Spread the love

ନୂଆଦିଲ୍ଲୀ : ଏକ ପୁରୁଣା ଟ୍ୱିଟ୍‌କୁ ନେଇ ବିବାଦରେ ଫସିଛନ୍ତି ବିଜେପି ନେତ୍ରୀ ଖୁସବୁ ସୁନ୍ଦର। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ୍ କରି କିଛି ବର୍ଷ ତଳେ ବିଜେପି ନେତ୍ରୀ ଏକ ଟ୍ୱିଟ୍ କରିଥିଲେ। ତାହା ଏବେ ସୋଶାଲ ମିଡିଆରେ ଭାଇରାଲ ହେବାକୁ ଲାଗିଛି। ଏଥିସହ ଏହାକୁ ନେଇ ତାଙ୍କୁ ବିରୋଧୀ ଜୋରଦାର ଟାର୍ଗେଟ୍ କରିଛନ୍ତି।
ପ୍ରକୃତରେ କଂଗ୍ରେସ ସାଂସଦ ଥିବା ବେଳେ ୨୦୧୮ ଫେବ୍ରୁଆରୀ ୧୫ରେ ଖୁସବୁ ସୁନ୍ଦର ‘ମୋଦି ଉପନାମ’କୁ ନେଇ ଏକ ଟ୍ୱିଟ୍ କରିଥିଲେ। ସେ ଏଥିରେ କହିଥିଲେ, ‘ଏଠାରେ ମୋଦି, ସେଠାରେ ମୋଦି ଯେଉଁଠି ଦେଖ ମୋଦି। କିନ୍ତୁ ମୋଦି ଅର୍ଥ କ’ଣ? ମୋଦି ଆଗରେ ଭ୍ରଷ୍ଟାଚାର ସାଙ୍ଗିଆ ଯୋଡି ହୋଇଛି। ତେଣୁ, ଏ କଥା ଅବୁଝା ନୁହେଁ ଯେ, ମୋଦିର ଅର୍ଥ ଭ୍ରଷ୍ଟାଚାର। ନମୋ ଅର୍ଥ ଦୁର୍ନୀତି ବା ଭ୍ରଷ୍ଟାଚାର।’
‘ମୋଦି’ ସାଙ୍ଗିଆ ଉପରେ ମନ୍ତବ୍ୟ ଦେଇ ରାହୁଲ୍ ଗାନ୍ଧୀ ସଂସଦରୁ ସଦସ୍ୟତା ପଦ ହରାଇଥିବା ବେଳେ ଖୁସ୍‌ବୁଙ୍କର ଏହି ପୁରୁଣା ଟୁଇଟ୍‌କୁ ଟାର୍ଗେଟ୍ କରି କଂଗ୍ରେସ କର୍ମୀମାନେ ବର୍ଷିଛନ୍ତି। କଂଗ୍ରେସ ସାଂସଦ ଶଶୀ ଥରୁର୍ ଟୁଇଟ୍ କରି ଲେଖିଛନ୍ତି, ସେ ଟୁଇଟ୍ ବେଶୀ ପୁରୁଣା ହୋଇନାହିଁ। କିନ୍ତୁ ଏକଥା ସୁନିଶ୍ଚିତ ଯେ, ବିଜେପିର ବିଧାୟକମାନେ ସେମାନଙ୍କର ନିଜ ମୁଖପାତ୍ରୀଙ୍କ ନାଁରେ ମାମଲା ରୁଜୁ କରିବେ ନାହିଁ।
ତେବେ ଏହି ଟାର୍ଗେଟ୍‌କୁ ନେଇ ବିଜେପି ନେତ୍ରୀ ଖୁସବୁ ସୁନ୍ଦର ପ୍ରତିକ୍ରିୟା ରଖିଛନ୍ତି। ସେ ବିରୋଧୀ ଦଳକୁ ପାଲଟା ଜବାବ ଦେଇଛନ୍ତି। ସେ କହିଛନ୍ତି, ବିରୋଧୀ ଦଳ କେତେ ହତାଶ ହୋଇପଡିଛି, ତାହା ଏଥିରୁ ଜଣାପଡୁଛି। ସେତେବେଳେ ସେ ନେତାଙ୍କ କଥା କହୁଥିଲେ। କାରଣ ତାଙ୍କୁ ସେମିତି କହିବାକୁ ନିର୍ଦ୍ଦେଶ ଥିଲା। ୫ ବର୍ଷର ପୁରାତନ ଏହି ସୋଶାଲ ମିଡିଆ ପୋଷ୍ଟ୍‌କୁ ସେ ଡିଲିଟ୍ କରିନାହାନ୍ତି କି, କରିବେ ନାହିଁ ବୋଲି କହିଛନ୍ତି। ୨୦୨୦ରେ କଂଗ୍ରେସ ଛାଡି କରି ବିଜେପିରେ ଯୋଗ ଦେଇଥିଲେ ଖୁସବୁ ସୁନ୍ଦର।

Leave a Reply

Your email address will not be published. Required fields are marked *