Spread the love

ଭୁବନେଶ୍ବର: ଗତ ୧୦ ତାରିଖରେ ଝିଅର ବାହାଘର କରିଥିଲେ। ପରଂପରା ଅନୁସାରେ ବାହାଘରକୁ ଆସିଥିବା ସ୍ବତନ୍ତ୍ର ଅତିଥିମାନଙ୍କୁ ଲୁଗା ଦେବାକୁ ମନସ୍ଥିର କରିଥିଲେ। ଏଥି ପାଇଁ ଭୁବନେଶ୍ବରକୁ ଲୁଗା କିଣିବାକୁ ଆସିଥିଲେ। କିନ୍ତୁ ଲୁଗା କିଣିବା ପୂର୍ବରୁ ପାଖରେ ରଖିଥିବା ୫୦ ହଜାର ଟଙ୍କା ‘ମୋ ବସ୍‌’ରେ ମଙ୍ଗଳବାର ଲୁଟ୍‌ ହୋଇଥିବା ନେଇ ଜଣେ ବ୍ୟକ୍ତି ଚନ୍ଦ୍ରଶେଖରପୁର ଥାନାରେ ଅଭିଯୋଗ ହୋଇଛି। ଚୋରିର ଶିକାର ହୋଇଛନ୍ତି କଟକ ଜିଲ୍ଲା ବାଙ୍କୀ ଥାନା ଅନ୍ତର୍ଗତ ବଡ଼ପଦନପୁର ଗ୍ରାମର ରାଜକିଶୋର ଜେନା। ‘ମୋ ବସ୍‌’ରେ ଟଙ୍କା ଚୋରି ହେଲା ପରେ ଦୁଃଖରେ ଭାଙ୍ଗିପଡ଼ି ପୁଲିସ ଆଗରେ ରାଜକିଶୋର ଗୁହାରି କରିଛନ୍ତି।
ଚନ୍ଦ୍ରଶେଖରପୁର ଥାନାରେ ହୋଇଥିବା ଅଭି‌ଯୋଗ ଅନୁସାରେ ରାଜକିଶୋର ତାଙ୍କ ପରିବାର ସହିତ ଏକ ବସ୍‌ରେ ବାଙ୍କୀରୁ ଆସି ତ୍ରିଶୂଳିଆ ନିକଟରେ ଓହ୍ଲାଇଥିଲେ। ସେଠାରୁ ସେମାନେ ଭୁବନେଶ୍ୱର ଆସିବା ପାଇଁ ‘ମୋ ବସ୍‌’ରେ ଚଢ଼ିଥିଲେ। ହେଲେ ଗନ୍ତବ୍ୟସ୍ଥଳରେ ଓହ୍ଲାଇପୂର୍ବରୁ ସେ ତାଙ୍କ ପକେଟରେ ହାତ ମାରିବାରୁ ଟଙ୍କା ନଥିବା ଜାଣିବାକୁ ପାଇଥିଲେ। ସେ ଘଟଣା ସଂପର୍କରେ ବସ୍‌ କର୍ମଚାରୀଙ୍କୁ କହିଥିଲେ। ବସ୍ କର୍ମଚାରୀ ବସ୍‌ରେ ଥିବା ସମସ୍ତ ଯାତ୍ରୀଙ୍କୁ ଯାଞ୍ଚ କରିଥିଲେ। ହେଲେ ଟଙ୍କା ମିଳି ନଥିଲା। ଏହା ପରେ ରାଜକିଶୋର ଜେନା ଚନ୍ଦ୍ରଶେଖରପୁର ଥାନାକୁ ଯାଇ ଏତଲା ଦେଇଥିଲେ।

ସୂଚନାଯୋଗ୍ୟ, ‘ମୋ ବସ୍‌’ ସାଧାରଣ ଯାତ୍ରୀଙ୍କୁ ଯେତିକି ସୁବିଧା ଯୋଗଉଛି, ତା’ଠାରୁ ଅଧିକ ଯନ୍ତ୍ରଣା ମଧ୍ୟ ଦେଉଛି। ‘ମୋ ବସ୍‌’ରୁ ବାରମ୍ବାର ଚୋରି ହେଉ ଥିବା ଅଭିଯୋଗ ହେଉଛି। କେତେବେଳେ ମୋବାଇଲ ତ କେତେବେଳେ ଟଙ୍କା ଚୋରି ହେଉଛି। ଗତ ବର୍ଷ ଜଣେ କ୍ୟାନସର ରୋଗୀଙ୍କ ଠାରୁ ୪୨ ହଜାର ଟଙ୍କା ଚୋରି ହୋଇଥିବା ନେଇ ଅଭିଯୋଗ ହୋଇଥିଲା। ବସ୍‌ରେ ସିଟ୍‌ ପୂର୍ଣ୍ଣ ହେବା ପରେ ବହୁ ଯାତ୍ରୀ ଛିଡ଼ା ହେଉଛନ୍ତି। ଅତ୍ୟଧିକ ଭିଡ଼ ଯୋଗୁ ଅନେକ ସମୟରେ ଚୋରି ହେଉଛି। ଗତବର୍ଷ ଡିସେମ୍ବର ମାସରେ କମିଶନରେଟ୍ ପୁଲିସ୍ ୭ ଜଣିଆ ଲୁଟେରା ଗ୍ୟାଙ୍ଗକୁ ଧରିଥିଲା। ସେମାନେ କୃତ୍ରିମ ଭିଡ଼ ସୃଷ୍ଟି କରି ମୋ ବସ୍‌ ରୁ ଲୁଟ୍ କରୁଥିବା ଜଣାପଡ଼ିଥିଲା।

Leave a Reply

Your email address will not be published. Required fields are marked *