Spread the love

ଭୁବନେଶ୍ବର : ମନ୍ତ୍ରୀ ବଡ଼ ନା ଅଫିସର୍? ମୁଖ୍ୟ ଶାସନ ସଚିବଙ୍କ ସହ ମନ୍ତ୍ରୀ ରୀତା ସାହୁଙ୍କ ଏକ ଫଟୋକୁ ନେଇ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଆପତ୍ତି ଉଠାଇଲା ପରେ ଆରମ୍ଭ ହୋଇଥିଲା ଝଡ଼। ଏହି ଝଡ଼ ଏପରି ବହିଲା ଯେ ଅର୍ଥ ମନ୍ତ୍ରୀ ନିରଞ୍ଜନ ପୂଜାରୀ ବି ତାହା ଭିତରକୁ ଟାଣି ହୋଇଗଲେ। ବିରୋଧୀ ଦଳ ଓ ଶାସକ ଦଳ ପରସ୍ପର ଉପରେ ଏମିତି ଗର୍ଜିଲେ ଯେ ବିଧାନସଭା ଚାଲି ପାରି ନଥିଲା।
ଗତକାଲି ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନାଙ୍କୁ ହସ୍ତତନ୍ତ ଓ ବୟନଶିଳ୍ପ ମନ୍ତ୍ରୀ ରୀତା ସାହୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିକୁ ଏକ ଚେକ୍ ପ୍ରଦାନ କରିଥିଲେ। ହସ୍ତତନ୍ତ ଜାତୀୟ ପୁରସ୍କାର ବିଜେତା ସଞ୍ଜୟ ମେହେରଙ୍କ ତରଫରୁ ସେ ଏହି ଚେକ୍‌ଟି ଦେଇଥିଲେ। ଆଜି ବିଭିନ୍ନ ଗଣମାଧ୍ୟମରେ ଏହି ଖବରଟି ଫଟୋ ସହ ପ୍ରକାଶ ପାଇଛି। ବିଧାନସଭାର ଶୂନ୍ୟକାଳରେ କଂଗ୍ରେସ ବିଧାୟକ ଦଳ ନେତା ଶ୍ରୀ ମିଶ୍ର ଏହି ପ୍ରସଙ୍ଗ ଉଠାଇ କହିଲେ, ମନ୍ତ୍ରୀମାନଙ୍କର ସମ୍ମାନ ବୋଲି କିଛି ନାହିଁ। ମନ୍ତ୍ରୀ ମାନେ ସରକାର। ସରକାରଙ୍କ ପାଖକୁ କର୍ମଚାରୀ ଯିବା କଥା‌। କର୍ମଚାରୀଙ୍କ ପାଖକୁ ସରକାର ଯିବେନି। କିନ୍ତୁ ଏବେ ଅଦ୍ଭୂତ କଥା ଘଟିଛି। ମୁଖ୍ୟ ଶାସନ ସଚିବଙ୍କୁ ଭେଟି ମନ୍ତ୍ରୀ ରୀତା ସାହୁ ମୁଖ୍ୟମନ୍ତ୍ରୀ ରିଲିଫ୍‌ ପାଣ୍ଠି ଉଦ୍ଦେଶ୍ୟରେ ଚେକ୍ ଦେଉଛନ୍ତି। ଏହା ଲଜ୍ଜାଜନକ କଥା। ଗଣତନ୍ତ୍ରକୁ ଦ୍ବିପହରରେ ଧର୍ଷଣ କରାଯାଉଛି। ଏ ଗୃହ ଏହାକୁ ବରଦାସ୍ତ କରିବା କଥା ନୁହେଁ। ରାଜ୍ୟରେ ଅମଲାତନ୍ତ୍ର ଶାସନ ଚାଲିଛି ବୋଲି ହେଉଥିବା ଅଭିଯୋଗରେ ଭୁଲ୍‌ କେଉଁଠି ରହିଲା? ଏହି ପ୍ରସଙ୍ଗରେ ମୁଁ ବାଚସ୍ପତିଙ୍କ ମତ ଚାହୁଁଛି। ଏହା ଠାରୁ ଆହୁରି ବଡ଼ ବଡ଼ ଅଭିଯୋଗ ବି ରହିଛି। ଆମର ସମ୍ମାନ ରହିଲା କେଉଁଠି? ବୁକ୍ ସର୍କୁଲାର୍‌ ତ ଚୁଲିକୁ ଗଲାଣି।
