Spread the love

ଇସଲାମାବାଦ : ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ପାକିସ୍ତାନ ତେହରିକ-ଇ-ଇନସାଫ (ପିଟିଆଇ)ର ମୁଖ୍ୟ ଇମ୍ରାନ ଖାନ ପୁଣିଥରେ ଭାରତର ବିଦେଶ ନୀତିକୁ ପ୍ରଶଂସା କରିଛନ୍ତି। ଭାରତ ଭଳି ଇସଲାମାବାଦ ମଧ୍ୟ ରୁଷ ଠାରୁ ଶସ୍ତାରେ ତେଲ ଆଣିବାକୁ ଲକ୍ଷ୍ୟ ରଖିଥିଲା। କିନ୍ତୁ ତାଙ୍କ ସରକାର ଆସ୍ଥା ଭୋଟରେ ହାରି ଯିବାରୁ ଏହା ସମ୍ଭବ ହୋଇ ପାରି ନଥିଲା ବୋଲି ଇମ୍ରାନ ଖାନ କହିଛନ୍ତି।
ଦେଶକୁ ଭିଡିଓ ବାର୍ତ୍ତା ଦେଇ ଇମ୍ରାନ ଖାନ କହିଛନ୍ତି, “ଆମେ ରୁଷ ଠାରୁ ଭାରତ ଭଳି ଶସ୍ତାରେ ତେଲ ଆଣିବାକୁ ଚାହୁଁଥିଲୁ। କିନ୍ତୁ ମୋ ସରକାର ଦୁର୍ଭାଗ୍ୟଶବତଃ ଗୋଟିଏ ଆସ୍ଥା ଭୋଟରେ ଭୁଶୁଡ଼ି ପଡ଼ିବାରୁ ଏହା ସମ୍ଭବ ହୋଇପାରିଲା ନାହିଁ।” ଇମ୍ରାନ ଖାନ ୨୩ ବର୍ଷ ମଧ୍ୟରେ ପାକିସ୍ତାନର ପ୍ରଥମ ପ୍ରଧାନମନ୍ତ୍ରୀ ଭାବେ ରୁଷ ଗସ୍ତ କରିଥିଲେ।
କିନ୍ତୁ ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ପାକିସ୍ତାନକୁ ଆଶ୍ୱସ୍ତ କରିବା ଭଳି କୌଣସି ଡିଲ୍‌ ସେ କରିବାକୁ ସକ୍ଷମ ହୋଇ ନଥିଲେ। ପାକିସ୍ତାନ ଏବେ ଘୋର ଆର୍ଥିକ ସଙ୍କଟ ଦେଇ ଗତି କରୁଛି। ସବୁ ଜରୁରୀ ସାମଗ୍ରୀର ମୂଲ୍ୟ ଆଶାତୀତ ଭାବେ ବଢ଼ି ଯାଇଛି। ଲୋକମାନେ ଖାଦ୍ୟ ସାମଗ୍ରୀ ପାଇଁ ସଂଘର୍ଷ କରୁଛନ୍ତି। ଏପରି ସ୍ଥିତିରେ ଇମ୍ରାନ ଖାନ ରୁଷ ଠାରୁ ଶସ୍ତାରେ ତେଲ କିଣିବା କଥା କହିଛନ୍ତି।
ସବୁଠାରୁ ମଜା କଥା ହେଉଛି ଇମ୍ରାନ ଖାନ ପ୍ରଥମଥର ପାଇଁ ଭାରତର ବିଦେଶୀ ନୀତି ଓ ଆର୍ଥିକ ସ୍ଥିତିକୁ ପ୍ରଶଂସା କରିନାହାନ୍ତି। ୟୁକ୍ରେନ ସହ ଯୁଦ୍ଧ ଯୋଗୁ ପଶ୍ଚିମ ଦେଶଗୁଡ଼ିକ ରୁଷ ସହ ସବୁ ପ୍ରକାରର ବ୍ୟବସାୟିକ ସମ୍ପର୍କଚ୍ଛିନ୍ନ କରିଛନ୍ତି। ପଶ୍ଚିମ ଦେଶଗୁଡ଼ିକର ଚାପ ସତ୍ତ୍ୱେ ଭାରତ ସରକାର ଶସ୍ତାରେ ରୁଷ ଠାରୁ ତେଲ କିଣୁ ଥିବାରୁ ଏହାକୁ ଇମ୍ରାନ ପ୍ରଶଂସା କରିଥିଲେ।
୨୦୨୨ ସେପ୍ଟେମ୍ବର ମାସରେ ଇମ୍ରାନ ଖାନ କହିଥିଲେ, “ନୱାଜ ଶରିଫଙ୍କ ବ୍ୟତୀତ ବିଶ୍ୱର ଅନ୍ୟ କୌଣସି ନେତାଙ୍କ ପାଖରେ ବିଲିୟନ ବିଲୟନ ସମ୍ପତ୍ତି ନାହିଁ। ଦେଶ ବାହାରେ କେଉଁ ରାଷ୍ଟ୍ରର ପ୍ରଧାନମନ୍ତ୍ରୀଙ୍କ ନାଁରେ ପୁଳାପୁଳା ସମ୍ପତ୍ତି ରହିଛି? ଜଣଙ୍କ ନାଁ କେହି କହି ପାରିବେ କି? ଏପରି କି ଆମ ପଡ଼ୋଶୀ ଦେଶର କଥା ବିଚାରକୁ ନିଅନ୍ତୁ। ପ୍ରଧାନମନ୍ତ୍ରୀ ମୋଦିଙ୍କର କେତେ ସମ୍ପତ୍ତି ବିଦେଶରେ ରହିଛି?”
୨୦୨୨ ମେ’ ମାସରେ ମଧ୍ୟ ଇମ୍ରାନ ଖାନ ରୁଷ ଠାରୁ ଭାରତ ସରକାର ତେଲ କିଣିବାକୁ ନେଇଥିବା ନିଷ୍ପତ୍ତି ପାଇଁ ପ୍ରଧାନମନ୍ତ୍ରୀ ମୋଦିଙ୍କ ନିଷ୍ପତ୍ତିକୁ ପ୍ରଶଂସା କରିଥିଲେ। ଆମେରିକା ସରକାର ଭାରତ ଉପରେ ଚାପ ପକାଉଥିଲେ ମଧ୍ୟ ନୂଆଦିଲ୍ଲୀ ପକ୍ଷରୁ ଶସ୍ତାରେ ରୁଷ ଠାରୁ ତେଲ କିଣା ଯାଇଥିଲା।

Leave a Reply

Your email address will not be published. Required fields are marked *