Spread the love

ବଲାଙ୍ଗୀର: ବଲାଙ୍ଗୀର ନକଲି ସାର୍ଟିଫିକେଟ୍‌ ମାମଲାର ମୁଖ୍ୟ ଅଭିଯୁକ୍ତ ମାଷ୍ଟରମାଇଣ୍ଡ ମନୋଜ ମିଶ୍ର ଓ ତା’ର ସହଯୋଗୀ ଆଲୋକ ଉଦ୍‌ଗାତାଙ୍କ ସହ ଦୁଇ ଆବେଦନକାରୀଙ୍କୁ ରିମାଣ୍ଡରେ ଆଣିବାକୁ କ୍ରାଇମବ୍ରାଞ୍ଚ ଟିମ୍‌ କୋର୍ଟରେ ଆବେଦନ କରିଥିଲା। ମାନ୍ୟବର କୋର୍ଟ ୩ ଦିନ ରିମାଣ୍ଡ ପାଇଁ ମଞ୍ଜୁରି ଦେଇଛନ୍ତି। ମଙ୍ଗଳବାର ଚତୁର୍ଥ ଦିନରେ କ୍ରାଇମବ୍ରାଞ୍ଚ ଟିମ୍‌ ସକାଳୁ ବଲାଙ୍ଗୀର ଟାଉନ ଥାନାରେ ଦଲିଲ ଦସ୍ତାବିଜ ଖାନତଲାସି କରିଥିଲା। ପରେ କ୍ରାଇମବ୍ରାଞ୍ଚ ଟିମ୍‌ ଦୁଇ ଭାଗ ହୋଇଯାଇଥିଲା। ଗୋଟିଏ ଟିମ୍‌ ଏସ୍‌ଡିଜେଏମ୍‌ କୋର୍ଟକୁ ଯାଇ ମନୋଜ ମିଶ୍ର ଓ ଆଲୋକ ଉଦ୍‌ଗାତାଙ୍କ ସହ ମାମଲାରେ ଜେଲ ଯାଇଥିବା ଦୁଇ ଆବେଦନକାରୀ ତ୍ରିବିହାରୀ ପଣ୍ଡା ଓ ପରେଶ ବୁଡେକକୁ ପାଞ୍ଚ ଦିନିଆ ରିମାଣ୍ଡ ପାଇଁ ଆବେଦନ କରିଥିଲେ। କୋର୍ଟ ୫ ଦିନ ପରିବର୍ତ୍ତେ ୩ ଦିନ ରିମାଣ୍ଡ ପାଇଁ ଅନୁମତି ଦେଇଥିବା ସୂଚନା ମିଳିଛି।
ଧବାର ୫ ତାରିଖରୁ ମୁଖ୍ୟ ଅଭିଯୁକ୍ତ ମନୋଜ ସମେତ ୪ ଜଣ ରିମାଣ୍ଡରେ ଆସିବେ। ତେବେ ଅନ୍ୟ ଏକ ଟିମ ମନୋଜ ମିଶ୍ରଙ୍କ ହାତୀଶାଲପଡ଼ା ଘର ଓ ସିଭିଲ କୋର୍ଟ ପଛପଟେ ଥିବା ଆଲୋକ ଉଦ୍‌ଗାତାଙ୍କ ଘରକୁ ଯାଇ ପରିବାରଲୋକଙ୍କୁ ପଚରାଉଚରା କରିଥିଲେ। ଏପରିକି ମନୋଜ ଓ ଆଲୋକଙ୍କ ପତ୍ନୀଙ୍କୁ ଟାଉନ ଥାନାକୁ ଆସିବା ପାଇଁ କ୍ରାଇମବ୍ରାଞ୍ଚ ଟିମ ସମନ ଜାରି କରିଥିଲା। ମିଳିଥିବା ସୂଚନା ଅନୁଯାୟୀ, ମନୋଜ ଓ ଆଲୋକ ବିରୋଧରେ କ୍ରାଇମବ୍ରାଞ୍ଚ ପ୍ରାୟ ୬ଟି ପୃଥକ ପୃଥକ ମାମଲା ରୁଜୁ କଲାଣି। ଏହା ସହିତ ଆଜି ତାରିଖ ଥିବାରୁ ଉଭୟଙ୍କୁ କୋର୍ଟରେ ହାଜର ହୋଇଥିଲେ। ବୁଧବାର କ୍ରାଇମବ୍ରାଞ୍ଚ ୪ ଜଣ ଅଭିଯୁକ୍ତଙ୍କୁ ରିମାଣ୍ଡରେ ଆଣିଲା ପରେ ଅଧିକ ପଚରାଉଚରା କରିବ। ଏହାପରେ ରାଜ୍ୟ ବାହାରକୁ କ୍ରାଇମବ୍ରାଞ୍ଚ ଟିମ ଯାଇପାରେ।

Leave a Reply

Your email address will not be published. Required fields are marked *