ଆପଣ ମୁଖ୍ୟ ଶାସନ ସଚିବଙ୍କୁ ଡାକି ଆଲୋଚନା କରିଥିଲେ। କିନ୍ତୁ ଫଳ ଶୂନ। ଦ୍ବିତୀୟ ଥର ଏହି ପ୍ରସଙ୍ଗ ଉଠାଇବାରୁ ଆପଣ କହିଥିଲେ ‌ଯେ ମୁଁ ଦେଖିବି। କିନ୍ତୁ କ’ଣ କଲେ ଆମେ ଜାଣିପାରିଲୁ ନାହିଁ।
ବାଚସ୍ପତି କହିଥିଲେ, ‘ସେହି ମୁଖ୍ୟ ଶାସନ ସଚିବ ଦାୟିତ୍ବରୁ ଅବ୍ୟାହତି ନେଇସାରିଲେଣି। ନୂଆ ମୁଖ୍ୟ ଶାସନ ସଚିବଙ୍କୁ ଡାକି ଆଲୋଚନା କରାଯିବ।’
ଶ୍ରୀ ମିଶ୍ର କହିଥିଲେ, ସେ ଯାଇସାରିଲେଣି। ଏ ବି ଯିବେ। ଆମେ ବି ଯିବୁ। ସମସ୍ତେ ଯିବା। କିନ୍ତୁ ନିୟମ କାର୍ଯ୍ୟକାରୀ ହେବା କଥା। ମନ୍ତ୍ରୀଙ୍କ ହାତରୁ ଚେକ୍ ନେବା ପାଇଁ ମୁଖ୍ୟ ଶାସନ ସଚିବ ରାଜି ହେବା କଥା ନୁହେଁ। କିନ୍ତୁ ସେ ଖୁସିରେ ଗ୍ରହଣ କରୁଛନ୍ତି। ମନ୍ତ୍ରୀ ମୁଖ୍ୟମନ୍ତ୍ରୀଙ୍କୁ ଦେବା କଥା। ଏ ସରକାରରେ କିଛି ପ୍ରୋଟୋକଲ୍‌ ନାହିଁ। ଏହା ଗଣତନ୍ତ୍ର ପ୍ରତି ବିପଦ। ମନ୍ତ୍ରୀ ଏହି ଘଟଣାରେ ଗୃହରେ ଭୁଲ୍‌ ମାଗନ୍ତୁ। ମୁଖ୍ୟ ଶାସନ ସଚିବ ମଧ୍ୟ ଦୁଃଖ ପ୍ରକାଶ କରନ୍ତୁ। ଯଦି ମନ୍ତ୍ରୀମାନଙ୍କର ଏମିତି ଅବସ୍ଥା, ତେବେ ବିଧାୟକଙ୍କୁ ପଚାରେ କିଏ? ଶାସକ ଦଳ ବିଧାୟକମାନେ ମଧ୍ୟ ଏମିତି ଅନୁଭବ କରୁଛନ୍ତି। କିନ୍ତୁ ସେମାନେ ତାହାକୁ ପ୍ରକାଶ କରିପାରୁ ନାହାନ୍ତି। ମୁଁ ସେମାନଙ୍କୁ ଦୋଷ ଦେଉ ନାହିଁ। ବାଚସ୍ପତି ବିଧାୟକଙ୍କୁ ସୁରକ୍ଷା ନଦେଲେ, ଏ ଗୃହରେ ଚାଲିଲେ କେତେ ନ ଚାଲିଲେ କେତେ?
ଶ୍ରୀ ମିଶ୍ର ଏହା କହିଲା ବେଳେ କଂଗ୍ରେସ ସଭ୍ୟମାନେ ଗୃହ ମଧ୍ୟ ଭାଗକୁ ମାଡ଼ି ଆସିଥିଲେ। ବିଜେପି ସଭ୍ୟମାନେ ବି ଆସିଥିଲେ। ଅର୍ଥ ମନ୍ତ୍ରୀ ନିରଞ୍ଜନ ପୂଜାରୀ କହିବା ପାଇଁ ଠିଆ ହୋଇଥିଲେ। ସେ କହିଥିଲେ, ମନ୍ତ୍ରୀମାନେ କିଛି ଜାଣନ୍ତି ନାହିଁ ବୋଲି କଂଗ୍ରେସ ବିଧାୟକ ଦଳ ନେତା ବାରମ୍ବାର କହୁଛନ୍ତି। ଆଗରୁ ମଧ୍ୟ ଏମିତି ସେ କହିଥିଲେ। ଗୋଟିଏ ନିର୍ଦ୍ଦିଷ୍ଟ ପ୍ରସଙ୍ଗକୁ ନେଇ ମନ୍ତ୍ରୀମାନଙ୍କୁ ସେ ଏମିତି କହିପାରିବେ ନାହିଁ। ଏହା ଦ୍ବାରା ମନ୍ତ୍ରୀମାନଙ୍କ ସମ୍ମାନ କ୍ଷୂଣ୍ଣ ହେଉଛି। ଯଦି ରାଇଡର ଯଦି ଠିକ୍ ଅଛି ଘୋଡା ଠିକ୍ ଚାଲିବ। ଯେତେବେଳେ ଯାହା ପ୍ରଶ୍ନ କରିବେ ମୁଁ ଖୋଲାଖୋଲି ଉତ୍ତର ଦେବି।
