Spread the love

କଟକ : ଏପ୍ରିଲ ୨୧ରେ ବୃହସ୍ପତି ମେଷରାଶିକୁ ଚଳନ ହେବ। ରାହୁ କେତୁ ନଭେମ୍ବର ୨୮ରେ ଯଥାକ୍ର‌ମେ ମୀନ ଓ କନ୍ୟା ରାଶିକୁ ଚଳନ ହେବେ। ଏବର୍ଷ ଭାରତ ତଥା ଓଡ଼ିଶାରେ ଏକମାତ୍ର ଚନ୍ଦ୍ରଗ୍ରହଣ ଅକ୍ଟୋବର ୨୮ ଆଶ୍ବିନ ପୂର୍ଣ୍ଣିମାରେ ସଂଗଠିତ ଓ ପାଳନ ହେବ। ଏବର୍ଷ ଓଡ଼ିଶାବାସୀଙ୍କ ପାଇଁ ସୁଖ, ସମୃଦ୍ଧିର ବର୍ଷ ହେବା ସହ ପ୍ରଗତି ଓ ସମୃଦ୍ଧିର ବର୍ଷ ହେବ। ମନ୍ତ୍ରିମଣ୍ଡଳରେ ଓ ସଚିବସ୍ତରରେ ପରିବର୍ତ୍ତନ ହେବ। ବହୁ ସ୍ଥଗିତ ପ୍ରକଳ୍ପ କାର୍ଯ୍ୟକାରୀ ହେବ। ଆଗାମୀ ନିର୍ବାଚନରେ ଶାସକ ଦଳ କ୍ଷମତାସୀନ ରହି‌ବେ। ଶାସନମୁଖ୍ୟଙ୍କ କଠିନ ପରିସ୍ଥିତି ତଥା ସ୍ବାସ୍ଥ୍ୟଗତ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିବ। ଜନପ୍ରିୟ ବ୍ୟକ୍ତିଙ୍କ ରାଜନୀତିରେ ପ୍ରବେଶ ଓ ମନ୍ତ୍ରୀ ନେତାଙ୍କ ଦଳ ପରିବର୍ତ୍ତନ ଘଟିବ। ଚଳିତ ବର୍ଷ ଜୁନରୁ ଅକ୍ଟୋବର ମଧ୍ୟରେ ଅତିବୃଷ୍ଟି, ଲଘୁଚାପ, ସାମୁଦ୍ରିକ ଝଡ଼, ଭୂକମ୍ପ ଆଦି ପ୍ରାକୃତିକ ବିପର୍ଯ୍ୟୟ ଘଟି ବହୁ କ୍ଷୟକ୍ଷତି ସମ୍ଭାବନା ରହଛି। ଗ୍ରୀଷ୍ମ ପ୍ରବାହ ପ୍ରବଳ ହେବ। ସେହିପରି ଶୀତର ପ୍ରଭାବ ପ୍ରବଳରୁ ଅତିପ୍ରବଳ ହେବ। ବହୁ ବନ୍ୟପ୍ରାଣୀ, ପଶୁପକ୍ଷୀ ନଷ୍ଟ ହେବାର ସମ୍ଭାବନା ରହିଛି। ନୂତନ କର ପ୍ରଣୟନ, କର ବୃଦ୍ଧି, ଦରଦାମ ବୃଦ୍ଧିରେ ଜନଅ‌ସନ୍ତୋଷ ଦେଖାଦେବ। ଶିକ୍ଷା, ଚିକିତ୍ସା, ଆଇନଜୀବୀ‌, ସରକାରୀ କର୍ମଚାରୀଙ୍କ ଧର୍ମଘଟ ବୃଦ୍ଧି ପାଇବ। ଶିକ୍ଷା, କ୍ରୀଡ଼ା, ବିଜ୍ଞାନ କ୍ଷେତ୍ରରେ ଓଡ଼ିଶା ବିଶ୍ବରେ ସୁନାମ ଅର୍ଜନ କରିବ। ରାଜ୍ୟରେ କୃଷି ଆଶାନୁରୂପ ‌ହେବା ସହ ଶିଳ୍ପାୟନ, ପର୍ଯ୍ୟଟନ କ୍ଷେତ୍ରରେ ବିକାଶ ହେବ ବୋଲି ପାଞ୍ଜିକାରମାନେ ଆକଳନ କରିଛନ୍ତି।
