Spread the love

ନୂଆଦିଲ୍ଲୀ: ସଂପ୍ରତି ନେପାଳରେ ଆତ୍ମଗୋପନ କରିିଥିବା ପଳାତକ ଉଗ୍ରବାଦୀ ପ୍ରଚାରକ ଅମୃତପାଲ ସିଂହଙ୍କୁ ତୃତୀୟ ଦେଶକୁ ପଳାୟନ କରିବାକୁ ଅନୁମତି ନଦେବାକୁ ଭାରତ ନେପାଳ ସରକାରଙ୍କୁ ଅନୁରୋଧ କରିଛି। ଭାରତୀୟ ପାସପୋର୍ଟ କିମ୍ବା ଅନ୍ୟ କୌଣସି ନକଲି ପାସପୋର୍ଟ ବ୍ୟବହାର କରି ପଳାତକ ଉଗ୍ରବାଦୀ ପ୍ରଚାରକ ଅମୃତପାଲ ସିଂହ ନେପାଳରୁ ପଳାୟନ କରିବାକୁ ଚେଷ୍ଟା କରୁଥିବା ଭାରତ ସରକାର ନେପାଳକୁ ଜଣାଇଛନ୍ତି।
କାଠମାଣ୍ଡୁ ପୋଷ୍ଟ ଖବରକାଗଜର ରିପୋର୍ଟ ଅନୁଯାୟୀ କାଠମାଣ୍ଡୁସ୍ଥିତ ଭାରତୀୟ ଦୂତାବାସ ଶନିବାର କନ୍‌ସୁଲାର ସର୍ଭିସ ବିଭାଗକୁ ପଠାଇଥିବା ଏକ ଚିଠିରେ ସିଂହଙ୍କୁ ନେପାଳରୁ ପଳାୟନ କରିବାକୁ ଚେଷ୍ଟା କଲେ ତାଙ୍କୁ ଗିରଫ କରିବାକୁ ସରକାରୀ ଏଜେନ୍‌ସିଗୁଡ଼ିକୁ ଅନୁରୋଧ କରିଛି। ମିଳିଥିବା ଚିଠିର ଏକ କପି ଦର୍ଶାଇ ଖବରକାଗଜ କହିଛି, ସିଂହ ଏବେ ନେପାଳରେ ଲୁଚି ରହିଛନ୍ତି।
ଅମୃତପାଲ ସିଂହଙ୍କୁ କୌଣସି ତୃତୀୟ ଦେଶକୁ ନେପାଳ ଦେଇ ଯିବାକୁ ଅନୁମତି ଦିଅନ୍ତୁ ନାହିଁ ଏବଂ ଯଦି ଅମୃତପାଲ ସିଂହ ଭାରତୀୟ ପାସପୋର୍ଟ କିମ୍ବା ଅନ୍ୟ କୌଣସି ନକଲି ପାସପୋର୍ଟ ବ୍ୟବହାର କରି ନେପାଳରୁ ପଳାୟନ କରିବାକୁ ଚେଷ୍ଟା କରନ୍ତି ତେବେ ତାଙ୍କୁ ଗିରଫ କରିବାକୁ ବୈଦେଶିକ ମନ୍ତ୍ରାଳୟର ଇମିଗ୍ରେସନ ବିଭାଗକୁ ଜଣାଇବାକୁ ଅନୁରୋଧ କରାଯାଇଛି।
ଏହି ଚିଠି ଏବଂ ସିଂହଙ୍କ ବ୍ୟକ୍ତିଗତ ବିବରଣୀ ହୋଟେଲ ଠାରୁ ଆରମ୍ଭ କରି ଏୟାରଲାଇନ୍‌ସ ପର୍ଯ୍ୟନ୍ତ ସମସ୍ତ ସଂପୃକ୍ତ ଏଜେନ୍‌ସିକୁ ପ୍ରଦାନ କରାଯାଇଛି ବୋଲି ଖବରକାଗଜ ଏକାଧିକ ସୂତ୍ରରୁ ପ୍ରକାଶ କରିଛି। ଭିନ୍ନ ଭିନ୍ନ ପରିଚୟ ଥିବା ଏକାଧିକ ପାସପୋର୍ଟ ଥିବା କୁହାଯାଉଥିବା ସିଂହ ଗତ ମାର୍ଚ୍ଚ ୧୮ ତାରିଖରୁ ଫେରାର ଥିବା ବେଳେ ପୁଲିସ ତାଙ୍କ ବିରୋଧରେ ଚଢ଼ଉ ଆରମ୍ଭ କରିଥିଲା। ପଞ୍ଜାବର ଜଳନ୍ଧର ଜିଲ୍ଲାରେ ତାଙ୍କ ଗାଡ଼ିକୁ ଅଟକାଇବା ପରେ ସେ ପୁଲିସକୁ ଚକ୍‌ମା ଦେଇ ଫେରାର ହୋଇ ଯାଇଥିଲେ।

Leave a Reply

Your email address will not be published. Required fields are marked *