ଅର୍ଥ ମନ୍ତ୍ରୀଙ୍କୁ ଜବାବ ଦେବାକୁ ଯାଇ ବିରୋଧୀ ଦଳ ପକ୍ଷରୁ ଏକ ଫଟୋ ପ୍ରଦର୍ଶନ କରାଯାଇଥିଲା। ଯେଉଁଥିରେ କି ମୁଖ୍ୟମନ୍ତ୍ରୀଙ୍କ ଏକ ସଭାରେ ମନ୍ତ୍ରୀ ନିରଞ୍ଜନ ପୂଜାରୀ ହାତ ଯୋଡ଼ି ଠିଆ ହୋଇଥିଲେ। ସେଠାରେ ମୁଖ୍ୟମନ୍ତ୍ରୀ ବସିଥିଲେ ଓ ତାଙ୍କ ବ୍ୟକ୍ତିଗତ ସଚିବ ଠିଆ ହୋଇଥିଲେ। ଅର୍ଥ ମନ୍ତ୍ରୀ କାହାକୁ ନମସ୍କାର କରୁଛନ୍ତି ବୋଲି ପ୍ରଶ୍ନ କରିଥିଲେ।
ଶ୍ରୀ ମିଶ୍ର ଉତ୍ତ୍ୟକ୍ତ ହୋଇ ବାଚସ୍ପତିଙ୍କ ଉଦ୍ଦେଶ୍ୟରେ କହିଥିଲେ, ମୁଁ ମୋ କଥା ନ ସାରିବା ଆଗରୁ ମନ୍ତ୍ରୀଙ୍କୁ କାହିଁକି କହିବାକୁ ସୁଯୋଗ ଦିଆଗଲା? ମନ୍ତ୍ରୀ କାହିଁକି ବାରମ୍ବାର ଡିଷ୍ଟର୍ବ କରୁଛନ୍ତି। ଆପଣ ତାଙ୍କୁ କାହିଁକି ଅନୁମତି ଦେଲେ?
ବାଚସ୍ପତି କହିଥିଲେ, ଆପଣଙ୍କ ଦଳର ବିଧାୟକମାନେ ଗୃହ ମଧ୍ୟ ଭାଗକୁ ଆସିବାରୁ ଆପଣଙ୍କ କଥା ସରିଗଲା ବୋଲି ମୁଁ ଧରି ନେଇଥିଲି। ମନ୍ତ୍ରୀ କହିବା ପାଇଁ ଚାହିଁବାରୁ ତାଙ୍କୁ ସୁଯୋଗ ଦିଆଗଲା। ଆପଣ ଏବେ କୁହନ୍ତୁ।
ଗୃହ ମଧ୍ୟ ଭାଗରେ ବିଜେପି ଓ କଂଗ୍ରେସ ସଭ୍ୟମାନେ ହୋହଲ୍ଲା କରୁଥିଲା ବେଳେ ବିଜେଡି ସଭ୍ୟମାନେ ନିଜ ନିଜ ଆସନରେ ଠିଆ ହୋଇ ବିରୋଧୀ ଦଳକୁ ଟାର୍ଗେଟ୍ କରି କହିଥିଲେ। ଉଭୟ ପକ୍ଷ ପରସ୍ପର ବିରୋଧରେ ଏପରି ଚିତ୍କାର କରୁଥିଲେ ଯେ ଗୃହରେ ଅସ୍ବାଭାବିକ ସ୍ଥିତି ସୃଷ୍ଟି ହୋଇଥିଲା। ଏହି ସମୟରେ କଂଗ୍ରେସ ବିଧାୟକ ଦଳ ନେତା କ୍ଷୁବ୍ଧ ହୋଇ କହିଥିଲେ, ବିରୁଡ଼ି ବସାରେ ହାତ ମାରନ୍ତୁ ନାହିଁ।
ଗୃହରେ ପରିସ୍ଥିତି ଅଶାନ୍ତ ଥିବାରୁ ବାଚସ୍ପତି ଗୃହକୁ ୧୫ ମିନିଟ୍ ମୁଲତବୀ ରଖିଲେ। ୧୫ ମିନିଟ୍ ପରେ ବିରୋଧୀ ଦଳ ସଦସ୍ୟମାନେ ଅର୍ଥ ମନ୍ତ୍ରୀଙ୍କ ଫଟୋକୁ ପ୍ରଦର୍ଶନ କରି ଗୃହ ମଧ୍ୟ ଭାଗରେ ହୋହଲ୍ଲା କଲେ। ତାହା ପରେ ବାଚସ୍ପତି ଅପରାହ୍ନ ୪ଟା ଯାଏ ଗୃହକୁ ମୁଲତବୀ ଘୋଷଣା କଲେ।

Leave a Reply

Your email address will not be published. Required fields are marked *