Spread the love

ନୂଆଦିଲ୍ଲୀ: ଅଗ୍ନିବୀରମାନଙ୍କ ପାଇଁ ୧୦ ପ୍ରତିଶତ ସଂରକ୍ଷଣ ସହ କେନ୍ଦ୍ରୀୟ ରିଜର୍ଭ ପୁଲିସ ଫୋର୍ସ (ସିଆରପିଏଫ)ରେ ପ୍ରାୟ ୧.୩୦ ଲକ୍ଷ କନଷ୍ଟେବଳ ପଦବୀରେ ନୂତନ ନିଯୁକ୍ତି ଦେବା ପାଇଁ ଗୃହ ମନ୍ତ୍ରାଳୟ ପକ୍ଷରୁ ଗୁରୁବାର ଏକ ବିଜ୍ଞପ୍ତି ଜାରି କରାଯାଇଛି।
ଗୃହ ମନ୍ତ୍ରାଳୟ ପକ୍ଷରୁ ଜାରି ବିଜ୍ଞପ୍ତିରେ କୁହାଯାଇଛି ଯେ ଏହି ସମସ୍ତ ନିଯୁକ୍ତି କେନ୍ଦ୍ରୀୟ ରିଜର୍ଭ ପୁଲିସ ଫୋର୍ସ ଅଧିନିୟମ, ୧୯୪୯ (୧୯୪୯ର ୬୬)ର ଧାରା ୧୮ର ଉପଧାରା (୧) ଏବଂ କେନ୍ଦ୍ରୀୟ ରିଜର୍ଭ ପୁଲିସ ଫୋର୍ସ ଗ୍ରୁପ୍‌ ‘ସି’ (ଜେନେରାଲ ଡ୍ୟୁଟି/ ଟେକ୍ନିକାଲ/ ଟ୍ରେଡ୍‌ସମ୍ୟାନ୍‌) କ୍ୟାଡର ନିଯୁକ୍ତି ନିୟମ, ୨୦୧୦ର ଉଚ୍ଛେଦରେ ଦିଆଯାଇଥିବା କ୍ଷମତାର ପ୍ରୟୋଗ (ଜେନେରାଲ ଡ୍ୟୁଟି କ୍ୟାଡର) ପଦବୀ ସହିତ ସମ୍ପୃକ୍ତ। କେନ୍ଦ୍ର ସରକାର କେନ୍ଦ୍ରୀୟ ରିଜର୍ଭ ପୁଲିସ ଫୋର୍ସରେ ଜେନେରାଲ ଡ୍ୟୁଟି କ୍ୟାଡର ଗ୍ରୁପ ‘ସି’ ପଦବୀ, ଜେନେରାଲ ଡ୍ୟୁଟି କ୍ୟାଡରରେ କନେଷ୍ଟବଳ (ଜେନେରାଲ ଡ୍ୟୁଟି) ପଦବୀରେ ନିଯୁକ୍ତି ପଦ୍ଧତିକୁ ନିୟନ୍ତ୍ରଣ କରିବା ପାଇଁ ଏହି ନିୟମ ପ୍ରଣୟନ କରିଛନ୍ତି।
ବିଜ୍ଞପ୍ତିରେ ସାଧାରଣ କେନ୍ଦ୍ରୀୟ ସେବା, ଗ୍ରୁପ୍‌ ‘ସି’, ଅଣ-ଗେଜେଟେଡ୍‌, (ଅଣ-ମନ୍ତ୍ରାଳୟ କମ୍ବାଟେଣ୍ଟ)ରେ ମହିଳାଙ୍କ ପାଇଁ ୪୬୬୭ ପଦବୀ ସମେତ ମୋଟ ୧,୨୯,୯୨୯ କନଷ୍ଟେବଳ (ଜେନେରାଲ ଡ୍ୟୁଟି) ପଦବୀ ଘୋଷଣା କରାଯାଇଛି।

ପୂର୍ବତନ ଅଗ୍ନିବୀର; ପ୍ରଥମ ବ୍ୟାଚ୍‌ର ପ୍ରାର୍ଥୀଙ୍କ ପାଇଁ ୫ ବର୍ଷ ପର୍ଯ୍ୟନ୍ତ ବୟସ ସୀମା କୋହଳ କରାଯିବ। ଏବଂ ପୂର୍ବତନ ଅଗ୍ନିବୀର ପ୍ରାର୍ଥୀଙ୍କ ପାଇଁ ୩ ବର୍ଷ ପର୍ଯ୍ୟନ୍ତ ବୟସ ସୀମା କୋହଳ ରହିବ।

ସେହିପରି ପୂର୍ବତନ ଅଗ୍ନିବୀରମାନଙ୍କୁ ଶାରୀରିକ ଦକ୍ଷତା ପରୀକ୍ଷା (ପିଇଟି)ରୁ ମୁକ୍ତ କରାଯିବ। କନଷ୍ଟେବଳ (ଜେନେରାଲ ଡ୍ୟୁଟି) ପଦବୀରେ ନିଯୁକ୍ତି ପାଇଁ ପୂର୍ବତନ ଅଗ୍ନିବୀରଙ୍କ ପାଇଁ ୧୦ ପ୍ରତିଶତ ପଦବୀ ସଂରକ୍ଷିତ ରହିବ।

Leave a Reply

Your email address will not be published. Required fields are marked *