Spread the love

ବୀରମହାରାଜପୁର: ଖେଳିବା ସମୟରେ ପରିତ୍ୟକ୍ତ କୂଅରେ ପଡ଼ି ଦୁଇ ଜଣ ଶିଶୁକନ୍ୟାଙ୍କ ମୃତ୍ୟୁ ହୋଇଛି। ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁରରେ ଆଜି ସନ୍ଧ୍ୟାରେ ଏହି ଅଭାବନୀୟ ଘଟଣା ଘଟିଛି। ଦୁଇ ମୃତ ଶିଶୁକନ୍ୟା ହେଲେ ଶିକ୍ଷକ ଆଲୋକ ମିଶ୍ରଙ୍କ ଝିଅ ଦିଶା (୩ବର୍ଷ ୩ମାସ) ଓ ଅଳକା ମିଶ୍ରଙ୍କ ଝିଅ ସିଦ୍ଧିଶ୍ରୀ(୧ ବର୍ଷ ୩ମାସ)। ମୃତ ଶିଶୁକନ୍ୟା ଦ୍ବୟ ହେଲେ ସଂପର୍କୀୟ ଭଉଣୀ।
ସୂଚନା ଅନୁସାରେ ବୀରମହାରାଜପୁର ସଦର ଥାନା ଅନ୍ତର୍ଗତ ମୁଖ୍ୟ ଛକ ପାଖରେ ରହୁଥିବା ସ୍ଥାନୀୟ ବ୍ୟବସାୟୀ ଦିଲ୍ଲୀପ କୁମାର ଓ ତାଙ୍କ ସାନଭାଇ କଲ୍ଲୋଳ ମିଶ୍ର ଗୋଟିଏ ଘରେ ରୁହନ୍ତି। ଦିଲୀପଙ୍କ ନାତୁଣୀ ଅର୍ଥାତ ତାଙ୍କ ପୁଅ ଶିକ୍ଷକ ଆଲୋକ ମିଶ୍ରଙ୍କ ଝିଅ ଦିଶା ଓ କଲ୍ଲୋଳ ମିଶ୍ରଙ୍କ ନାତୁଣୀ ଅର୍ଥାତ ଅଳକା ମିଶ୍ରଙ୍କ ଝିଅ ସିଦ୍ଧିଶ୍ରୀ ଆଜି ସନ୍ଧ୍ୟା ପ୍ରାୟ ସାଢ଼େ ୬ଟାରେ ଖେଳୁଥିବା ସମୟରେ ବାଡ଼ିପଟେ ଥିବା ଏକ ପରିତ୍ୟକ୍ତ କୂଅରେ ପଡ଼ିଯାଇଥିଲେ। ପରିବାର ଲୋକେ ବହୁ ସମୟ ଧରି ଖୋଜାଖୋଜି କଲା ପରେ ୨ ଶିଶୁକନ୍ୟା କୂଅରେ ପଡ଼ିଯାଇଥିବା ଜାଣିବାକୁ ପାଇଥିଲେ। ସୂଚନା ପାଇଁ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ‌ସେମାନଙ୍କୁ ଯୁଦ୍ଧକାଳୀନ ଅବସ୍ଥାରେ ଉଦ୍ଧାର କରିଥିଲେ।
ଦୁଇ ଶିଶୁକନ୍ୟା କୂଅରୁ ଉଦ୍ଧାର ହେଲା ପରେ ବ୍ଲକ ଉପାଧ୍ୟକ୍ଷ ନାରାୟଣ ଲୁହା ବିଶ୍ବସ୍ତ ସୂତ୍ରରୁ ସୂଚନା ପାଇଁ ଘଟଣାସ୍ଥଳରେ ପହଞ୍ଚିଥିଲେ। ସେ ସେମାନଙ୍କୁ ନିଜ କାର୍‌ରେ ନେଇ ଉପଖଣ୍ଡ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। କିନ୍ତୁ ପିଲା ଦୁଇଟିର ଅବସ୍ଥା ସଂକଟାପନ୍ନ ଥିବାରୁ ଡାକ୍ତର ସେମାନଙ୍କୁ ସୋନପୁର ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରିଥିଲେ। ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି ହେଲା ପରେ ଡାକ୍ତର ଦିଶାକୁ ମୃତ ଘୋଷଣା କରିଥିଲେ। ତେବେ ସିଦ୍ଧିଶ୍ରୀକୁ ବରଗଡ଼ର ଏକ ଘରୋଇ ଡାକ୍ତରଖାନା ନିଆଯିବା ସମୟରେ ବାଟରେ ତାର ମୃତ୍ୟୁ ହୋଇଥିଲା। ଏହି ଖବର ଜଣାପଡ଼ିବା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି।

Leave a Reply

Your email address will not be published. Required fields are marked *