Spread the love

କଟକ : ଜମି ମାପଚୁପ ବେଳେ ମୁହାଁମୁହିଁ ହୋଇଛନ୍ତି ପୁଲିସ୍‌ ଓ ସ୍ଥାନୀୟ ଲୋକେ। ଏକ ଜମିକୁ ଜବରଦଖଲମୁକ୍ତ କରିବାକୁ ଯାଇଥିବା ପୁଲିସ୍‌କୁ ଲୋକଙ୍କ ତୀବ୍ର ଆକ୍ରୋଶର ଶିକାର ହେବାକୁ ପଡ଼ିଛି। ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ହୋଇଥିବା ବେଳେ ଉତ୍ତ୍ୟକ୍ତ ମହିଳା ୨ ପୁଲିସ୍‌ ଅଧିକାରୀଙ୍କୁ କାମୁଡ଼ିବାକୁ ପଛାଇ ନାହାନ୍ତି। ଏପରି ଅସ୍ୱାଭାବିକ ଘଟଣା ଆଜି କଟକ ଜିଲ୍ଲା ଗୁରୁଡ଼ିଝଟିଆ ଥାନା ଅନ୍ତର୍ଗତ ଖମାରନୂଆଗାଁ ଠାରେ ଘଟିଛି।
ଗୁରୁଡ଼ିଝଟିଆ ଥାନା ଅନ୍ତର୍ଗତ ଖମାରନୂଆଗାଁଠାରେ ମାନସ ରଞ୍ଜନ ମିଶ୍ର ନାମକ ବ୍ୟକ୍ତିଙ୍କ ୪୧ ଏକର ଜାଗା ସମେତ ୪ ଏକର ଗୋଚର ଜାଗା ମାପଚୁପକୁ ନେଇ ଆଜି ମହାଭାରତ ସୃଷ୍ଟି ହୋଇଛି। ଆଜି ସକାଳେ ଗୁରିଡିଝଟିଆ ଥାନା ପୁଲିସ୍‌ ଓ ଆଠଗଡ଼ ଥାନା ପୁଲିସ୍‌ ଫୋର୍ସ ଉପସ୍ଥିତିରେ ତହସିଲଦାର ଓ ଆଡିସନାଲ ତହସିଲଦାର ଜମି ମାପଚୁପ ନିମନ୍ତେ ଘଟଣାସ୍ଥଳରେ ପହଞ୍ଚିଥିଲେ ।
ମାତ୍ର କୋଳଥପଙ୍ଗି ଅଞ୍ଚଳରେ ଜମି ମାପଚୁପ ବେଳେ ତାତିଲେ ଗାଁ ଲୋକେ । ସ୍ଥାନୀୟ ଲୋକେ ଜାଗା ଛାଡ଼ିବାକୁ ରାଜି ନ ଥିବା ବେଳେ ଏହାକୁ ନେଇ ସେମାନଙ୍କର ପୁଲିସ୍‌ ସହ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା। ଏଥିରେ ଉତ୍ତ୍ୟକ୍ତ ମହିଳା ୨ ପୁଲିସ୍‌ ଅଧିକାରୀଙ୍କୁ କାମୁଡ଼ି ଦେଇଥିଲେ। ସେମାନେ ହେଲେ ଗୁରିଡିଝଟିଆ ଥାନା ଅଧିକାରୀ ରଞ୍ଜନ କୁମାର ପ୍ରଧାନ ଓ ଆଠଗଡ଼ ଥାନା ଏ ଏସ ଆଇ ଶକୁନ୍ତଳା ଦାସ ।
ଘଟଣାସ୍ଥଳରେ ଉତ୍ତେଜନା ବଢ଼ିବାର ଚୌଦ୍ଵାର ଏସଡ଼ିପିଓ ପହଞ୍ଚିଥିବା ବେଳେ ୨ପ୍ଲାଟୁନ ଫୋର୍ସ ମୁତୟନ ହୋଇଛନ୍ତି। ଉକ୍ତ ୪୧ ଏକର ଜାଗା ମାନସ ରଞ୍ଜନ ମିଶ୍ରଙ୍କର ବୋଲି ରେକର୍ଡ ଥିବା ବେଳେ ଏହାକୁ ନିଜର ବୋଲି ଦାବି କରୁଥିବା ଗ୍ରାମବାସୀ ଆବଶ୍ୟକ କାଗଜପତ୍ର ଦେଖାଇବାକୁ ତହସିଲଦାର କହିଥିଲେ। ମାତ୍ର ଗ୍ରାମବାସୀ ଏ ସଂକ୍ରାନ୍ତୀୟ କାଗଜପତ୍ର ଦେଖାଇବାକୁ ଅସମର୍ଥ ହେବାରୁ ଉକ୍ତ ଜମି ମାପଚୁପ କରାଯାଇ ମାନସ ରଞ୍ଜନଙ୍କୁ ହସ୍ତାନ୍ତର କରାଯିବ ବୋଲି ସୂଚନା ମିଳିଛି।
ସେହିପରି ଆଉ ଜଣେ ବ୍ୟକ୍ତି ଖମାରନୂଆଗାଁଠାରେ ଏକ ସିମେଣ୍ଟ କାରଖାନା ଚଳାଇଥିବା ବେଳେ ୪ ଏକର ଗୋଚର ଜମି ଲିଜ୍‌ରେ ନେବାକୁ ଆବେଦନ କରିଥିଲେ। ଗ୍ରାମବାସୀ ଏହାକୁ ମଧ୍ୟ ବିରୋଧ କରୁଥିବା ବେଳେ ଉକ୍ତ ଜାଗାର ମଧ୍ୟ ମାପଚୁପ ହେଉଥିବା ଜଣାଯାଇଛି।

ଅଧିକ ସଂଖ୍ୟକ ଫୋର୍ସ ମୁତୟନ ହେବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିବା ବେଳେ ମାପଚୁପ ଚାଲିଥିବା ଜଣାଯାଇଛି।

Leave a Reply

Your email address will not be published. Required fields are marked *