ଡ୍‌ ଦିଆଯାଇଥିଲା।
ଜାଲ୍ ଏଲଆଇସି ବଣ୍ଡ୍‌ ଦାଖଲ କରି ଦୁଇ ଜଣ ବ୍ୟକ୍ତିଙ୍କ ନାମରେ ୮ଟି ଋଣ ଉଠାଗଲା। ୭୦ ଲକ୍ଷ ଟଙ୍କାର ୪ଟି ଋଣ ଅର୍ଥାତ ୨ କୋଟି ୮୦ ଲକ୍ଷ ଟଙ୍କା ଉଠାଯାଇଥିବା ବେଳେ ୪୨ ଲକ୍ଷ ଟଙ୍କାର ୩ଟି ଋଣ ଅର୍ଥାତ ୧ କୋଟି ୨୬ ଲକ୍ଷ ଟଙ୍କା ଏବଂ ୭୮ ଲକ୍ଷ ଟଙ୍କାର ଗୋଟିଏ ଋଣ ଉଠାଗଲା। ଏହି ଋଣ ପରିମାଣ ୪ କୋଟି ୮୪ ଲକ୍ଷ ଟଙ୍କା ହେଉଥିବା ବେଳେ ବର୍ତ୍ତମାନ ସୁଧମୂଳ ମିଶାଇଲେ ଏହାର ମୂଲ୍ୟ ସାଢେ ୫ କୋଟିରୁ ଅଧିକ ହେଲାଣି। କିନ୍ତୁ ଏତେ ପରିମାଣର ଋଣ ପ୍ରଦାନ ସଂପର୍କରେ ତତ୍କାଳୀନ ବରିଷ୍ଠ ଅଧିକାରୀ କିପରି ଅଜଣା ରହିଲେ? ସେହି ଋଣ ବି ବର୍ଷେ ପର୍ଯ୍ୟନ୍ତ ଆଦାୟ ନ ହେବାରୁ ବ୍ୟାଙ୍କ କର୍ମଚାରୀଙ୍କ ଆଲୋଚନା ଚାଲିଲା। କିନ୍ତୁ ଏ ସଂପର୍କରେ ଅଡିଟ ଅଧିକାରୀଙ୍କ ଭୂମିକା କ’ଣ ଥିଲା? ଏ ସଂପର୍କରେ ‘ସମ୍ବାଦ’ରେ ଖବର ପ୍ରକାଶ ପରେ ବ୍ୟାଙ୍କ୍ କର୍ତ୍ତୃପକ୍ଷ ‌ଲୋକଦେଖାଣିଆ ଭାବେ ଖ୍ରୀଷ୍ଟ କଲେଜ ଏକ୍ସଟେନସନ କାଉଣ୍ଟରର ତତ୍କାଳୀନ ଅଧିକାରୀ ପ୍ରକାଶ ମହାପାତ୍ରଙ୍କୁ ନିଲମ୍ବନ କରି ବସି ଯାଇଛନ୍ତି। ଏଭଳି ଋଣ ଜାଲିଆତି ପଛରେ ଏକ ବଡ଼ ରୢାକେଟ୍ କାର୍ଯ୍ୟ କରିଥିଲେ ବି କେବଳ ତଳ ପାହ୍ୟାର ଜଣେ କର୍ମଚାରୀଙ୍କ ଉପରେ ସବୁ ଦୋଷ ଲଦି ଦିଆଯାଇଛି।

ଏ ସଂକ୍ରାନ୍ତରେ କଟକ ଅର୍ବାନ୍ ବ୍ୟାଙ୍କ୍‌ କୋପରେଟିଭ୍ ବ୍ୟାଙ୍କ୍‌ ସଭାପତି ପ୍ରଫୁଲ କୁମାର ମହାପାତ୍ର କହିଛନ୍ତି ଯେ, ଏହି ଜାଲିଆତି ଧରା ପଡିବା ପରେ ବ୍ୟାଙ୍କର ସୁରକ୍ଷା ଓ ସୁବିଧା ପାଇଁ ପରିଚାଳନା କମିଟି ଉଦ୍ୟମ ଜାରି ରଖିଛି। ବ୍ୟାଙ୍କ୍‌ର ସମସ୍ତ ଟଙ୍କା ଆଦାୟ କରାଯିବ। କୌଣସି ଅଭିଯୁକ୍ତଙ୍କୁ ଛଡ଼ାଯିବ ନାହିଁ ବୋଲି ସଭାପତି ଶ୍ରୀ ମହାପାତ୍ର ସୂଚନା ଦେଇଛନ୍ତି।

Leave a Reply

Your email address will not be published. Required fields are marked *