Spread the love

ମୁମ୍ବାଇ : ଜେଲରେ ଥିବା ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇ ଏବେ ଉଦ୍ଧବ ଠାକରେଙ୍କ ଶିବସେନାର ସାଂସଦ ସଞ୍ଜୟ ରାଉତଙ୍କୁ ଟାର୍ଗେଟ କରିଛି। ବିଷ୍ଣୋଇ ଗ୍ୟାଙ୍ଗ ପକ୍ଷରୁ ସଞ୍ଜୟ ରାଉତଙ୍କୁ ମିଳିଛି ହତ୍ୟା ଧମକ। ତାଙ୍କୁ ପଞ୍ଜାବୀ ସିଙ୍ଗର ସିଦ୍ଧୁ ମୁସେୱାଲାଙ୍କ ଭଳି ହତ୍ୟା କରାଯିବ ବୋଲି ଗ୍ୟାଙ୍ଗ ପକ୍ଷରୁ କୁହାଯାଇଛି। ଏଥିସହ ତାଙ୍କୁ ହିନ୍ଦୁ ବିରୋଧୀ ବୋଲି ଲରେନ୍ସ ଗ୍ୟାଙ୍ଗ ପକ୍ଷରୁ ଆକ୍ଷେପ କରାଯାଇଛି। ଏନେଇ ସଞ୍ଜୟ ରାଉତ ପୁଲିସ୍‌ରେ ଅଭିଯୋଗ କରିଛନ୍ତି।
ଧମକ ମେସେଜରେ ଗ୍ୟାଙ୍ଗ ପକ୍ଷରୁ କୁହାଯାଇଛି ଯେ “ତୁ ଦିଲ୍ଲୀରେ ଦେଖାଦେ, ତତେ ଏକେ ୪୭ରେ ଉଡ଼ାଇ ଦେବି। ତୋର ବି ମୁସେୱାଲା ଭଳି ଅବସ୍ଥା ହେବ। କେବଳ ସମୟକୁ ଅପେକ୍ଷା କର।”
ଧମକ ମେସେଜ ଦେଇଥିବା ବ୍ୟକ୍ତି ଜଣକ ସାଂସଦ ସଞ୍ଜୟ ରାଉତ ଓ ସଲମାନ ଖାନଙ୍କୁ ମାରିବାକୁ ଖୋଲା ଧମକ ମଧ୍ୟ ଦେଇଛି। ପୂର୍ବରୁ ମଧ୍ୟ ଲରେନ୍ସ ବିଷ୍ଣୋଇ ଓ ତା’ ଗ୍ୟାଙ୍ଗର ସଦସ୍ୟ ଅଭିନେତା ସଲମାନଙ୍କୁ ହତ୍ୟା କରାଯିବ ବୋଲି ଧମକ ଦେଇଥିଲେ। ଏବେ ସେମାନେ ସଲମାନଙ୍କ ସହ ସଞ୍ଜୟ ରାଉତଙ୍କୁ ଟାର୍ଗେଟ କରିଛନ୍ତି।
ଧମକ ସମ୍ପର୍କରେ ପୁଲିସ୍‌ ଅଭିଯୋଗ ପାଇବା ପରେ ତଦନ୍ତ ଆରମ୍ଭ କରିଛି। ପୁଣେ ପୁଲିସ ଶୁକ୍ରବାର ରାତିରେ ଜଣେ ସନ୍ଦିଗ୍ଧକୁ କାବୁ କରିବା ସହ ମୁମ୍ବାଇ ପୁଲିସ୍‌କୁ ହସ୍ତାନ୍ତର କରିଛି। ଏବେ ତା’କୁ ଜେରା କରି ଅଧିକ ତଥ୍ୟ ହାସଲ କରିବାକୁ ଉଦ୍ୟମ କରାଯାଉଛି।
