ନ୍ୟୁୟର୍କ : ଆମେରିକାର ସର୍ବସାଧାରଣ ସ୍ଥାନରେ ଗୁଳିକାଣ୍ଡ ଘଟଣା କମିବାର ନାଁ ଧରୁନାହିଁ । ପୂର୍ବରୁ ସ୍କୁଲରେ ଗୁଳିକାଣ୍ଡ ହେଉଥିବାବେଳେ ସୋମବାର ଏକ ବ୍ୟାଙ୍କରେ ଗୁଳିକାଣ୍ଡ ହୋଇଛି । ଏଥିରେ ୫ ଜଣ ଲୋକ ମୃତ୍ୟୁବରଣ କରିଥିବାବେଳେ ୬ ଜଣ ଆହତ ହୋଇଛନ୍ତି ।
ଏହି ଗୁଳିକାଣ୍ଡ ସୋମବାର ସକାଳେ କେଣ୍ଟୁକି ରାଜ୍ୟର ଲୁଇସଭିଲ୍ ଠାରେ ଥିବା ଓଲଡ୍ ନ୍ୟାସନାଲ ବ୍ୟାଙ୍କରେ ହୋଇଥିଲା । ଜଣେ ବ୍ୟକ୍ତି ବ୍ୟାଙ୍କରେ ପଶି ଗୁଳିଚାଳନା କରିଥିଲା । ଘଟଣା ସଂପର୍କରେ ଖବର ପାଇ ପୁଲିସ ସେଠାରେ ପହଞ୍ଚିବା ସମୟରେ ବି ଗୁଳିଚାଳନା ଜାରି ରହିଥିଲା । ତେବେ ପୁଲିସ ଗୁଳିରେ ସଂପୃକ୍ତ ବ୍ୟକ୍ତି ମୃତ୍ୟୁବରଣ କରିଥିବା ସୂଚନା ମିଳିଛି ।
ଲୁଇସଭିଲ୍ ମେଟ୍ରୋ ପୁଲିସ ବିଭାଗ ସୋମବାର ଟ୍ୱିଟରରେ ଲୋକଙ୍କୁ ଅଞ୍ଚଳର ପରିସ୍ଥିତିକୁ ଦୃଷ୍ଟିରେ ରଖି ସେଠାକୁ ନଯିବାକୁ କହିଛି। ଏଥିରେ ଅନେକ କ୍ଷୟକ୍ଷତି ହୋଇଛି ବୋଲି ପୁଲିସ ଟୁଇଟ୍ କରି କହିଛି। ”କେଣ୍ଟୁକି ଗଭର୍ଣ୍ଣର ଆଣ୍ଡି ବେସିୟର ଟୁଇଟ୍ କରି କହିଛନ୍ତି ଯେ ସେ ଘଟଣାସ୍ଥଳକୁ ଯାଉଛନ୍ତି ।
ଲୁଇସଭିଲ୍ ମେଟ୍ରୋ ପୁଲିସର ଉପମୁଖ୍ୟ ପଲ୍ ହମ୍ଫ୍ରେ କହିଛନ୍ତି ଯେ ସୋମବାର ସକାଳ ସାଢେ ୮ଟା ସମୟରେ ସେମାନେ ଓଲଡ୍ ନ୍ୟାସନାଲ ବ୍ୟାଙ୍କରେ ଗୁଳିକାଣ୍ଡ ସଂପର୍କରେ ଖବର ପାଇଥିଲେ । ଏହା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚିବା ପରେ ଗୁଳିବିନିମୟରେ ଉକ୍ତ ବ୍ୟକ୍ତି ନିହତ ହୋଇଥିଲା ।