Spread the love

ଚଣ୍ଡୀଗଡ଼ : ଆତ୍ମଘୋଷିତ ମୌଳବାଦୀ ଶିଖ ପ୍ରଚାରକ ଓ ଖଲିସ୍ତାନ ସମର୍ଥକ ଅମ୍ରିତପାଲ ସିଂହକୁ ଶେଷରେ ଗିରଫ କରିଛି ପଞ୍ଜାବ ପୁଲିସ୍‌। ବେଶ ନାଟକୀୟ ଢଙ୍ଗରେ ତାକୁ ଗୋଡ଼ାଇ ଗୋଡ଼ାଇ ପୁଲିସ୍‌ ଗିରଫ କରିବାକୁ ସକ୍ଷମ ହୋଇଛି। ୭ ଜିଲ୍ଲାର ପୁଲିସ୍‌ କର୍ମଚାରୀଙ୍କୁ ନେଇ ଗଠିତ ପଞ୍ଜାବ ପୁଲିସ୍‌ର ସ୍ୱତନ୍ତ୍ର ଟିମ ଆଜି ବିଚ୍‌ ରାସ୍ତାରେ ଅମ୍ରିତପଲକୁ ଗିରଫ କରିଛି।
ଆଜି ଅମ୍ରିତପାଲ ସିଂହ ନିଜର କିଛି ସମର୍ଥକଙ୍କ ସହ ଜଲନ୍ଧରର ଶାହକୋଟ ତହସିଲକୁ ଯାଉଥିଲା। ତେବେ ପୁଲିସ୍‌ ତା’ କନଭୟକୁ ଅଧା ବାଟରେ ଅଟକାଇଥିଲା। କିନ୍ତୁ ସେ ସେଠାରୁ ଖସି ଯାଇଥିଲା। କିନ୍ତୁ ପରବର୍ତ୍ତୀ ଅବସ୍ଥାରେ ପଞ୍ଜାବ ପୁଲିସ୍‌ ତା’କୁ ଗିରଫ କରିବାକୁ ସକ୍ଷମ ହୋଇଛି।
ପୁଲିସ୍ ଅମ୍ରିତପାଲକୁ ଗିରଫ କରିଥିଲେ ହେଁ ପ୍ରକୃତରେ ସେ କେମିତି ଧରାପଡ଼ିଲା ସେବିଷୟରେ ବିସ୍ତୃତ ସୂଚନା ଦିଆଯାଇନି। ଅମ୍ରିତପାଲ ଗିରଫ ହେବା ପରେ ତା’ର ସମର୍ଥକମାନେ ଶାହକୋଟ ଅଭିମୁଖେ ବାହାରିଛନ୍ତି। ଏଥିସହ ଏଥିରେ ସାଧାରଣ ଲୋକଙ୍କୁ ମଧ୍ୟ ସାମିଲ ହେବାକୁ ବିଭିନ୍ନ ପ୍ରକାରର ଭିଡିଓ ଭାଇରାଲ କରାଯାଉଛି। ସ୍ଥିତି ଅତ୍ୟନ୍ତ ସମ୍ବେଦନଶୀଳ ଥିବାରୁ ରାଜ୍ୟ ସରକାର ଆସନ୍ତାକାଲି ରାତି ୧୨ଟା ଯାଏ ପଞ୍ଜାବରେ ଇଣ୍ଟରନେଟ ଓ ଏସଏମଏସ୍‌ ସେବାକୁ ବନ୍ଦ କରି ଦେଇଛନ୍ତି।
ସେହିପରି ସ୍ଥିତିକୁ ଦେଖି ଅମ୍ରିତପାଲର ଗାଁ ଜାଲ୍କୁପୁର ଖଇରାରେ ବିପୁଳ ସଂଖ୍ୟାରେ ପୁଲିସ୍‌ ଫୋର୍ସ ମୁତୟନ କରାଯାଇଛି। ସୂତ୍ର ଅନୁସାରେ ରାଜ୍ୟରେ ଚାଲିଥିବା ଜି-୨୦ କାର୍ଯ୍ୟକ୍ରମ ଶେଷ ହେବାକୁ ପଞ୍ଜାବ ସରକାର ଅପେକ୍ଷା କରିଥିଲେ। ଏହା ଶେଷ ହେବା କ୍ଷଣି ପୁଲିସ୍‌ ଆଜି ଅମ୍ରିତପାଲ ସିଂହକୁ ଗିରଫ କରିଛି। ଏପରି ଗିରଫଦାରୀ ପୂର୍ବରୁ ମାର୍ଚ୍ଚ ୨ରେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ସିଂହ ମାନ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କୁ ଭେଟିଥିଲେ। ଏହି ଭେଟଘାଟ ପରେ ଆଜି କେନ୍ଦ୍ର ପକ୍ଷରୁ ଅଧିକ ସୁରକ୍ଷାକର୍ମୀଙ୍କୁ ପଞ୍ଜାବ ପଠାଯାଇଥିଲା। ଏହାପରେ ହିଁ ଅମ୍ରିତପାଲକୁ ଗିରଫ କରାଯାଇଥିବା ଜଣାପଡ଼ିଛି।
