Spread the love

ଭୁବନେଶ୍ବର: ଆଜି ବିଧାନସଭାର ପ୍ରଶ୍ନକାଳରେ ଶିଳ୍ପ ବିଭାଗର ଆଲୋଚନା ବେଳେ କଂଗ୍ରେସ ବିଧାୟକ ସୁରେଶ କୁମାର ରାଉତରାୟ କହିଛନ୍ତି, ମୁଖ୍ୟମନ୍ତ୍ରୀ ପୁଞ୍ଜି ଆଣିବାକୁ ବିଭିନ୍ନ ସ୍ଥାନକୁ ଯାଉଛନ୍ତି। ଦିଲ୍ଲୀରୁ ନେଇ ବାଙ୍ଗାଲୋର ଓ ଦୁବାଇ ଯାଉଛନ୍ତି ଏବେ କଣ ଜାପାନ ଯାଉଛନ୍ତି। ବୋଧେ ଦେହ ଦେଖାଇବାକୁ ଯାଉଛନ୍ତି। ମୁଁ ଯାଉନି ସେ ଦିଗକୁ। କିନ୍ତୁ ମୁଖ୍ୟମନ୍ତ୍ରୀ ଯେଉଁଠାକୁ ଯାଉଛନ୍ତି, ସେଠୁ କେତେ ପୁଞ୍ଜି ଆସୁଛି?
ଏଣେ ବିଧାନସଭାର ପ୍ରଶ୍ନକାଳ ରେ ଶିଳ୍ପ ମନ୍ତ୍ରୀ ପ୍ରତାପ କେଶରୀ ଦେବ କହିଛନ୍ତି, ଆମେ ଜାପାନ ଯାଉଛୁ। ଓଡ଼ିଶାକୁ ଅଧିକ ପୁଞ୍ଜିନିବେଶ ଆଣିବା ପାଇଁ ଆମେ ଜାପାନ ଯାଉଛୁ। ଦୁବାଇ ଇନଭେସ୍ଟ ମିଟରେ ୨୨ ହଜାର କୋଟିର ପୁଞ୍ଜି ନିବେଶ ପ୍ରସ୍ତାବ ଆସିଥିଲା। ଜାପାନରେ ତାହାଠାରୁ ଅଧିକ ହେବ ବୋଲି ଆଶା ରଖିଛୁ।
ସେ ଆହୁରି କହିଛନ୍ତି, କେନ୍ଦ୍ର ପକ୍ଷରୁ ବିଭିନ୍ନ ଦେଶର ରାଷ୍ଟ୍ରଦୂତଙ୍କ ସହ ଆଲୋଚନା ହୁଏ। ବାଣିଜ୍ୟ ଓ ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ଯୋଗାଯୋଗ ରହିଥାଏ।
ଯେଉଁ ଦେଶ ଆଗ୍ରହ ଦେଖାଏ, ସେହି ଦେଶକୁ ଟିମ୍ ଯାଏ। ଜାପାନ, ଜର୍ମାନୀ, ନରୱେ ଓ ନେପାଳ ଆଗ୍ରହ ଦେଖାଇଛନ୍ତି। ଓଡ଼ିଶାରେ ପୁଞ୍ଜିନିବେଶ ପାଇଁ ଏହି ସବୁ ଦେଶ ଆଗ୍ରହୀ। ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ ଟିମ୍ ଜାପାନ ଯାଉଛନ୍ତି। ଏହି ଟିମ୍ ରେ ଶିଳ୍ପପତି ଅଛନ୍ତି। ଏପ୍ରିଲ ୨ରେ ଯିବେ।୫,୬,୭,୮ ତାରିଖ ବିଭିନ୍ନ ପୁଞ୍ଜିନିବେଶକାରୀଙ୍କ ସହିତ ଆଲୋଚନା ହେବ। ମେକ ଇନ୍ ଓଡ଼ିଶା ଭଳି ରୋଡ ସୋ ହେବ। ଓଡ଼ିଶାରେ କଣ ଶିଳ୍ପର ବାତାବରଣ ଅଛି କହିବେ। ଇଚ୍ଛୁକ ପୁଞ୍ଜିନିବେଶକାରୀଙ୍କ ସହ ଆଲୋଚନା କରିବେ। ଅଧିକ ପୁଞ୍ଜିନିବେଶ କିଭଳି ଆସିବ ସେ ନେଇ ଆମେ କାର୍ଯ୍ୟରତ।

Leave a Reply

Your email address will not be published. Required fields are marked *