Spread the love

ପୁରୀ : ଆଉ ୧୨ ଦିନ ପରେ ପବିତ୍ର ଅକ୍ଷୟ ତୃତୀୟା। ଏହି ଦିନ ମହାପ୍ରଭୁଙ୍କ ରଥ ନିର୍ମାଣ କାର୍ଯ୍ୟ ଅନୁକୂଳ ହେବ। ପ୍ରାଥମିକ ପର୍ଯ୍ୟାୟ ନିର୍ମାଣ କାର୍ଯ୍ୟ ପାଇଁ ଚାରି ପର୍ଯ୍ୟାୟରେ ଆବଶ୍ୟକ ରଥକାଠ ଆସି ବଡ଼ଦାଣ୍ଡରେ ପହଞ୍ଚିଛି। କିନ୍ତୁ ରଥଖଳା ଆଜି ପର୍ଯ୍ୟନ୍ତ ପ୍ରସ୍ତୁତ ହୋଇପାରିନି। ଶ୍ରୀମନ୍ଦିର କାର୍ଯ୍ୟାଳୟ ସମ୍ମୁଖରେ ଯେଉଁ ସ୍ଥାନରେ ରଥ ନିର୍ମାଣ କାର୍ଯ୍ୟ ଅନୁକୂଳ ହୁଏ, ସେହି ସ୍ଥାନ ଏବେ ଖୋଳି ଦିଆଯାଇଛି। ଏବେ ବି ଖନନ କାର୍ଯ୍ୟ ଜାରି ରହିଛି। ଏହି ସ୍ଥାନରେ ଏବେ ବଡ଼ ବଡ଼ ଗାତ ରହିଛି। ଏଭଳି ସ୍ଥିତିରେ ରଥ ନିର୍ମାଣ କାର୍ଯ୍ୟ ଅନୁକୂଳ କିଭଳି ହେବ, ତାକୁ ନେଇ ଆଶଙ୍କା ଜାତ ହୋଇଛି।
ଏ ସମ୍ପର୍କରେ ଭୋଇ ସର୍ଦ୍ଦାର ରବି ଭୋଇ କହିଛନ୍ତି, ନିକଟରେ ଉପଜିଲ୍ଲାପାଳ ଭବତାରଣ ସାହୁ ଓ ଅନ୍ୟ ଅଧିକାରୀମାନେ ଆସି ସ୍ଥିତି ଅନୁଧ୍ୟାନ କରିଥିଲେ। ରଥ ନିର୍ମାଣ କାର୍ଯ୍ୟ ଅନୁକୂଳ ସମ୍ପର୍କରେ ଆଲୋଚନା କରିଥିଲେ। ରଥ ନିର୍ମାଣ କାର୍ଯ୍ୟ ଅନୁକୂଳ ସ୍ଥଳ ଖୁବଶୀଘ୍ର କାମ ସାରିବାକୁ କହିଛନ୍ତି। ଯେହେତୁ ୧୨ ଦିନ ଅଛି, ରଥଖଳା କାମ ସରିଯିବ ବୋଲି ଶ୍ରୀ ଭୋଇ କହିଛନ୍ତି। ଆଜିଠାରୁ ଛାମୁଣ୍ଡିଆ ବନ୍ଧା ଆରମ୍ଭ ହୋଇଛି ବୋଲି ଶ୍ରୀ ଭୋଇ କହିଛନ୍ତି।

Leave a Reply

Your email address will not be published. Required fields are marked *