Spread the love

ନୂଆଦିଲ୍ଲୀ: ଅବିଭକ୍ତ ଆନ୍ଧ୍ରପ୍ରଦେଶର ଶେଷ ମୁଖ୍ୟମନ୍ତ୍ରୀ କିରଣ କୁମାର ରେଡ୍ଡୀ ଆଜି ବିଜେପିରେ ଯୋଗ ଦେଇଛନ୍ତି। ତେବେ ବିଜେପିରେ ଯୋଗ ଦେଇ କିରଣ କଂଗ୍ରେସକୁ କଡା ସମାଲୋଚନା କରିଛନ୍ତି | ଆନ୍ଧ୍ରପ୍ରଦେଶର ଏହି ଟାଣୁଆ ନେତା କହିଛନ୍ତି ଯେ କଂଗ୍ରେସ ଲୋକଙ୍କ ପାଖରେ ପହଞ୍ଚିପାରୁନାହିଁ ଏବଂ ହାଇକମାଣ୍ଡଙ୍କ ଭୁଲ ନିଷ୍ପତ୍ତି ଯୋଗୁଁ ଦଳ ହାତରୁ ଗୋଟିଏ ପରେ ଗୋଟିଏ ରାଜ୍ୟ ଚାଲିଯାଉଛି | କିରଣ କହିଛନ୍ତି, କଂଗ୍ରେସ ଦଳ ଲୋକଙ୍କ ମତକୁ ବୁଝିପାରୁନାହିଁ | କଂଗ୍ରେସ ଦଳ ନିଜର ଭୁଲକୁ ନା ବିଶ୍ଳେଷଣ କରୁଛି ନା ସଂଶୋଧନ କରିବାକୁ ଚାଁହୁଛି । କଂଗ୍ରେସ ହାଇକମାଣ୍ଡ ଭାବୁଛନ୍ତି ଯେ ସେ ଠିକ୍ ଅଛନ୍ତି ଏବଂ ଦେଶର ଲୋକଙ୍କ ସମେତ ଅନ୍ୟ ସମସ୍ତେ ଭୁଲ୍ କରୁଛନ୍ତି। ଏହି ଆଦର୍ଶ ହେତୁ ମୁଁ ଦଳ ଛାଡିବାକୁ ନିଷ୍ପତ୍ତି ନେଇଛି। ସେମାନଙ୍କ ପାଇଁ ଏକ ପୁରୁଣା କାହାଣୀ ଅଛି |
ତାହା ହେଉଛି ଯେ, ‘ମୋର ରାଜା ବହୁତ ବୁଦ୍ଧିମାନ, ଆଉ ରାଜା ଜଣକ ନା ନିଜେ କିଛି ଚିନ୍ତା କରେ ନା କାହାର ପରାମର୍ଶ ଗ୍ରହଣ କରେ | ମୁଁ କ’ଣ କହିବାକୁ ଚାହୁଁଛି ଆପଣ ସମସ୍ତେ ନିଶ୍ଚୟ ଜାଣିଥିବେ’। ଚର୍ଚ୍ଚା ମୁତାବକ ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ କରି ସେ ଏହା କହିଛନ୍ତି | ତେବେ କିରଣ କୁମାର କଂଗ୍ରେସରୁ ଇସ୍ତଫା ଦେବା ଏହା ପ୍ରଥମ ଘଟଣା ନୁହେଁ। ଏହାପୂର୍ବରୁ ସେ ଆନ୍ଧ୍ରପ୍ରଦେଶ ଭାଙ୍ଗି ତେଲେଙ୍ଗାନା ଗଠନ କରିବା ନିଷ୍ପତ୍ତିକୁ ବିରୋଧ କରି ୨୦୧୪ରେ କଂଗ୍ରେସ ଦଳରୁ ଇସ୍ତଫା ଦେଇଥିଲେ। ଏହାପରେ ସେ ନିଜର ଏକ ଦଳ ଗଠନ କରିଥିଲେ। କିନ୍ତୁ ୨୦୧୪ ନିର୍ବାଚନରେ ​​ଦଳ ଭଲ ପ୍ରଦର୍ଶନ କରିପାରି ନଥିଲା ଏବଂ ପର ବର୍ଷ ରେଡ୍ଡୀ ପୁଣି କଂଗ୍ରେସରେ ଯୋଗ ଦେଇଥିଲେ।

କୁହାଯାଏ ଆନ୍ଧ୍ରପ୍ରଦେଶକୁ ବିଭାଜନ କରିବା ନିଷ୍ପତ୍ତି କଂଗ୍ରେସ ପାଇଁ ମହଂଗା ସାବ୍ୟସ୍ତ ହୋଇଥିଲା | କଂଗ୍ରେସର ଏହି ନିଷ୍ପତ୍ତି ହେତୁ ବହୁ ବରିଷ୍ଠ ନେତା ଏହାର ପ୍ରତିବାଦରେ ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଦେଇଥିଲେ। ଆଉ ବିଭାଜନ ନିଷ୍ପତ୍ତି ପାର୍ଶ୍ୱ ପ୍ରତିକ୍ରିୟା ଏଭଳି ଦେଖିବାକୁ ମିଳିଥିଲା ଯେ, ସେହି ଦିନଠାରୁ କଂଗ୍ରେସ ଆନ୍ଧ୍ରପ୍ରଦେଶରେ ଗୋଟିଏ ବି ଲୋକସଭା ଆସନ ଜିତିବାରେ ସକ୍ଷମ ହୋଇପାରି ନାହିଁ।

Leave a Reply

Your email address will not be published. Required fields are marked *