Spread the love

କୋରାପୁଟ : ପ୍ରକୃତିର ବିକଟାଳ ରୂପ ଆଜି ଦେଖିଛି କୋରାପୁଟ ଜିଲ୍ଲା। ମାତ୍ର ଅଧଘଣ୍ଟା ମଧ୍ୟରେ ୩୭୭୨ଥର ବଜ୍ରପାତ ଘାତକ ପରିସ୍ଥିତି ସୃଷ୍ଟି କରିଛି। ଅଧିକାଂଶ ସ୍ଥାନରେ ପବନ ସହ ବର୍ଷା ହୋଇଥିବାରୁ ଯୋଗାଯୋଗ ଏକପ୍ରକାର ବିଚ୍ଛିନ୍ନ ହୋଇଛି। ତେଣୁ କ୍ଷୟକ୍ଷତିର ପ୍ରକୃତ ପରିମାଣ ମିଳିପାରିନାହିଁ।
ଅପରାହ୍ନ ଗୋଟାଏ ପର୍ଯ୍ୟନ୍ତ ପାଗ ଭଲ ରହିଥିଲା। କିନ୍ତୁ, ଦୁଇଟା ପରେ ପାଗରେ ହଠାତ୍‌ ବଡ଼ ପରିବର୍ତ୍ତନ ହୋଇଗଲା। ଆକାଶକୁ ମେଘ ଢାଙ୍କିବା ସହ ପ୍ରବଳ ବେଗରେ ପବନ ବହିଲା। ପରବର୍ତ୍ତୀ ସମୟରେ ବଜ୍ରପାତ ସହ ପ୍ରବଳ ବର୍ଷା ହୋଇଥିଲା। ବର୍ଷାର ପରିମାଣ ସହ ବଜ୍ରପାତର ପରିମାଣ ବଢ଼ି ଚାଲିଥିଲା। ମାତ୍ର ୩୦ ମିନିଟ୍ ମଧ୍ୟରେ ୩୭୬୨ଥର ବଜ୍ରପାତ ହୋଇଥିବା କେନ୍ଦ୍ର ସରକାରଙ୍କ ଦାମିନୀ ଆପ୍‌ ରେକର୍ଡ କରିଛି। ବୈପାରିଗୁଡା, କୋରାପୁଟ, ନନ୍ଦପୁର, ଲମତାପୁଟ ଅଞ୍ଚଳରେ ୩ ହଜାରରୁ ଅଧିକ ବଜ୍ରପାତ ହୋଇଥିବା ସୂଚନା ମିଳିଛି। ସବିଶେଷ ତଥ୍ୟ ପାଇଁ ଜିଲ୍ଲା ଜରୁରୀକାଳୀନ ବିଭାଗର ରିପୋର୍ଟକୁ ଅପେକ୍ଷା କରାଯାଇଛି। ପୂର୍ବରୁ ଓଡ଼ିଶାରେ ଅଧ ଘଣ୍ଟା ମଧ୍ୟରେ ଗୋଟିଏ ଅଞ୍ଚଳରେ ୫ ହଜାରରୁ ଅଧିକ ଥର ବଜ୍ରପାତ ହୋଇଥିବା ସର୍ବକାଳୀନ ରେକର୍ଡ ରହିଛି। କୋରାପୁଟ ଜିଲ୍ଲାରେ ପୂର୍ବ ରେକର୍ଡ ପାଖାପାଖି ବଜ୍ରପାତ ହୋଇଛି। ସେହିପରି ପାଣିପାଗ ବିଭାଗ ପକ୍ଷରୁ ଆସନ୍ତା ଦୁଇ ଦିନ ଯାଏ କୋରାପୁଟ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।

Leave a Reply

Your email address will not be published. Required fields are marked *