ଅନ୍ୟପକ୍ଷରେ ଧମକପୂର୍ଣ୍ଣ ମେସେଜ ପାଇବା ପରେ ମହାରାଷ୍ଟ୍ରରେ କ୍ଷମତାସୀନ ବିଜେପି ସରକାରକୁ ସଞ୍ଜୟ ରାଉତ ଟାର୍ଗେଟ କରିଛନ୍ତି। ପୂର୍ବରୁ ମଧ୍ୟ ପୁଲିସ୍‌ ଷ୍ଟେସନରେ ତାଙ୍କ ଉପରେ ସମାନ ଧରଣର ଆକ୍ରମଣ କରିବାକୁ ଉଦ୍ୟମ ହୋଇଥିଲା ବୋଲି ସେ ଦାବି କରିଛନ୍ତି। ଗତବର୍ଷ ଅଗଷ୍ଟ ମାସରେ ଇଡି ତାଙ୍କୁ ପାତ୍ରା ଚାଉଳ ଜମି ଦୁର୍ନୀତି ଘଟଣାରେ ଗିରଫ କରିଥିଲା। ସେ ଦୀର୍ଘଦିନ ପରେ ବେଲରେ ମୁକୁଳିଥିଲେ।
ସଞ୍ଜୟ ରାଉତ କହିଛନ୍ତି, “ଏହି ସରକାର(ଏକନାଥ ସିନ୍ଦେ) କ୍ଷମତାକୁ ଆସିବା ପରେ ଆମ କ୍ୟାମ୍ପର ନେତାମାନଙ୍କ ସୁରକ୍ଷା ବ୍ୟବସ୍ଥାକୁ ହ୍ରାସ କରି ଦିଆଯାଇଛି। ଏ ସମ୍ପର୍କରେ ମୁଁ କେବେ ହେଲେ ଅଭିଯୋଗ କରି ନଥିଲି। କିନ୍ତୁ ଏବେ ବାରମ୍ବାର ଆମମାନଙ୍କ ବିରୋଧରେ ଷଡ଼ଯନ୍ତ୍ର ହେବାରେ ଲାଗିଛି। ଆମେ ଗୃହ ମନ୍ତ୍ରଣାଳୟକୁ ଏ ସମ୍ପର୍କରେ ଜଣାଇବାରୁ ସେମାନେ ଏହାକୁ ପ୍ରଚାରର ମାଧ୍ୟମ କହୁଛନ୍ତି।
ଆମେ ସତ ଜାଣିଛୁ। ହେଲେ ଆମେ ନିୟମକୁ ପାଳନ କରିବୁ। ମୁଁ ଧମକ ଓ ବିପଦ ସମ୍ପର୍କରେ ପୁଲିସ୍‌କୁ ଜଣାଇଛି। ମୁଁ କାହାକୁ ଡରେ ନାହିଁ। ଗୃହମନ୍ତ୍ରୀ କ’ଣ କରିବେ? ମୁଁ ଜେଲରେ ଥିବା ବେଳେ ମଧ୍ୟ ସମାନ ପ୍ରକାରର ଧମକ ପାଇଥିଲି।”

ଗତବର୍ଷ ମେ’ ମାସରେ ମୁସେୱାଲାଙ୍କୁ ପଞ୍ଜାବର ମାନସା ଜିଲ୍ଲାରେ ଗୁଳି କରି ହତ୍ୟା କରାଯାଇଥିଲା। ଏହାପୂର୍ବରୁ ତାଙ୍କ ସୁରକ୍ଷା ବ୍ୟବସ୍ଥାକୁ ହ୍ରାସ କରାଯାଇଥିଲା। ଲରେନ୍ସ ବିଷ୍ଣୋଇ ଓ ଗୋଲ୍ଡୀ ବ୍ରାର ଏହି ହତ୍ୟା ପାଇଁ ନିଜକୁ ଦାୟୀ କରିଥିଲେ।

Leave a Reply

Your email address will not be published. Required fields are marked *