Spread the love

ନୂଆଦିଲ୍ଲୀ: କେନ୍ଦ୍ର ଗୃହମନ୍ତ୍ରୀଙ୍କ ଅରୁଣାଚଳ ପ୍ରଦେଶ ଗସ୍ତକୁ ନେଇ ଚୀନର ବିରୋଧ ମଧ୍ୟରେ ଗୃହମନ୍ତ୍ରୀ ଅମିତ ଶାହା କହିଛନ୍ତି ଯେ ଭାରତର ଆଞ୍ଚଳିକ ଅଖଣ୍ଡତାକୁ କେହି ପ୍ରଶ୍ନ କରିପାରିବେ ନାହିଁ। ଏଥିସହ ସେ କହିଛନ୍ତି, ‘ଆମ ଜମିରୁ ଛୁଞ୍ଚି ମୂନରେ ମୂନେ ସୁଦ୍ଧା କେହି ନେଇପାରିବେ ନାହିଁ।’
‘ସେଦିନ ସବୁ ଚାଲିଗଲାଣି, ଯେତେବେଳେ ଲୋକମାନେ ଆମ ଜମିକୁ ଜବରଦଖଲ କରି ନେଉଥିଲେ।’ ଚୀନ୍‌ ସହ ପ୍ରକୃତ ନିୟନ୍ତ୍ରଣ ରେଖା (ଏଲ୍‌ଏସି) ଠାରୁ ପ୍ରାୟ ୧୧ କିଲୋମିଟର ଏବଂ ଭାରତ, ଚୀନ୍‌ ଏବଂ ମିଆଁମାର ଟ୍ରାଇ-ଜଙ୍କସନ୍‌ ଠାରୁ ପ୍ରାୟ ୪୦ କିଲୋମିଟର ଦୂରରେ ଅବସ୍ଥିତ ଅରୁଣାଚଳ ପ୍ରଦେଶର ସୀମାନ୍ତ ଗ୍ରାମ ଅଞ୍ଜାଓ ଜିଲ୍ଲାର କିବିଥୁରୁ ‘ଭାଇବା୍ରଣ୍ଟ ଭିଲେଜ୍‌ ପ୍ରୋଗ୍ରାମ୍‌’ର ଶୁଭାରମ୍ଭ କରିବା ଅବସରରେ ଆଜି ମନ୍ତ୍ରୀ ଶ୍ରୀ ଶାହା ଏକଥା କହିଛନ୍ତି।
ଅନ୍ୟପକ୍ଷରେ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ଅରୁଣାଚଳ ପ୍ରଦେଶ ଗସ୍ତକୁ ଚୀନ୍‌ ଦୃଢ଼ ବିରୋଧ କରିଛି ଏବଂ ଏହି ଅଞ୍ଚଳରେ ମନ୍ତ୍ରୀ ଶ୍ରୀ ଶାହାଙ୍କ କାର୍ଯ୍ୟକଳାପକୁ ବେଜିଂର ସାର୍ବଭୌମତ୍ୱର ଉଲ୍ଲଂଘନ ବୋଲି ଚୀନ୍‌ ବୈଦେଶିକ ମନ୍ତ୍ରାଳୟର ମୁଖପାତ୍ର ଏକ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କହିଛନ୍ତି।
ଗୃହମନ୍ତ୍ରୀ ଅମିତ ଶାହାଙ୍କ ଅରୁଣାଚଳ ଗସ୍ତ ସମ୍ପର୍କରେ ଏକ ପ୍ରଶ୍ନର ଉତ୍ତରରେ ଚୀନ୍‌ ମୁଖପାତ୍ର ଓ୍ଵାଙ୍ଗ୍‌ େଓ୍ଵନବିନ୍‌ କହିଛନ୍ତି, ଜାଙ୍ଗନାନ (ବେଜିଂ ଅରୁଣାଚଳକୁ ଜାଙ୍ଗନାନ ବୋଲି କହୁଛି) ହେଉଛି ଚୀନ୍‌ର ଅଞ୍ଚଳ। ଭାରତୀୟ ଅଧିକାରୀଙ୍କ ଜାଙ୍ଗନାନ ଗସ୍ତ ଚୀନର ସାର୍ବଭୌମତ୍ୱକୁ ଉଲ୍ଲଂଘନ କରୁଛି ଏବଂ ସୀମା ସ୍ଥିତିର ଶାନ୍ତି ଓ ସ୍ଥିରତା ପାଇଁ ଏହା ଅନୁକୂଳ ନୁହେଁ।
