Spread the love

ଭୁବନେଶ୍ବର: ସରକାର ଡାଲିର ଯେଉଁ ସହାୟକ ମୂଲ୍ୟ ଧାର୍ଯ୍ୟ କରୁଛନ୍ତି, ସେହି ହିସାବରେ ଏହାର ଦର ବଢୁଛି। ଗୋଟା ହରଡ଼ ସହାୟକ ମୂଲ୍ୟ ୭୨ ଶହ ଟଙ୍କା ରହିଛି। ତେଣୁ ଡ଼ାଲିର ଦର ମଧ୍ୟ ସେହି ଅନୁସାରେ ବଢିବ। ବିରି, ମୁଗ ଭଳି ଡାଲିର ମଧ୍ୟ ସହାୟକ ମୂଲ୍ୟ ସରକାର ବୃଦ୍ଧି କରିଛନ୍ତି ତେଣୁ ଦର ବଢିବ। ଅଦିନିଆ ବର୍ଷାରେ ଫସଲ କ୍ଷତି ହୋଇଛି। ଗତ ବର୍ଷ ୨କୋଟି ୩୦ଲକ୍ଷ ଟନ୍ ଡାଲି ଉତ୍ପାଦନ ହୋଇଥିଲା କିନ୍ତୁ ଏ ବର୍ଷ ୨ କୋଟି ୧୦ ଲକ୍ଷ ଟନ୍ ଭିତରେ ଉତ୍ପାଦନ ହୋଇଛି। ଗତ ବର୍ଷ ଅପେକ୍ଷା ୧୦% ଡାଲି ଉତ୍ପାଦନ କମିଛି ସେଥିପାଇଁ ଡାଲି ଦର ବଢିଛି। ଓଡ଼ିଶା ବ୍ୟବସାୟୀ ମହାସଂଘ ମହାସଚିବ ସୁଧାକର ପଣ୍ଡା ଏହା କହିଛନ୍ତି।
ଶ୍ରୀ ପଣ୍ଡା କହିଛନ୍ତି ଯେ, ସରକାର ଯେଉଁ ଭଳି ନିୟନ୍ତ୍ରଣ କରିବା କଥା ତାହା ହେଉନାହିଁ। କର୍ପୋରେଟ ସଂସ୍ଥା ହାଉସ୍‌ମାନେ ଅଧିକା ସାମଗ୍ରୀ ଷ୍ଟକ୍ କରି ରଖୁଛନ୍ତି। ଫଳରେ ଦର ନିୟନ୍ତ୍ରଣ କ୍ଷମତା ଏବେ ସରକାରଙ୍କ ପାଖରେ ରହୁ ନାହିଁ। କର୍ପୋରେଟ ହାଉସ୍ ପାଖରେ ନିୟନ୍ତ୍ରଣ କ୍ଷମତା ରହୁଛି। ବିଭିନ୍ନ ସାମଗ୍ରୀ ଦର ବଜାରରେ ହଠାତ୍ ବୃଦ୍ଧି ପାଉଛି। ପୁଣି ଅଚାନକ ୨ଟଙ୍କା ବା ୩ଟଙ୍କା କମେଇ ବଜାରରେ ଅସ୍ଥିରତା ସୃଷ୍ଟି କରୁଛନ୍ତି କର୍ପୋରେଟ ସଂସ୍ଥା। ଏହା ହେବା ଦ୍ବାରା ଖୁଚୁରା ବ୍ୟବସାୟୀମାନେ କ୍ଷତି ସହୁଛନ୍ତି। ଯଦି ଓଡ଼ିଶାରେ ଡାଲି ଜାତୀୟ ଶସ୍ୟ ଉତ୍ପାଦନ ଉପରେ ସରକାର ଗୁରୁତ୍ବ ନ ଦେବେ ଏବଂ ବଜାରରେ ଦର ନିୟନ୍ତ୍ରଣ ଉପରେ ଗୁରୁତ୍ବ ନ ଦେବେ ତେବେ ଡାଲି ଦର ଆହୁରି ବୃଦ୍ଧି ହେବ।

Leave a Reply

Your email address will not be published. Required fields are marked *