ଗଣନାକାରଙ୍କ ଅନୁସାରେ ଏବର୍ଷ ବିଶ୍ବବ୍ୟାପୀ ମାନ୍ଦାବସ୍ଥା ରହିବ। କିନ୍ତୁ ଭାରତର ଅର୍ଥନୀତି, ଉଦ୍ୟୋଗୀକରଣ ତଥା ବୈଦେଶିକ ପୁଞ୍ଜିନିବେଶ ପରିବର୍ତ୍ତନ ନୀତି ଦ୍ବାରା ଆର୍ଥିକ ସ୍ଥିତି ସ୍ବଚ୍ଛଳ ରହିବ। ଆଗାମୀ ସାଧାରଣ ନିର୍ବାଚନରେ ଶାସକ ଦଳ ବିଜୟଯାତ୍ରା ଅବ୍ୟାହତ ରହିବ। ମୁଖ୍ୟ ବିରୋଧୀ ଦଳ ନେତୃତ୍ବରେ ବଡ଼ ପରିବର୍ତ୍ତନ ଦେଖାଦେବ। ଦେଶର ଉତ୍ତର ତଥା ଉତ୍ତର ପୂର୍ବ ଭାଗରେ ଭୟଙ୍କର ଭୂମିକମ୍ପ ଓ ଭୂ-ସ୍ଖଳନ ଦ୍ବାରା ବହୁ ଧନଜୀବନ କ୍ଷୟକ୍ଷତି ହେବାର ସମ୍ଭାବନା ରହିଛି। ବିଶ୍ବଦରବାରରେ ଭାରତ ଶାନ୍ତିଦୂତ ଓ ପ୍ରଗତିଶୀଳ ରାଷ୍ଟ୍ର ଭାବେ ପରିଗଣିତ ହେବ।
ବିଶ୍ବରେ ଯୁଦ୍ଧର ବିଭୀଷିକା ଉଗ୍ରତର ହେବ। ଅନ୍ତରାଷ୍ଟ୍ରୀୟସ୍ତରରେ ଉତ୍କଟ ଯୁଦ୍ଧ ସ୍ଥିତି ତଥା ଦରଦାମ ବୃଦ୍ଧି ଘଟିବା ଦ୍ବାରା ବିଶ୍ବବାସୀ ପ୍ରଭାବିତ ହେବେ। ମେ’ ରୁ ଅଗଷ୍ଟ, ଅକ୍ଟୋବର ଡିସେମ୍ବର, ଫେବ୍ରୁଆରି ମାର୍ଚ୍ଚ ମଧ୍ୟରେ ଏସିଆ, ୟୁରୋପ, ଆମେରିକାରେ ପ୍ରାକୃତିକ ବିପର୍ଯ୍ୟୟ ଭୂକମ୍ପ, ତୁଷାରଝଡ଼, ଘୂର୍ଣ୍ଣିବାତ୍ୟା ଘଟି ବହୁ ଧନଜୀବନ ନଷ୍ଟ ହେବାର ସମ୍ଭାବନା ରହିଛି। ବିଶ୍ବର କିଛି ପ୍ରମୁଖ ରାଷ୍ଟ୍ରରେ ଶାସନ ମୁଖ୍ୟ ପରିବର୍ତ୍ତନର ସମ୍ଭାବନା ରହିଛି ବୋଲି ନୂତନ ପାଞ୍ଜିରେ ଗଣନାକାରମାନେ ପୂର୍ବାନୁମାନ କରିଛନ୍ତି।