ଉଲ୍ଲେଖଯୋଗ୍ୟ, ଆଜି (ସୋମବାର)ଠାରୁ ଦୁଇ ଦିନିଆ ଅରୁଣାଚଳ ପ୍ରଦେଶ ଗସ୍ତରେ ଯାଇଛନ୍ତି ଅମିତ ଶାହା। ଗୃହମନ୍ତ୍ରୀ ଭାବେ ଉତ୍ତର-ପୂର୍ବ ରାଜ୍ୟକୁ ଏହା ତାଙ୍କର ପ୍ରଥମ ଗସ୍ତ। ଅରୁଣାଚଳ ପ୍ରଦେଶର କେତେକ ସ୍ଥାନକୁ ଚୀନ୍‌ ନିଜ ଅଞ୍ଚଳ ବୋଲି ଦାବି କରୁଥିବା ବେଳେ ଅମିତ ଶାହାଙ୍କ ଏହି ଗସ୍ତକୁ ଅତ୍ୟନ୍ତ ଗୁରୁତ୍ୱ ପ୍ରଦାନ କରାଯାଉଛି। ‘ଭାରତ ସର୍ବଦା କହି ଆସୁଛି ଯେ ଅରୁଣାଚଳ ପ୍ରଦେଶ ଦେଶର ଏକ ଅବିଚ୍ଛେଦ୍ୟ ଅଙ୍ଗ ଏବଂ ଚୀନ୍‌ ଏହାକୁ ନିଜର ଅଭିନବ ନାମ ଦେଇ ବାସ୍ତବତାକୁ ବଦଳାଇବ ପାରିବ ନାହିଁ।
ଏହା ପ୍ରଥମ ଥର ନୁହେଁ ଯେ ଚୀନ୍‌ ଏଭଳି ପ୍ରୟାସ କରୁଛି ଏବଂ ଆମେ ଏଭଳି ପ୍ରୟାସକୁ ସମାଲୋଚନା କରିଛୁ। ଅରୁଣାଚଳ ପ୍ରଦେଶ ଭାରତର ଏକ ଅବିଚ୍ଛେଦ୍ୟ ଅଂଶ। ଚୀନ୍‌ ନିଜର ଉଦ୍ଭାବନମୂଳକ ନାମ ଦେଇ ବାସ୍ତବତା ବଦଳାଇପାରିବ ନାହିଁ। ମୁଁ ଏହା ଉପରେ ପୁନର୍ବାର ଗୁରୁତ୍ୱ ଦେବାକୁ ଚାହୁଁଛି’ ବୋଲି ବୈଦେଶିକ ବ୍ୟାପାର ମନ୍ତ୍ରାଳୟର ମୁଖପାତ୍ର ଅରିନ୍ଦମ ବାଗଚୀ କହିଛନ୍ତି।
ଅରୁଣାଚଳ ପ୍ରଦେଶ, ସିକ୍କିମ୍‌, ଉତ୍ତରାଖଣ୍ଡ ଓ ହିମାଚଳ ପ୍ରଦେଶ ଏବଂ କେନ୍ଦ୍ରଶାସିତ ଅଞ୍ଚଳ ଲଦାଖର ଉତ୍ତର ସୀମାରେ ଥିବା ୧୯ଟି ଜିଲ୍ଲାର ୪୬ଟି ବ୍ଲକ୍‌ର ମୋଟ ୨୯୬୭ଟି ଗାଁକୁ ’ଭାଇବ୍ରାଣ୍ଟ ଭିଲେଜ୍‌ ପ୍ରୋଗ୍ରାମ’ ଅଧୀନରେ ବ୍ୟାପକ ବିକାଶ ପାଇଁ ଚିହ୍ନଟ କରାଯାଇଛି।

Leave a Reply

Your email address will not be published. Required fields are marked *