Spread the love

ନୂଆଦିଲ୍ଲୀ : କେନ୍ଦ୍ରରେ କ୍ଷମତାସୀନ ବିଜେପି ଆଜି ଠାରୁ ଆରମ୍ଭ କରିଛି ‘କଂଗ୍ରେସ ଫାଇଲ୍‌ସ’ ଅଭିଯାନ। ‘କଂଗ୍ରେସ ଫାଇଲ୍‌ସ’ ହେଉଛି ଏକ ଭିଡିଓ ସିରିଜ୍। ଏଥିରେ କଂଗ୍ରେସର ଦୁର୍ନୀତିଗୁଡ଼ିକୁ ଦଳ ସ୍ଥାନିତ କରିଛି। ଆଉ ଏହି ଭିଡିଓ ସିରିଜ୍‌ର ପ୍ରଥମ ଅଧ୍ୟାୟକୁ ଆଜି ବିଜେପି ତା’ ଟ୍ୱିଟର ଆକାଉଣ୍ଟରେ ପୋଷ୍ଟ କରିଛି। ତତ୍‌କାଳୀନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ନେତୃତ୍ୱାଧୀନ ଉପା ସରକାରରେ ହୋଇଥିବା ବିଭିନ୍ନ ଦୁର୍ନୀତିକୁ ଏଥିରେ ପ୍ରଦର୍ଶତ କରାଯାଇଛି। ତା’ ମଧ୍ୟରେ ରହିଛି ଟୁଜି ସ୍କାମ, କୋଇଲା ଦୁର୍ନୀତି ଓ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଅନିୟମିତତା।
ଏଥିରେ କୁହାଯାଇଛି, ଉପା ସରକାର ଅମଳରେ ୧.୮୬ ଲକ୍ଷ କୋଟି ଟଙ୍କାର କୋଇଲା ଦୁର୍ନୀତି ଓ ୧.୭୬ ଲକ୍ଷ କୋଟି ଟଙ୍କା ଟୁଜି ଦୁର୍ନୀତି ହୋଇଥିଲା। ମନରେଗାରେ ୧୦ ହଜାର କୋଟି ଟଙ୍କାର ଘୋଟାଲା ହୋଇଥିଲା। ରାଜ୍ୟଗୋଷ୍ଠୀ କ୍ରୀଡ଼ା ଆୟୋଜନରେ ୭୦ ହଜାର କୋଟି ଟଙ୍କାର ଦୁର୍ନୀତି ହୋଇଥିଲା। ସେହିପରି ଇଟାଲୀରୁ ୧୨ଟି ହେଲିକପ୍ଟର କିଣିବା ପାଇଁ ୩୬୨ କୋଟି ଟଙ୍କାର ଲାଞ୍ଚ କାରବାର ହୋଇଥିଲା। ରେଳବାଇ ବୋର୍ଡର ଅଧ୍ୟକ୍ଷ ପଦ ପାଇଁ ୧୨ କୋଟି ଟଙ୍କାର ଲାଞ୍ଚ କାରବାର ହୋଇଥିଲା। ସେତେବେଳେ ଏମିତି ଏକ ସମୟ ଥିଲା ଯେତେବେଳେ ଖବର କାଗଜ ହେଉ ଅବା ନ୍ୟୁଜ ଚ୍ୟାନେଲ ସବୁଠି ଦୁର୍ନୀତି ପ୍ରମୁଖ ଖବର ହୋଇଥିଲା। ଆଉ ଦେଶବାସୀଙ୍କ ମୁଣ୍ଡ ଲଜ୍ଜାରେ ନଇଁ ଯାଉଥିଲା। ଏତେ ସବୁ ଦୁର୍ନୀତି ସତ୍ତ୍ୱେ ତତ୍‌କାଳୀନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ କିଛି ଜାଣିପାରିଲେ ନାହିଁ ବୋଲି କହି ଏହି ଭିଡିଓରେ ତାଙ୍କୁ ତୀବ୍ର ସମାଲୋଚନା କରାଯାଇଛି।
ଏହି ତିନି ମିନିଟର ଭିଡିଓର ପ୍ରାରମ୍ଭରେ କୁହାଯାଇଛି ଯେ ୭୦ ବର୍ଷର ଶାସନ କାଳରେ କଂଗ୍ରେସ ଦେଶବାସୀଙ୍କର ୪୮,୨୦,୬୯,୦୦,୦୦,୦୦୦ ଟଙ୍କା ଲୁଟି ନେଇଛି। ଏହାକୁ ଡକାୟତି କହିଲେ ଅଧିକ ଠିକ୍ ହେବ ବୋଲି ଏଥିରେ କୁହାଯାଇଛି। ଏହି ଟଙ୍କାରେ ଦେଶର ସୁରକ୍ଷା ବ୍ୟବସ୍ଥାଠାରୁ ଆରମ୍ଭ କରି ପ୍ରଗତି ପର୍ଯ୍ୟନ୍ତ ବହୁତ କାର୍ଯ୍ୟ କରାଯାଇପାରିଥା’ନ୍ତା। ଏହି ଟଙ୍କାରେ ୨୪ଟି ଆଇଏନ୍‌ଏସ୍ ବିକ୍ରାନ୍ତ ଯୁଦ୍ଧ ଜାହାଜ, ୩୦୦ଟି ରାଫେଲ ବିମାନ ଓ ୧୦୦୦ଟି ମଙ୍ଗଳ ମିଶନ ହୋଇପାରିଥା’ନ୍ତା। କିନ୍ତୁ କଂଗ୍ରେସ ଦୁର୍ନୀତି ଯୋଗୁ ଦେଶର ପ୍ରଗତି ହୋଇପାରିଲା ନାହିଁ।
‘କଂଗ୍ରେସ ଫାଇଲ୍‌ସ’ ପ୍ରଥମ ଅଧ୍ୟାୟର ଶେଷରେ ଆସନ୍ତା ଅଧ୍ୟାୟ ବା ଦ୍ୱିତୀୟ ଅଧ୍ୟାୟରେ କଂଗ୍ରେସର ଆଉ ଏକ ଦୁର୍ନୀତି ବିଷୟରେ ଦେଖିବାକୁ ମିଳିବ। ସେ ନେଇ ପ୍ରଥମ ଅଧ୍ୟାୟରେ ସମସ୍ୟକ ସୂଚନା ବି ଦିଆଯାଇଛି। ଏଥିରେ କୁହାଯାଇଛି, କଂଗ୍ରେସ ଅର୍ଥାତ୍ ଦୁର୍ନୀତିର ଆଗାମୀ ଅଧ୍ୟାୟରେ ଦେଖିବେ ‘ପେଣ୍ଟିଂର ଦାମ୍‌ ୨ କୋଟି ଟଙ୍କା’। ସେହି ୨ କୋଟି ପାଇଁ ଗାନ୍ଧି ପରିବାର ଧମକ ଚମକ ମଧ୍ୟ ଦେବାକୁ ପଛାଇ ନଥିଲା।

Leave a Reply

Your email address will not be published. Required fields are marked *