Spread the love

କେନ୍ଦୁଝର : କେନ୍ଦୁଝର ଜିଲ୍ଲା ଚମ୍ପୁଆ ରେଞ୍ଜ୍ ବାମେବାରି ଫରେଷ୍ଟ ସେକ୍ସନ ନୟାଗଡ଼ ବିଟ୍ ବସନ୍ତପୁର ଜଡ଼ିପଦାସାହିରେ ଏକ ଦନ୍ତାହାତୀଙ୍କ ମୃତ୍ୟୁ ଘଟିଛି। ବିଦ୍ୟୁତ ସଂସ୍ପର୍ଶରେ ଆସି ତା’ର ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ହାତୀଟି ଗତକାଲି ବିଳମ୍ବିତ ରାତିରେ ଖାଦ୍ୟ ଅନ୍ୱେଷଣରେ ଏହି ଅଞ୍ଚଳରେ ବୁଲୁଥିବା ବେଳେ ଏହି ଘଟଣା ଘଟିଯାଇଛି।
କେନ୍ଦୁଝର ଡିଏଫ୍‌ଓ ଧନରାଜ ହନୁମନ୍ତ କହିଛନ୍ତି, ଆଜି ସକାଳ ପ୍ରାୟ ୫ଟାରୁ ୬ଟା ଭିତରେ ଏହି ଘଟଣା ଘଟିଛି। ଏକ ବିଦ୍ୟୁତ୍‌ ଖୁଣ୍ଟର ଷ୍ଟେ ତାରରେ କରେଣ୍ଟ ପ୍ରବାହିତ ହେଉଥିଲା। ଆଉ ହାତୀଟି ସେହି ଷ୍ଟେ ତା’ର ସଂସ୍ପର୍ଶରେ ଆସିଯାଇଥିଲା। ତେଣୁ ହାତୀ ଟିର ମୃତ୍ୟୁ ଘଟିଛି। ପ୍ରାଥମିକ ତଦନ୍ତରୁ ଏହା ସ୍ପଷ୍ଟ ହୋଇଛି। ଏହା ଏକ ଦୁର୍ଭାଗ୍ୟଜନକ ଘଟଣା।
ବନ ବିଭାଗର କହିବା ଅନୁଯାୟୀ ଉକ୍ତ ବିଦ୍ୟୁତ୍ ଖୁଣ୍ଟରେ ତ୍ରୁଟି ଥିବା ନେଇ ସେମାନେ ବିଦ୍ୟୁତ୍ ବିଭାଗକୁ ପୂର୍ବରୁ ଅବଗତ କରାଇଥିଲେ। ତେଣୁ ବିଦ୍ୟୁତ୍ ବିଭାଗର ଅବହେଳା ଓ ଦାୟିତ୍ୱହୀନତା ଯୋଗୁ ଏଭଳି ଏକ ଅଘଟଣ ଘଟିଛି। ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି।
ଯେଉଁ ବିଦ୍ୟୁତ୍ ଖୁଣ୍ଟର ଷ୍ଟେ ତାର ସଂସ୍ପର୍ଶରେ ହାତୀ ଆସିଥିଲା ସେହି ତାରରେ ଇନ୍‌ସ୍ୟୁଲେଟର ଲାଗି ନଥିଲା। ତେଣୁ ତାହା ଚାର୍ଜ ହୋଇଯାଇଥିଲା। ଫଳରେ ହାତୀର ମୃତ୍ୟୁ ଘଟିଥିଲା ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି।
ଅନ୍ୟପକ୍ଷରେ ବିଦ୍ୟୁତ୍ ବିଭାଗ ପକ୍ଷରୁ ମଧ୍ୟ ସଫେଇ ଦିଆଯାଇଛି ଓ ବନ ବିଭାଗ ଉପରେ ଦୋଷ ଲଦା ଯାଇଛି। ଟାଟା ପାୱାରର ଯୋଡ଼ା ସବ୍‌ଡିଭିଜନର ଏସ୍‌ଡିଓ ଦିବ୍ୟରଞ୍ଜନ ସାହୁ କହିଛନ୍ତି ଯେ ଏହି ଅଞ୍ଚଳ ଦେଇ ହାତୀ ଅତିକ୍ରମ କରୁଥିବା ନେଇ ଗତକାଲି ବନ ବିଭାଗ ପକ୍ଷରୁ କୌଣସି ସୂଚନା ଦିଆଯାଇ ନଥିଲା। ତେଣୁ ସେହି ରୁଟ୍‌ରେ ପାୱାର କଟ୍ କରାଯାଇ ନଥିଲା।
ସୂଚନାଯୋଗ୍ୟ, ୨୦୧୨ରୁ ୨୦୨୨ ମସିହା ପର୍ଯ୍ୟନ୍ତ ୧୦ ବର୍ଷରେ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ୭୮୪ ହାତୀ ମରିଥିବା ବେଳେ ୯୨୫ ମଣିଷଙ୍କୁ ମାରିଛି ହାତୀ। ୫ ଦିନ ତଳେ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ଏକ ପ୍ରଶ୍ନର ଲିଖିତ ଉତ୍ତରରେ ଏହି ତଥ୍ୟ ଦେଇଥିଲେ।

Leave a Reply

Your email address will not be published. Required fields are marked *