Spread the love

କଟକ : ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ବାରା ପରିଚାଳିତ ମାଟ୍ରିକ୍‌ ପରୀକ୍ଷାର ସାମାଜିକ ବିଜ୍ଞାନ ବିଷୟର ଅବ୍‌ଜେକ୍ଟିଭ୍ ପ୍ରଶ୍ନପତ୍ରରେ ଗୁରୁତର ମୁଦ୍ରଣଜନିତ ତ୍ରୁଟି ପରିଲକ୍ଷିତ ହୋଇଛି। ଏଭଳି ତ୍ରୁଟିକୁ ନେଇ ପରୀକ୍ଷାର୍ଥୀ, ଅଭିଭାବକ, ଶିକ୍ଷାବିତ୍‌ଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।
ସୂଚନା ଅନୁଯାୟୀ ମାଟ୍ରିକ୍ ସାମାଜିକ ବିଜ୍ଞାନର ୪ଟି ସେଟ୍‌ ପ୍ରଶ୍ନପତ୍ର ମଧ୍ୟରୁ ଅବ୍‌ଜେକ୍ଟିଭ୍‌ ସେଟ୍‌-ବି ପ୍ରଶ୍ନପତ୍ରରେ ସେଟ୍‌-ଏର କିଛି ପ୍ରଶ୍ନ ପଡ଼ିଛି। ୧୬ ପୃଷ୍ଠା ବିଶିଷ୍ଟ ସେଟ୍‌-ବି ପ୍ରଶ୍ନପତ୍ରରେ ସେଟ୍‌-ଏର ୮ପୃଷ୍ଠା (ପୃଷ୍ଠା ନଂ-୨, ୩, ୬, ୭, ୧୦, ୧୧, ୧୪, ୧୫)ର ପ୍ରଶ୍ନ ରହିଥିବା ବେଳେ ଅବଶିଷ୍ଟ ପୃଷ୍ଠା (ପୃଷ୍ଠା ନଂ-୧, ୪, ୮, ୯,୧୨, ୧୩, ୧୬) ପ୍ରଶ୍ନ ସେଟ୍-ବିର ରହିଛି। ପରୀକ୍ଷା ହଲ୍‌ରେ ପ୍ରଶ୍ନପତ୍ର ବଣ୍ଟନ ପରେ ଯେଉଁ ପିଲାମାନେ ଏହାକୁ ବୁଝି, ଦାୟିତ୍ବରେ ଥିବା ପରୀକ୍ଷକଙ୍କୁ ଅଭିଯୋଗ କଲେ, ସେ କ୍ଷେତ୍ରରେ ପ୍ରଶ୍ନପତ୍ର ସେଟ୍‌ର ପରିବର୍ତ୍ତନ କରି ସେମାନଙ୍କୁ ଦିଆଯାଇଥିଲା। କିନ୍ତୁ, ଅନେକ ପିଲା ଏଭଳି ତ୍ରୁଟିକୁ ବୁଝି ନ ପାରି ପରୀକ୍ଷା ଦେଇଥିବା ସୂଚନା ମିଳିଛି। ସବୁଠୁ ବଡ଼ ସମସ୍ୟା ହେଉଛି, ଏହାର ଉତ୍ତର ଛାତ୍ରଛାତ୍ରୀମାନେ ଓଏମ୍‌ଆର୍‌ ଫର୍ଦ୍ଦରେ ଦେଇଛନ୍ତି ଓ ଏହା କମ୍ପ୍ୟୁଟର ଦ୍ବାରା ମୂଲ୍ୟାୟନ କରାଯିବ।
ତେଣୁ ସେଟ୍‌-ବିର ଉତ୍ତରଫର୍ଦ୍ଦ ମୂଲ୍ୟାୟନ ବେଳେ ସେଟ୍‌-ଏର ଠିକ୍‌ ଉତ୍ତରକୁ କମ୍ପ୍ୟୁଟର କିଭଳି ଗ୍ରହଣ କରିବ, ତାହାକୁ ନେଇ ପିଲାମାନେ ସନ୍ଦେହରେ ରହିଛନ୍ତି।
