Spread the love

ଭୁବନେଶ୍ବର : ସାରା ରାଜ୍ୟରେ ଅସହ୍ୟ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ତତଲା କଡେଇରେ ସିଝୁଛନ୍ତି ରାଜ୍ୟବାସୀ। ଯେପରି ଆକାଶରୁ ନିଆଁ ବର୍ଷୁଛି। ସକାଳ ୮ଟା ପରେ ଘରୁ ବାହାରିବା କଷ୍ଟକର ହୋଇପଡ଼ୁଛି। ଏହାକୁ ଦୃଷ୍ଟିକୁ ରଖି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ରାଜ୍ୟରେ ୩ ଦିନ ପାଇଁ କିଛି ଜିଲ୍ଲାରେ ହିଟ୍ ୱେଭ୍ ୱାର୍ଣ୍ଣିଂ ଜାରି କରିଛି।
ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ, ଆଗାମୀ ୪ ଦିନ ମଧ୍ୟରେ ରାଜ୍ୟର ଅନେକ ସ୍ଥାନରେ ଦିନର ତାପମାତ୍ରା ୩ ରୁ ୪ ଡ଼ିଗ୍ରୀ ଯାଏଁ ବୃଦ୍ଧି ପାଇବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ରାଜ୍ୟର କିଛି ଆଭ୍ୟନ୍ତରୀଣ ଜିଲ୍ଲାରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ହେବ। ଏହାକୁ ଦୃଷ୍ଟିରେ ରଖି ୧୩, ୧୪ ଓ ୧୫ ତାରିଖକୁ ହିଟ୍ ୱେଭ୍ ପାଇଁ ୱାର୍ଣ୍ଣିଂ ଜାରି କରିଛି।
ଆଜି ସକାଳ ସାଢ଼େ ୮ ଟା ସୁଦ୍ଧା ରାଜଧାନୀ ଭୁବନେଶ୍ୱରର ତାପମାତ୍ର ୩୨ଡିଗ୍ରୀ ଛୁଇଁଥିଲା ବେଳେ ଦିନ ୧୧ଟା ୩୦ ସୁଦ୍ଧା ତାପମାତ୍ରା ୩୯ଡିଗ୍ରୀ ରେକର୍ଡ କରାଯାଇଥିଲା। ଦିନ ୧୧ଟା ୩୦ ସୁଦ୍ଧା ସମ୍ବଲପୁରରେ ୩୮ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଥିବା ବେଳେ ଝାରସୁଗୁଡ଼ା ୩୭.୬, ଚାନ୍ଦବାଲି ୩୭.୪ ଡିଗ୍ରୀ ବାଲେଶ୍ୱର ୩୬.୮, ହୀରାକୁଦ ୩୬.୨, କେନ୍ଦୁଝର ୩୫.୪,ଗୋପାଳପୁରରେ ୩୪ ଡ଼ିଗ୍ରୀ, ପୁରୀରେ ୩୩.୮ ଡ଼ିଗ୍ରୀ ଓ ପାରାଦୀପ: ୩୨.୮ ଡ଼ିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି।
ଆହୁରି ୫ ଦିନ ପର୍ଯ୍ୟନ୍ତ ଏଭଳି ସ୍ଥିତି ଲାଗି ରହିବ ବୋଲି ପୂର୍ବାନୁମାନ କରିଛନ୍ତି ପାଣିପାଗ କେନ୍ଦ୍ର। ସ୍ଥଳଭାଗକୁ ସାମୁଦ୍ରିକ ବାୟୁ ପ୍ରବାହ କମିଥିବାରୁ ତାପମାତ୍ରା ବଢୁଛି। ଉତ୍ତର- ଉତ୍ତର ପଶ୍ଚିମ ଦିଗରୁ ବହୁଥିବା ଶୁଷ୍କ ବାୟୁ ପ୍ରଭାବରେ ତାପମାତ୍ରା ଆହୁରି ବଢ଼ିବ ବୋଲି ଆକଳନ କରିଛନ୍ତି ପାଣିପାଗ ବିଶେଷଜ୍ଞ। ଆସନ୍ତା ୧୬ ତାରିଖ ଯାଏ ଅଗ୍ନିବର୍ଷା ନେଇ ସତର୍କ କରାଇଛି ପାଣିପାଗ ବିଭାଗ। ପ୍ରଚଣ୍ଡ ଖରାକୁ ଦେଖି ସତର୍କ ରହିବାକୁ କୁହାଯାଇଛି।

Leave a Reply

Your email address will not be published. Required fields are marked *