Spread the love

ନୂଆଦିଲ୍ଲୀ: ଦ୍ବିପାକ୍ଷିକ ସମ୍ପର୍କ, ୟୁକ୍ରେନ୍‌ର ସାମ୍ପ୍ରତିକ ପରିସ୍ଥିତି ଉପରେ ମତବିନିମୟ ଏବଂ ବୈଶ୍ବିକ ସମସ୍ୟା ଓ ପାରସ୍ପରିକ ସ୍ବାର୍ଥ ସଂକ୍ରାନ୍ତରେ ଆଲୋଚନା କରିବା ଲାଗି ସୋମବାର ଦିନ ୟୁକ୍ରେନ୍‌ର ଉପ-ବୈଦେଶିକ ମନ୍ତ୍ରୀ ଏମିନ୍‌ ଝାପ୍‌ରୋଭା ୪ଦିନିଆ ସରକାରୀ ଗସ୍ତରେ ଭାରତ ଆସିବେ ବୋଲି ସରକାରୀ ଅଧିକାରୀମାନେ କହିଛନ୍ତି।
ଗସ୍ତ ସମୟରେ ୟୁକ୍ରେନ୍‌ର ଉପ-ବୈଦେଶିକ ମନ୍ତ୍ରୀ ଏମିନ୍‌ ଝାପ୍‌ରୋଭା ବୈଦେଶିକ ବ୍ୟାପାର ଓ ସଂସ୍କୃତି ରାଷ୍ଟ୍ରମନ୍ତ୍ରୀ ମୀନାକ୍ଷି ଲେଖି ଏବଂ ଉପ-ଜାତୀୟ ନିରପତ୍ତା ଉପଦେଷ୍ଟା ବିକ୍ରମ ମିସ୍ରୀଙ୍କୁ ମଧ୍ୟ ଭେଟିବେ।
ଏ ସଂକ୍ରାନ୍ତରେ ଜାରି କରାଯାଇଥିବା ବିବୃତିରେ ଉଲ୍ଲେଖ ଅଛି, ଭାରତ ୟୁକ୍ରେନ୍‌ ସହିତ ଉତ୍ତମ ବନ୍ଧୁତ୍ବ ସମ୍ପର୍କ ବଜାୟ ରଖି ବହୁ କ୍ଷେତ୍ରରେ ସହଯୋଗ ରକ୍ଷା କରିଛି। ଗତ ୩୦ ବର୍ଷ ଧରି କୂଟନୈତିକ ସମ୍ପର୍କ ସ୍ଥାପନ କରି ଦୁଇ ଦେଶ ବାଣିଜ୍ୟ, ଶିକ୍ଷା, ସଂସ୍କୃତି ଓ ପ୍ରତିରକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ପ୍ରଗତି ହାସଲ କରିଛନ୍ତି। ଏହି ଗସ୍ତ ପାରସ୍ପରିକ ବୁଝାମଣା ଓ ସ୍ବାର୍ଥକୁ ଅଧିକ ସୁଦୃଢ଼ କରାଇବାର ସୁଯୋଗ ସୃଷ୍ଟି କରିବ।

ସମ୍ବାଦପତ୍ର ‘ଦି ହିନ୍ଦୁ’ ରିପୋର୍ଟ ଅନୁସାରେ, ଗସ୍ତ ସମୟରେ ଝାପ୍‌ରୋଭା ଭାରତରୁ ମାନବୀୟ ସହାୟତା ଏବଂ ରୁଷ୍‌ ଆକ୍ରମଣ ସମୟରେ ନଷ୍ଟ ହୋଇଯାଇଥିବା ଶକ୍ତି ଭିତ୍ତିଭୂମି ମରାମତି କରିବା ଲାଗି ଯନ୍ତ୍ରପାତି ଲୋଡ଼ିପାରନ୍ତି। କିବ୍‌ ଗସ୍ତ କରିବା ଲାଗି ସେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ମଧ୍ୟ ନିମନ୍ତ୍ରଣ କରିପାରନ୍ତି।

ଉଲ୍ଲେଖଯୋଗ୍ୟ, ୟୁକ୍ରେନ୍‌ ଆକ୍ରମଣ କରିଥିବା ପୁରୁଣା ବନ୍ଧୁ ରୁଷ୍‌କୁ ନିନ୍ଦା କରିବା ଲାଗି ଭାରତ ଅଗ୍ରାହ୍ୟ କରିବା ସହିତ କୂଟନୀତି ବଳରେ ସେମାନେ ସମସ୍ୟାର ସମାଧାନ କରନ୍ତୁ ବୋଲି ପରାମର୍ଶ ଦେଇଆସୁଛି।

Leave a Reply

Your email address will not be published. Required fields are marked *