Spread the love

ଭୁବନେଶ୍ବର : ଅପରାଧୀକ ମାମଲାରେ ଫସି ଜେଲରେ ସଜା କାଟୁଥିବା କଏଦୀ ରୋଗୀ ପାଲଟି ଗଲେଣି। ସେ ପୁଣି ମାନସିକ ରୋଗୀ। ସଂଖ୍ୟା ବଢି ବଢି ଚାଲିଛି। ଜେଲ୍ ଡିଜି ମନୋଜ ଛାବ୍ରାଙ୍କ ସୂଚନା ଅନୁସାରେ, ରାଜ୍ୟରେ ଥିବା ୮୭ଟି ଜେଲରେ ୮୦୦ରୁ ଅଧିକ ମାନସିକ ରୋଗୀ ଅଛନ୍ତି। ମାଲକାନଗିରି ଜେଲରେ ସଂଖ୍ୟା ସବୁଠୁ ଅଧିକ ସଂଖ୍ୟକ ରୋଗୀ ଅଛନ୍ତି। ତା’ପଛକୁ ରହିଛି କୋରାପୁଟ ଓ ଜୟପୁର ଜେଲ। NCRBର ତଥ୍ୟ ଅନୁସାରେ, ଓଡ଼ିଶା ଜେଲରେ ମାନସିକ ରୋଗୀଙ୍କ ସଂଖ୍ୟା ୨୦୧୯ରେ ୬୨୬ ଥିବା ବେଳେ ୨୦୨୦ରେ ୬୯୬ ଓ ୨୦୨୧ ମସିହାରେ ୬୯୯ ଜଣ ଥିଲେ। ଚିନ୍ତାର ବିଷୟ ହେଉଛି ଯେ, ଜେଲରେ ଥିବା ମାନସିକ ରୋଗୀ ହାରରେ ଓଡ଼ିଶା ଉତ୍ତରପ୍ରଦେଶ ପଛକୁ ଦ୍ୱିତୀୟ ସ୍ଥାନରେ ରହିଛି ବୋଲି ଜେଲ୍‌ ଡିଜି ମନୋଜ ଛାବ୍ରା କହିଛନ୍ତି।
ତେବେ ଏଠି ପ୍ରଶ୍ନ ଉଠୁଛି, ଜେଲରେ କାହିଁକି ବଢୁଛନ୍ତି ମାନସିକ ରୋଗୀଙ୍କ ସଂଖ୍ୟା? କଏଦୀଙ୍କୁ ଉପଯୁକ୍ତ ଚିକିତ୍ସା ମିଳୁନି କି? ବିଚାର ପ୍ରକ୍ରିୟାରେ ବିଳମ୍ବ ଯୋଗୁ ବର୍ଷ ବର୍ଷ ଧରି ମାମଲାର ଫଇସଲା ନହୋଇପାରିବା କଏଦୀଙ୍କ ମାନସିକ ରୋଗଗ୍ରସ୍ତ ପଛର କାରଣ କି? ଜେଲରେ ଅଧିକ ଦିନ ରହିବା ଯୋଗୁ କଏଦୀଙ୍କ ମଧ୍ୟରେ ମାନସିକ ବିକାରଗ୍ରସ୍ତତା ବଢୁଥିବା ମଧ୍ୟ କହିଛନ୍ତି ବିଶେଷଜ୍ଞ।
ସେପଟେ ମାନସିକ ରୋଗୀଙ୍କ ଉନ୍ନତ ଚିକିତ୍ସା ପାଇଁ ଅଣ୍ଟା ଭିଡିଛି ଜେଲ୍ ବିଭାଗ। ସେଥିପାଇଁ ନିଯୁକ୍ତ ହୋଇଛନ୍ତି ୩୩ ଜଣ ମାନସିକ ରୋଗ ବିଶେଷଜ୍ଞ। ସାଇକିଆଟ୍ରିକ୍‌ ସୋସିଆଲ ୱାର୍କର ଓ କ୍ଲିନିକାଲ ସାଇକୋଲୋଜିଷ୍ଟ ଭାବେ ସେମାନଙ୍କୁ ନିଯୁକ୍ତି ଦିଆଯାଇଛି। ଏମାନେ ଜେଲରେ କଏଦୀଙ୍କ ମାନସିକ ଅବସ୍ଥା ଯାଞ୍ଚ କରିବା ସହ ରୋଗୀଙ୍କ ଚିକିତ୍ସା କରିବେ ବୋଲି ଜେଲ୍‌ ଡିଜି କହିଛନ୍ତି।
ରାଜ୍ୟର ବିଭିନ୍ନ ଜେଲରେ ୮ଶହରୁ ଅଧିକ ମାନସିକ ରୋଗୀ ଥିବା ବେଳେ ପୂର୍ବରୁ ମାତ୍ର ୪ଟି ମାନସିକ ରୋଗ ବିଶେଷଜ୍ଞ ପଦବି ରହିଥିଲା। ତା’ଭିତରୁ କେବଳ ଗୋଟିଏ ପଦବୀ ପୂରଣ ହୋଇଥିଲା। ହାଇକୋର୍ଟଙ୍କ ନିର୍ଦ୍ଦେଶରେ ଜିଲ୍ଲା ମୁଖ୍ୟ ହସପିଟାଲରେ ନିଯୁକ୍ତ ଡାକ୍ତର ଜେଲକୁ ଯାଇ ରୋଗୀଙ୍କ ଚିକିତ୍ସା କରୁଥିଲେ।

Leave a Reply

Your email address will not be published. Required fields are marked *