ନୂଆଦିଲ୍ଲୀ: ନେପାଳ-ତିବ୍ଦତ ସୀମାରେ ଭୟଙ୍କର ବନ୍ୟା ଓ ବିପୁଳ ଧନଜୀବନ କ୍ଷୟକ୍ଷତି ପରେ ଭାରତ ସୀମା ନିକଟରେ ଚୀନ୍ ନିର୍ମାଣ କରୁଥିବା ବିଶାଳ ମେଡୋଗ୍ ଜଳବିଦ୍ୟୁତ୍ ପ୍ରକଳ୍ପକୁ ନେଇ ନୂଆ ଆଶଙ୍କା ସୃଷ୍ଟି ହୋଇଛି। ଭୂକମ୍ପପ୍ରବଣ ହିମାଳୟ ଅଞ୍ଚଳରେ ଏତେ ବଡ଼ ଡ୍ୟାମ୍ ନିର୍ମାଣ ଭାରତର ଉତ୍ତର-ପୂର୍ବାଞ୍ଚଳ ପାଇଁ ଭବିଷ୍ୟତରେ ବଡ଼ ବିପଦ ସୃଷ୍ଟି କରିପାରେ ବୋଲି ବିଶେଷଜ୍ଞମାନେ ସତର୍କ କରାଇଛନ୍ତି।
ତିବ୍ଦତର ୟାରଲୁଙ୍ଗ ସାଙ୍ଗପୋ ନଦୀ ଉପରେ ଚୀନ୍ ୬୦ ହଜାର ମେଗାୱାଟ୍ କ୍ଷମତା ବିଶିଷ୍ଟ ମେଡୋଗ୍ ଡ୍ୟାମ୍ ନିର୍ମାଣ କରୁଛି। ଏହି ନଦୀ ଅରୁଣାଚଳପ୍ରଦେଶରେ ପ୍ରବେଶ କରି ସିଆଙ୍ଗ ଏବଂ ପରେ ଆସାମରେ ବ୍ରହ୍ମପୁତ୍ର ନାମରେ ପ୍ରବାହିତ ହୁଏ। ଅରୁଣାଚଳପ୍ରଦେଶ ସୀମା ନିକଟରେ ଥିବା ଏହି ପ୍ରକଳ୍ପକୁ ୨୦୩୩ ସୁଦ୍ଧା କାର୍ଯ୍ୟକ୍ଷମ କରିବାକୁ ବେଜିଂ ଲକ୍ଷ୍ୟ ରଖିଛି।
ବୁଧବାର ନେପାଳ-ତିବ୍ଦତ ସୀମାରେ ୪.୪ ତୀବ୍ରତାର ଭୂକମ୍ପ ପରେ ସମ୍ଭାବ୍ୟ ହିମସ୍ଖଳନରୁ ଭୟଙ୍କର ବନ୍ୟା ହୋଇଥିଲା। ବନ୍ୟାଜଳ ଭୋଟେ କୋଶୀ ଓ ତ୍ରିଶୂଳୀ ନଦୀ ଦେଇ ଗ୍ରାମ, ରାସ୍ତା ଓ ବିଦ୍ୟୁତ୍ ପ୍ରକଳ୍ପକୁ ଭସାଇ ନେଇଥିଲା। ନେପାଳ ବୈଦେଶିକ ମନ୍ତ୍ରୀ ଶିଶିର ଖନାଲ ସଂସଦରେ କହିଥିଲେ ଯେ, ଭୂକମ୍ପ ଯୋଗୁ ହିମସ୍ଖଳନ ହୋଇଥିବାରୁ ଏହି ବନ୍ୟା ଘଟିଥାଇପାରେ। ତେବେ ଘଟଣାର ପ୍ରକୃତ କାରଣ ସେତେବେଳେ ସ୍ପଷ୍ଟ ହୋଇନଥିଲା। ବିଶେଷଜ୍ଞ ବ୍ରହ୍ମା ଚେଲାନି କହିଛନ୍ତି, ନେପାଳର ବିପର୍ଯ୍ୟୟ ହିମାଳୟର ଭୂକମ୍ପପ୍ରବଣ ଅଞ୍ଚଳରେ ବିଶାଳ ଡ୍ୟାମ୍ ନିର୍ମାଣର ବିପଦକୁ ପୁଣି ସାମ୍ନାକୁ ଆଣିଛି। ତାଙ୍କ ମତରେ, ଭାରତ-ତିବ୍ଦତ ସୀମା ନିକଟରେ ଥିବା ଏହି ପ୍ରକଳ୍ପ ଭବିଷ୍ୟତରେ ‘ଜଳବୋମା’ରେ ପରିଣତ ହୋଇ ଭାରତର ଉତ୍ତର-ପୂର୍ବାଞ୍ଚଳ ଏବଂ ତଳମୁଣ୍ଡରେ ବାଂଲାଦେଶ ପର୍ଯ୍ୟନ୍ତ ବିପର୍ଯ୍ୟୟ ଘଟାଇପାରେ। ପୂର୍ବତନ ଭାରତୀୟ ରାଷ୍ଟ୍ରଦୂତ ତଥା ବୈଦେଶିକ ବ୍ୟାପାର ବିଶ୍ଳେଷକ ରାଜୀବ ଡୋଗ୍ରା ମଧ୍ୟ ଏହି ଡ୍ୟାମ୍ ନିର୍ମାଣ ହେଲେ ଭାରତର ଉତ୍ତର-ପୂର୍ବାଞ୍ଚଳରେ ଅଧିକ ବଡ଼ ବିପର୍ଯ୍ୟୟର ଆଶଙ୍କା କରିଛନ୍ତି।