ନୂଆଦିଲ୍ଲୀ: ମୋଗଲ୍ ସମ୍ରାଟ ଶାହା ଜାହାନ୍ ନିର୍ମାଣ କରାଇଥିବା ତାଜମହଲ ପ୍ରେମର ପ୍ରତୀକ ନୁହେଁ ବୋଲି ଆସାମ ‘ବିଜେପି’ ନେତା ତଥା ବିଧାୟକ ରୂପଜ୍ୟୋତି କୁର୍ମୀ ସମ୍ବାଦ ସରବରାହ ସଂସ୍ଥାନ ‘ଏଏନ୍ଆଇ’କୁ କହିଛନ୍ତି।
ପ୍ରିୟତମା ପତ୍ନୀ ମମତାଜ୍ ମହଲ୍ଙ୍କ ପ୍ରତି ମୋଗଲ୍ ସମ୍ରାଟ୍ ଶାହା ଜାହାନ୍ଙ୍କ ସ୍ନେହ ଉପରେ ବି ରୂପଜ୍ୟୋତି ସନ୍ଦେହ ବ୍ୟକ୍ତ କରିଛନ୍ତି। ସେ କହିଛନ୍ତି, ତାଜମହଲ ପ୍ରୀତିର ପ୍ରତୀକ ନୁହେଁ। ୪ର୍ଥ ପତ୍ନୀ ମମ୍ତାଜ୍ଙ୍କ ସ୍ମୃତିରେ ଶାହା ଜାହାନ୍ ତାଜମହଲ ନିର୍ମାଣ କରାଇଥିଲେ। ଯଦି ସେ ମମ୍ତାଜ୍ଙ୍କୁ ପ୍ରେମ କରୁଥିଲେ, ତେବେ ମମ୍ତାଜ୍ଙ୍କ ମୃତ୍ୟୁ ପରେ ଆହୁରି ୩ଟା ବିବାହ କରିଥିଲେ କାହିଁକି?
ଶାହା ଜାହାନ୍ଙ୍କ ଅନ୍ୟ ୩ ପତ୍ନୀଙ୍କର କ’ଣ ହେଲା ତାହା ଜାଣିବାକୁ ତଦନ୍ତ କରାଯାଉ ବୋଲି ରୂପଜ୍ୟୋତି ଦାବି କରିଛନ୍ତି। ସେ କହିଛନ୍ତି, ଯଦି ତାଜମହଲକୁ ଶାହା ଜାହାନ୍ ଓ ତାଙ୍କ ଚତୁର୍ଥ ପତ୍ନୀ ମମ୍ତାଜ୍ଙ୍କ ପ୍ରେମର ପ୍ରତୀକ ବୋଲି ବିବେଚନା କରାଯାଏ, ତେବେ ତାଙ୍କର ଅନ୍ୟ ପତ୍ନୀମାନଙ୍କର କ’ଣ ହେଲା? ଏଥିପାଇଁ ତଦନ୍ତ ଆରମ୍ଭ କରାଯିବା ଉଚିତ।
ସୂଚନାଯୋଗ୍ୟ, ଆସାମର ମରିୟାନୀ ନିର୍ବାଚନ ମଣ୍ଡଳୀର ‘ବିଜେପି’ ବିଧାୟକ ରୂପଜ୍ୟୋତି କୁର୍ମୀ ପୂର୍ବରୁ ମଧ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଅନୁରୋଧ କରିଥିଲେ କି, ମୋଗଲ ଅମଳର ସ୍ଥାପତ୍ୟ ତାଜମହଲ ଓ କୁତୁବ୍ ମୀନାରକୁ ଭାଙ୍ଗି ସେ ସ୍ଥାନରେ ବିଶ୍ବର ସବୁଠୁ ସୁନ୍ଦର ମନ୍ଦିର ନିର୍ମାଣ କରାଯାଉ।