Spread the love

ଚେନ୍ନାଇ: ‘ଆଇଆଇଟି-ମାଡ୍ରାସ୍‌’ର ଗବେଷକମାନେ ଅଧ ମିନିଟ୍‌ରେ ଅପମିଶ୍ରିତ ଦୁଗ୍ଧ ଚିହ୍ନଟ କରିପାରୁଥିବା ଗୋଟାଏ କାଗଜଭିତ୍ତିକ ପୋର୍ଟାବଲ୍‌ ‘୩ଡି’ ଉପକରଣ ତିଆରି କରିଛନ୍ତି।
ଅପମିଶ୍ରିତ ଦୁଗ୍ଧ ଚିହ୍ନଟ କରିବା ଲାଗି ଏହି ‘୩ଡି’ ଉପକରଣଟିକୁ ଘରେ ମଧ୍ୟ ଦୈନିକ ବ୍ୟବହାର କରାଯାଇ ପାରିବ। ପ୍ରେସ୍‌ ରିଲିଜ୍‌ ଅନୁସାରେ, ଦୁଗ୍ଧ ଅପମିଶ୍ରଣ ନିମନ୍ତେ ବ୍ୟବହୃତ ୟୁରିଆ, ଡିଟର୍‌ଜେଣ୍ଟ୍‌, ସାବୁନ, ମଣ୍ଡ, ହାଇ‌ଡ୍ରୋଜେନ୍‌ ପେରୋକ୍ସାଇଡ୍‌, ସୋଡିୟମ୍‌-ହାଇଡ୍ରୋଜେନ୍‌-କାର୍ବୋନେଟ୍‌ ଏବଂ ଲୁଣ ଆଦି ଉପାଦାନକୁ ଏହି ଉପକରଣ ଚିହ୍ନଟ କରିପାରିବ।
ଅନ୍ୟାନ୍ୟ ଉପକରଣ ପରି ମହଙ୍ଗା ହୋଇ ନ ଥିବା ଏହି ଉପକରଣ ସୁଲଭ ମୂଲ୍ୟରେ ଉପଲବ୍ଧ ଏବଂ ଦୁଗ୍ଧ ଛଡ଼ା ଏହାକୁ ପାଣି, ଫ୍ରେସ୍‌ ଜୁସ୍‌ ଏବଂ ମିଲ୍‌କ୍‌ସେକ୍‌ ଆଦି ତରଳ ପଦାର୍ଥରେ ଥିବା ଅପମିଶ୍ରିତ ଦ୍ରବ୍ୟ ମଧ୍ୟ ଚିହ୍ନଟ କରାଯାଇ ପାରିବ। ପରୀକ୍ଷା ନିମନ୍ତେ ଉକ୍ତ ତରଳ ପଦାର୍ଥରୁ ମାତ୍ର ୧ ‘ମିଲିଲିଟର୍‌’ ନମୁନା ଯଥେଷ୍ଟ।
ଏହି ଗବେଷଣାର ନେତୃତ୍ବ ନେଇଥିଲେ ‘ଆଇଆଇଟି-ମାଡ୍ରାସ୍‌’ର ମେକାନିକାଲ୍‌ ଇଞ୍ଜିନିୟରିଙ୍ଗ୍‌ ବିଭାଗର ସହକାରୀ ପ୍ରଧ୍ୟାପକ ଡକ୍ଟର୍‌ ପଲ୍ଲବ ସିହ୍ନା। ରିସର୍ଚ ସ୍କୋଲାର୍‌ ଥିଲେ ଶୁଭାଶିଷ ପଟାରି, ଡକ୍ଟର୍‌ ପ୍ରିୟଙ୍କା ଦତ୍ତ। ମିଳିତ ଭାବେ ସେମାନେ ଏହି ‘ରିସର୍ଚ ପେପର୍‌’ ପ୍ରସ୍ତୁତ କରିଛନ୍ତି।
ଡକ୍ଟର୍‌ ସିହ୍ନା କହିଛନ୍ତି ଯେ, ଏହି ଉପକରଣଟି ତରଳ ଖାଦ୍ୟ ସୁରକ୍ଷା ତନଖି କରିବାରେ ସହାୟକ ହେବ। ସହରାଞ୍ଚଳଠାରୁ ଦୂରବର୍ତ୍ତୀ ଅଞ୍ଚଳରେ ମଧ୍ୟ ଅପମିଶ୍ରିତ ଦୁଗ୍ଧ ଯାଞ୍ଚ କରିବାରେ ଏହାର ଚାହିଦା ବଢ଼ିବ।

 

 

Leave a Reply

Your email address will not be published. Required fields are marked *