ଆଜି ମହାବିଷୁବ ସଂକ୍ରାନ୍ତିରୁ ନୂଆ ପାଞ୍ଜି ପ୍ରଚଳନ ହେବ। ବିବାହ, ବ୍ରତ, ଚନ୍ଦ୍ରଗ୍ରହଣ, ସୂର୍ଯ୍ୟପରାଗ ଆଦି ବିଷୟରେ ସୂଚନା ପାଇଁ ଓଡ଼ିଶାବାସୀ ପାଞ୍ଜି ଉପରେ ନିର୍ଭର କରନ୍ତି। ରାଜ୍ୟର ପ୍ରମୁଖ ପାଞ୍ଜି ପ୍ରକାଶନ ସଂସ୍ଥା ସବୁ କଟକ ସହରରେ ଅଛନ୍ତି। ସଂପ୍ରତି ବଜାରରେ ସ୍ବର୍ଗତ ପଣ୍ଡିତ କମଳଲୋଚନ ଗରାବଡ଼ୁଙ୍କ ପ୍ରତିଷ୍ଠିତ ଶ୍ରୀରାଧାରମଣ ପ୍ରେସ୍‌ର ଜଗନ୍ନାଥ ପଞ୍ଜିକା(ବିଶୁଦ୍ଧ ଖଡ଼ୀରତ୍ନ ପଞ୍ଜିକା), ବିରଜା ପଞ୍ଜିକା, ସାମନ୍ତ ପଞ୍ଜିକା, ପଣ୍ଡିତ ଉମାକାନ୍ତ ଖଡ଼ୀରତ୍ନଙ୍କ ଦ୍ବାରା ପ୍ରତିଷ୍ଠିତ ଅସଲି ଖଡ଼ୀରତ୍ନ ପଞ୍ଜିକା, ଓଡ଼ିଶା କୋହେନୂର ପ୍ରେସ୍ ପକ୍ଷରୁ ଓଡ଼ିଶା କୋହେନୂର ପ୍ରେସ୍‌ ପଞ୍ଜିକା, ‘ସମ୍ବାଦ-ଆମ ଓଡ଼ିଶା’ର ‘ଆମ ପାଞ୍ଜି’ ଓଡ଼ିଶାର ପୁରପଲ୍ଲୀ, ମଠମନ୍ଦିର, ଧର୍ମାନୁଷ୍ଠାନରେ ପ୍ରଚଳିତ। ଶ୍ରୀରାଧାରମଣ ପ୍ରେସ୍‌ର ବିଶୁଦ୍ଧ ଖଡ଼ୀରତ୍ନ ପଞ୍ଜି ପୁରୀ ଗଜପତି ମହାରାଜା, ଶ୍ରୀମନ୍ଦିର ମୁକ୍ତି ମଣ୍ଡପ ପଣ୍ଡିତ ସଭା, ଶ୍ରୀମନ୍ଦିର ପ୍ରଶାସନ, ପୂଜା ପଣ୍ଡା ନିଯୋଗ, ଛତିଶା ନିଯୋଗ ଶ୍ରୀମନ୍ଦିର ପୁରୀ, ଦ୍ବାରା ସଂଶୋଧିତ ତଥା ଅନୁମୋଦନ ଲାଭ କରିଛି। ଏହି ପଞ୍ଜିକା ଆଧାରରେ ଶ୍ରୀମନ୍ଦିରର ସମସ୍ତ ନୀତିକାନ୍ତି, ଜାନିଯାତ୍ରା ପାଳନ କରାଯାଏ। ଶ୍ରୀରାଧାରମଣ ପ୍ରେସ୍‌ର ପକ୍ଷରୁ ବାଲେଶ୍ବର, ଯାଜପୁର, ଭଦ୍ରକ ଅଞ୍ଚଳ ପାଇଁ ବିରଜା ପଞ୍ଜିକା ଓ ବ୍ରହ୍ମପୁର ଅଞ୍ଚଳ ପାଇଁ ସାମନ୍ତ ପଞ୍ଜିକା ପ୍ରକାଶିତ ହେଉଛି।
ଶ୍ରୀରାଧାରମଣ ପ୍ରେସ୍‌ ସ୍ବତ୍ବାଧିକାରୀ ସୁବତ୍ର କୁମାର ଗରାବଡ଼ୁ କହିଛନ୍ତି, ବିଶୁଦ୍ଧ ଖଡ଼ୀରତ୍ନ ପଞ୍ଜିକା ଶ୍ରୀମନ୍ଦିର ସମେତ ଓଡ଼ିଶାର ଘରେ ଘରେ ଚାଲିଛି। ରାଧାରମଣ ପ୍ରେସ୍‌ ୧୨୫ବର୍ଷର ଅନୁଷ୍ଠାନ ଓ ୫୧ବର୍ଷ ଧରି ପାଞ୍ଜି ପ୍ରସ୍ତୁତି କରୁଛି। ଶ୍ରୀମନ୍ଦିର