Spread the love

ଭୁବନେଶ୍ବର : ରାଜଧାନୀ ଭୁବନେଶ୍ୱରରେ ଗଡ଼ିବ ମେଟ୍ରୋ ଟ୍ରେନ୍‌। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଘୋଷଣା ପରେ ପ୍ରସ୍ତୁତ ହେଉଛି ଡିପିଆର୍। ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ୱର ବିମାନବନ୍ଦରରୁ କଟକ ତ୍ରିଶୁଳିଆ ପର୍ଯ୍ୟନ୍ତ ଗଡ଼ିବ ମେଟ୍ରୋ। ବିମାନବନ୍ଦରରୁ ମାଷ୍ଟରକ୍ୟାଣ୍ଟିନ, ସେଠାରୁ ବାଣୀବିହାର, ଜୟଦେବ ବିହାର, ଚନ୍ଦ୍ରଶେଖରପୁର, ପଟିଆ, ଆଉ ନନ୍ଦନକାନନ ଦେଇ ତ୍ରିଶୁଳିଆ ପର୍ଯ୍ୟନ୍ତ ମେଟ୍ରୋ ଲାଇନ୍‌ ଯୋଡିବାକୁ ଯୋଜନା କରିଛନ୍ତି ସରକାର। ୩ ବର୍ଷ ଭିତରେ କାମ ସାରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି।
୨୯ କିଲୋମିଟର ଦୀର୍ଘ ଏହି ଟ୍ରାକ୍‌ ପାଇଁ ପ୍ରାୟ ୮ ହଜାର କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ଆକଳନ କରାଯାଇଛି। ଅର୍ଥାତ କିଲୋମିଟର ପିଛା ପ୍ରାୟ ୨୫୦ କୋଟି ଖର୍ଚ୍ଚ ହେବ। ପ୍ରାୟ ୪୫୦ଟି ପିଲର ଉପରେ ଛିଡା ହେବ ମେଟ୍ରୋ ଟ୍ରାକ୍‌। ଏହି ରୁଟରେ ୭ରୁ ୮ଟି ମେଟ୍ରୋ ଷ୍ଟେସନ ନିର୍ମାଣ ହେବ। ଷ୍ଟେସନରୁ ତଳକୁ ଓହ୍ଲାଇଲେ ତତ୍‌କ୍ଷଣାତ ଅନ୍ୟ ସ୍ଥାନକୁ ଯିବା ପାଇଁ ସୁବିଧା ରହିବ। ମେଟ୍ରୋ ସ୍ୱପ୍ନ ସାକାର ହେଲେ, ଭୁବନେଶ୍ୱରରୁ କଟକକୁ ମାତ୍ର ୧୫ ମିନିଟ୍‌ ଓ ପୁରୀକୁ ଅଧାଘଣ୍ଟାରେ ପହଞ୍ଚିହେବ ବୋଲି କୁହାଯାଉଛି। ତେବେ ଏଲିଭେଟେଡ୍‌ କରିଡର ନିର୍ମାଣ ପାଇଁ ଜମି ଅଧିଗ୍ରହଣ ସହ ବିସ୍ଥାପନ ମୁଖ୍ୟ ସମସ୍ୟା ସାଜିପାରେ ବୋଲି ଚର୍ଚ୍ଚା ହେଉଛି।
କଟକ ଓ ଭୁବନେଶ୍ୱରବାସୀଙ୍କ ପାଇଁ ଏବେ ମୁଣ୍ଡବିନ୍ଧାର କାରଣ ସାଜିଛି ଟ୍ରାଫିକ୍‌ ସମସ୍ୟା। ପିକ୍‌ ଆୱାର ହେଉ କିମ୍ବା କୌଣସି ବଡ଼ କାର୍ଯ୍ୟକ୍ରମ ଥିଲେ ପୁଲିସକୁ ଭିଡ଼ ନିୟନ୍ତ୍ରଣ ପାଇଁ ନାକେଦମ ହେବାକୁ ପଡୁଛି। ଏପରିକି ଭିଡ଼ରେ ଆମ୍ବୁଲାନ୍ସ ଫଶିବା, ନିତିଦିନିଆ ଘଟଣା ହେଲାଣି। ତେଣୁ ମେଟ୍ରୋ ଗଡ଼ିଲେ ଟ୍ରାଫିକ ଜାମ କମିବା ସହ ଲୋକେ ଠିକ ସମୟରେ ନିର୍ଦ୍ଧାରିତ ସ୍ଥାନରେ ପହଞ୍ଚି ପାରିବେ ବୋଲି ଆଶା କରାଯାଉଛି। ଆଉ ଏକ ଗୁରୁତ୍ୱର୍ଣ୍ଣ କଥା ହେଉଛି, ପ୍ରତି ଦିନ ୫୦ ଲକ୍ଷ ଲୋକ ଯାତାୟତ କରୁଥିବା ଦିଲ୍ଲୀ ମେଟ୍ରୋ ଏବେ କ୍ଷତିରେ ଚାଲିଥିବା କୁହାଯାଉଛି। ତେଣୁ ଏଠି ମେଟ୍ରୋ ରେଲ୍ ପ୍ରକଳ୍ପ ହେଲେ ଏହାକୁ ଚଲାଇବା ପାଇଁ ସରକାର କେତେ ଦୂର ସକ୍ଷମ ହେବେ, ତାହା ବି ଏକ ବଡ଼ ପ୍ରଶ୍ନ।

Leave a Reply

Your email address will not be published. Required fields are marked *