Spread the love

କଟକ : ଆପଣମାନେ ଫୁଲର ସହର କଥା ଶୁଣିଥିବେ। କେବେ ଫୁଲର ଗାଁ କଥା ଶୁଣିଛନ୍ତି? ଆଜି ଆପଣଙ୍କୁ କହୁଛୁ ଫୁଲର ଗାଁ କଥା। ଯେଉଁଠି ଗ୍ରାମବାସୀମାନେ ପାରମ୍ପାରିକ ଚାଷ ସହ ବିଭିନ୍ନ ରକମର ଫୁଲ ଚାଷ କରିଥାନ୍ତି। ଗାଁର ପରିବେଶ ସହ ଚାରିଆଡ଼େ ଦେଖିବାକୁ ମିଳିଥାଏ ଫୁଲର ପସରା। ଯେଉଁ ଆଡ଼େ ଦେଖିବ ଖାଲି ବିଭିନ୍ନ ରକମ ଫୁଲ। ଯାହା ମନକୁ ମୋହିତ କରିବା ସହ ହୃଦୟକୁ ଶାନ୍ତି ଦେଇଥାଏ।

Flower_1679461223
ଏପରି ଗାଁ ହେଉଛି କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକର ସାଧୁସାହି ଓ ବ୍ରାହ୍ମଣଭୂଇଁ ଗାଁ। ଲାଗିଲାଗି ରହିଥିବା ଏହି ଦୁଇଟି ଗାଁ ଯେମିତି ଫୁଲରେ ଭରପୂର।ଘରଦ୍ୱାର, ବାଡ଼ି ବଗିଚା, କ୍ଷେତ ବାଡ଼ି ଯୁଆଡେ ଦେଖିବେ ଖାଲି ଫୁଲ ଆଉ ଫୁଲ। ଗାଁ ଭିତରକୁ ଗଲେ ଗାଁକୁ ନୁହେଁ ବରଂ ଗୋଟେ ସୁନ୍ଦର ବଗିଚାକୁ ପଶିଯିବା ଭଳି ଲାଗିବ।
ଖାଲି କ୍ଷେତବାଡି କାହିଁକି।ଏ ଗାଁର ଲୋକମାନେ ନିଜ ଘର ଆଉ ବାଡ଼ି ବଗିଚାକୁ ମଧ୍ୟ ଏଭଳି ଫୁଲରେ ସଜେଇଛନ୍ତି ନିଜ ଆଖିରେ ନ ଦେଖିଲେ ବିଶ୍ୱାସ କରି ହେବନି। କ୍ଷେତରେ ଗୋଲାପ, ଗେଣ୍ଡୁ, ରଜନୀ ଗନ୍ଧା, ଡାଲିଆ ସହ ବିଭିନ୍ନ ରକମର ଭଳିକିଭଳି ଫୁଲ ଦେଖିବାକୁ ମିଳିଥାଏ।
ବର୍ଷସାରା ଏଠାକାର ଚାଷୀମାନେ ଫୁଲ ଚାଷକୁ ହିଁ ନିଜର ରୋଜଗାରର ପ୍ରମୁଖ ମାଧ୍ୟମ କରି ଭଲ ଦୁଇ ପଇସା ରୋଜଗାର କରନ୍ତି।ଏଥିରେ ମହିଳାମାନେ ମଧ୍ୟ ସହଯୋଗ କରିଥାନ୍ତି। ପ୍ରତିଦିନ ଗ୍ରାମବାସୀମାନେ କ୍ଷେତରୁ ଫୁଲ ସଂଗ୍ରହ କରି ଆଉ ସେ ସବୁକୁ ପ୍ୟାକିଂ କରି ବଜାରରେ ବିକ୍ରି କରିଥାନ୍ତି। ଗାଁର ଶିକ୍ଷିତ ଯୁବକମାନେ ଚାକିରି ପଛରେ ନପଡ଼ି ଏହି ଚାଷକୁ ଆପଣେଇ ଭଲ ରୋଜଗାର କରୁଛନ୍ତି।ଫୁଲ ଚାଷ କରି ଏ ଅଞ୍ଚଳର ଚାଷୀ ବେଶ ସମୃଦ୍ଧ ଆଉ ସ୍ୱାବଲମ୍ବୀ ଅଟନ୍ତି।
ଫୁଲଚାଷୀ ନୃସିଂହ ମିଶ୍ର କହିଛନ୍ତି, ୧୯୯୪ ମସିହାରୁ ଆମେ ଫୁଲ ଚାଷ ଆରମ୍ଭ କଲୁଣି। ୪୦ରୁ ୫୦ ପରିବାର ଆମେ ଫୁଲ ଚାଷ କରୁଛୁ। ଫୁଲ ଚାଷରେ ଅଧିକ ଦୁଇ ପଇସା ଲାଭ ହେଉଛି। ସମସ୍ତ ଚାଷୀ ପାରମ୍ପରିକ ଚାଷ କରିବା ସହ ଫୁଲ ଚାଷ କରିବା ଆବଶ୍ୟକ।

Flower_1679461647
ଗାଁର ଜଣେ ଯୁବକ କହିଛନ୍ତି, ମୁଁ ରେଡିଓ ଗ୍ରାଫର ଭାବେ ଚାକିରି କରିଥିଲି। ଚାକିରି ଛାଡ଼ି ମୁଁ ଫୁଲ ଚାଷ କରୁଛି, ଭଲ ଦୁଇ ପଇସା ରୋଜଗାର ହେଉଛି। ଯୁବପିଢ଼ୀମାନେ ଚାକିରି ପଛରେ ନ ଗୋଡ଼ାଇ ଚାଷ କରି ନିଜେ ସ୍ୱାବଲମ୍ବୀ ହେବା ଆବଶ୍ୟକ।
ଗାଁର ଜଣେ ମହିଳା କହିଛନ୍ତି, ଆମେ ଫୁଲ ଚାଷ ଦୁଇ ପଇସା ରୋଜଗାର କରିପାରୁଛୁ। ଗାଁକୁ ବେପାରୀମାନେ ଆସି ଫୁଲ ନେଇ ଯାଉଛନ୍ତି।

Leave a Reply

Your email address will not be published. Required fields are marked *