ଅମ୍ରିତପାଲ ହେଉଛି ୱାରିସ ପଞ୍ଜାବ ଦେର ମୁଖିଆ। ଏହି ମୌଳବାଦୀ ଚିନ୍ତାଧାରା ଭିତ୍ତିକ ସଂଗଠନକୁ ଦୀପ ସିଦ୍ଧୁ ପ୍ରଥମେ ଆରମ୍ଭ କରିଥିଲେ। ଗତବର୍ଷ ଫେବୃଆରୀରେ ସଡ଼କ ଦୁର୍ଘଟଣାରେ ସିଦ୍ଧୁଙ୍କ ମୃତ୍ୟୁ ଘଟିଥିଲା।
ଆଜି ଅମ୍ରିତପାଲ ଶାହକୋଟ ଆସିବା ପୂର୍ବରୁ ପୁଲିସ୍‌ ବଡ଼ବଡ଼ ବ୍ୟାରିକେଡ ଲଗାଇଥିଲା। ଏଥିସହ ଅମ୍ରିତପାଲକୁ ଅପେକ୍ଷା କରି ରହିଥିଲା। ଶେଷରେ ପୁଲିସ୍‌କୁ ସଫଳତା ମିଳିଛି।
ପୁଲିସ୍‌ କିଛି ଦିନ ତଳେ ଅମ୍ରିତପାଲ ସିଂହର ଜଣେ ସହଯୋଗୀକୁ ଗିରଫ କରିଥିଲା। ତା’କୁ ଥାନାରୁ ଖଲାସ କରିବା ପାଇଁ ହଜାର ହଜାର ଲୋକ ସେଠାରେ ପହଞ୍ଚିଥିଲେ। ପୁଲିସ୍‌କୁ ଆକ୍ରମଣ ମଧ୍ୟ କରିଥିଲେ। ପରବର୍ତ୍ତୀ ଅବସ୍ଥାରେ ସିଂହର ଗିରଫ ସହଯୋଗୀକୁ ଜାମିନ ମିଳିଥିଲା। ତେବେ ସେବେଠାରୁ ଅମ୍ରିତପାଲ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପ୍ରକ୍ରିୟା ଆରମ୍ଭ ହୋଇଥିଲା।
ପ୍ରଥମେ ୱାରିସ ପଞ୍ଜାବ ଦେର କର୍ମକର୍ତ୍ତାମାନଙ୍କ ବନ୍ଧୁକ ଲାଇସେନ୍ସ ବାତିଲ କରାଯାଇଥିଲା। ଏହାପରେ ଅମ୍ରିତପାଲର ସୋଶାଲ ମିଡିଆ ଆକାଉଣ୍ଟ ଚଳାଉଥିବା ଗୁର ଅଉଜଲାକୁ ପୁଲିସ ଅଟକ ରଖିଥିଲେ।
ଅମ୍ରିତପାଲ ସିଂହ ବିରୋଧରେ ଜଣେ ବ୍ୟକ୍ତି ଅପହରଣ ଅଭିଯୋଗ ଆଣିବା ପରେ ପୁଲିସ୍‌ ମାମଲା ରୁଜୁ କରିଥିଲା। ଏହି କେସ୍‌ରେ ମୋଟ ୩୦ ଜଣଙ୍କୁ ଅଭିଯୁକ୍ତ ଭାବେ ଦର୍ଶାଯାଇଛି। ଦୀର୍ଘଦିନ ହେଲେ ଦୁବାଇରେ ରହୁଥିବା ଅମ୍ରିତପାଲ ସିଂହ ଗତବର୍ଷ ଭାରତ ଆସିଛି। ସେ ନିଜକୁ ଖଲିସ୍ତାନ ସପକ୍ଷବାଦୀ କହୁଥିବା ବେଳେ ଭାରତୀୟ ନୁହେଁ ବୋଲି ଖୋଲାଖୋଲି ଘୋଷଣା କରିଥିଲା।

Leave a Reply

Your email address will not be published. Required fields are marked *