ନୀତି ସମେତ ଓଡ଼ିଶାର ସମସ୍ତ ପର୍ବପର୍ବାଣୀ ବିଶୁଦ୍ଧ ଖଡ଼ୀରତ୍ନ ପଞ୍ଜିକାରେ ପ୍ରକାଶ ପାଉଥିବାରୁ ଏହା ଓଡ଼ିଶାବାସୀଙ୍କ ଦ୍ବାରା ଆଦୃତ ହୋଇପାରିଛି ବୋଲି ଶ୍ରୀ ଗରାବଡ଼ୁ କହିଛନ୍ତି। ଉମାକାନ୍ତ ଖଡ଼ୀରତ୍ନଙ୍କ ପ୍ରତିଷ୍ଠିତ ଅସଲି ଖଡ଼ୀରତ୍ନ ପଞ୍ଜିକାରେ ସୂ‌ର୍ଯ୍ୟୋଦୟ, ସୂର୍ଯ୍ୟାସ୍ତ, ବିବାହ, ବତ୍ର, ଚନ୍ଦ୍ରଗ୍ରହଣ, ସୂର୍ଯ୍ୟପରାଗ, ମହାପୁରୁଷଙ୍କ ଜୟନ୍ତୀ, ଶ୍ରାଦ୍ଧଦିବସକୁ ସୂକ୍ଷ୍ମାତିସୂକ୍ଷ୍ମ ଭାବେ ଗଣନା କରି ଦିଆଯାଇଛି ବୋଲି ବିଶିଷ୍ଟ ଗଣନାକାର ଇଞ୍ଜିନିୟର ଦେବଦର୍ଶୀ ଖଡ଼ୀରତ୍ନ ସୂଚନା ଦେଇଛନ୍ତି। ଇଞ୍ଜିନିୟର ଦେବଦର୍ଶୀଙ୍କ କହିବା ଅନୁସାରେ, ପୂର୍ବବର୍ଷମାନଙ୍କରେ ଅସଲି ଖଡ଼ୀରତ୍ନ ପଞ୍ଜିକାର ଆକଳନ ଓ ଗଣନା ଠିକ୍‌ ପ୍ରମାଣିତ‌ ହୋଇଥିବାରୁ ଏହାର ବିଶ୍ବସନୀୟତା ବୃଦ୍ଧି ପାଇଛି।
କୋହେନୂର ପ୍ରେସ୍ ପଞ୍ଜିକାର ସ୍ବତ୍ବାଧିକାରୀ ଶେଖ୍‌ ଜହୁରୁଲ୍‌ ଇସ୍‌ଲାମ କହିଛନ୍ତି ଯେ ୧୯୨୮ରୁ କୋହେନୂର ପ୍ରେସ୍ ପକ୍ଷରୁ ଗୀତା, ଭାଗବତ ଆଦି ଧର୍ମଗ୍ରନ୍ଥ ପ୍ରକାଶ ପାଉଥିଲା। ୧୯୩୫ରୁ କୋହେନୂର୍‌ ପ୍ରେସ୍ ପଞ୍ଜିକା ଆରମ୍ଭ ହେଲା। ଏହି ପ୍ରେସ୍‌କୁ ଜହୁରୁଲଙ୍କ ପିତା ଅମିନୁଲ ଇସ୍‌ଲାମ ପ୍ରତି‌ଷ୍ଠା କରିଥିବା ବେଳେ ପଣ୍ଡିତ କୃଷ୍ଣପ୍ରସାଦ ମହାପାତ୍ର ଖଡୀରତ୍ନଙ୍କ ପୂର୍ବପୁରୁଷମାନେ ଗଣନା କରୁଥିଲେ। ଏବେ ପଣ୍ଡିତ କୃଷ୍ଣପ୍ରସାଦ ପଞ୍ଜିକା ଲେଖୁଥିବା ବେଳେ ଜହୁରୁଲ୍‌ଙ୍କ ପୁଅ ଇଫତେକାର୍‌ ଜହୁର ପରିଚାଳନାରେ ସହାୟତା କରୁଛନ୍ତି।

Leave a Reply

Your email address will not be published. Required fields are marked *