ଏ ସଂକ୍ରାନ୍ତରେ ବୋର୍ଡ ସଭାପତି ରାମାଶିଷ ହାଜରା କହିଛନ୍ତି ଯେ ପ୍ରଶ୍ନପତ୍ରରେ ମୁଦ୍ରଣ ଜନିତ ତ୍ରୁଟି ଦେଖା ‌ଦେଇଛି। ବହୁ କମ୍ ସଂଖ୍ୟକ ପିଲାଙ୍କ‌ ସେଟ୍‌ରେ ଏଭଳି ତ୍ରୁଟି ରହିଛି। ଏହାକୁ ନେଇ ପୁନଃ ପରୀକ୍ଷାର ଆବଶ୍ୟକତା ନାହିଁ। ଅଭିଭାବକମାନେ ଏହାକୁ ନେଇ ଚିନ୍ତିତ ହୁଅନ୍ତୁ ନାହିଁ, ଛାତ୍ରଛାତ୍ରୀଙ୍କୁ ନ୍ୟାୟ ଦେବା ଦିଗରେ ପଦକ୍ଷେପ ନିଆଯିବ ବୋଲି ଶ୍ରୀ ହାଜରା କହିଛନ୍ତି।
ଅନ୍ୟପଟେ ଉପସଭାପତି ଡକ୍ଟର ନିହାର ରଞ୍ଜନ ମହାନ୍ତି କହିଛନ୍ତି ଯେ, ସାମାଜିକ ବିଜ୍ଞାନରେ ଅବ୍‌ଜେକ୍ଟିଭ୍ ପ୍ରଶ୍ନପତ୍ରର ସେଟ୍‌-ବିରେ ସେଟ୍‌-ଏର କିଛି ପ୍ରଶ୍ନ ରହିଛି। ଏହା ଏକ ମୁଦ୍ରଣଜନିତ ତ୍ରୁଟି। ଏହାଦ୍ବାରା ସେଟ୍‌-ବିରେ ଅନେକ ପ୍ରଶ୍ନର ପୁନରାବୃତ୍ତି ହୋଇଛି। ଏଥିପାଇଁ ବୋର୍ଡ କର୍ତ୍ତୃପକ୍ଷ ସଜାଗ ଅଛନ୍ତି। ମୂଲ୍ୟାୟନ ସମୟରେ ପିଲାଙ୍କ ସ୍ବାର୍ଥକୁ ଗୁରୁତ୍ବ ଦେଇ ସତର୍କତାର ସହ ଓଏମ୍ଆର୍‌ ଉତ୍ତରଫର୍ଦ୍ଦ ମୂଲ୍ୟାୟନ କରାଯିବ। ଯେପରି କୌଣସି ଛାତ୍ରଛାତ୍ରୀ ଉପେକ୍ଷିତ ହେବେ ନାହିଁ, ସେହିଭଳି ପଦକ୍ଷେପ ନିଆଯିବ ବୋଲି ଉପସଭାପତି ଡକ୍ଟର ମହାନ୍ତି କହିଛନ୍ତି।
ଅନ୍ୟପକ୍ଷରେ, ଆଜି ମାଟ୍ରିକ ଓ ମୁକ୍ତବିଦ୍ୟାଳୟ ପରୀକ୍ଷାରେ ଅସାଧୁ ଉପାୟ ଅବଲମ୍ବନ କରି ମୋଟ ୯୨ଜଣ ପରୀକ୍ଷାର୍ଥୀ ଏମ୍‌ପି ହୋଇଛନ୍ତି। ସେହିପରି ରାଜ୍ୟର ବିଭିନ୍ନ ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଆଜି ମାଟ୍ରିକ୍‌ରେ ୧୬ହଜାରରୁ ଅଧିକ, ମଧ୍ୟମାରେ ୫ଶହରୁ ଅଧିକ ଓ ରାଜ୍ୟ ମୁକ୍ତ ବିଦ୍ୟାଳୟ ପରୀକ୍ଷାରେ ୬ଶହରୁ ଅଧିକ ପରୀକ୍ଷାର୍ଥୀ ଅନୁପସ୍ଥିତ ରହିଛନ୍ତି।

Leave a Reply

Your email address will not be published. Required fields are marked *