ନୂଅାଦିଲ୍ଳୀ: ନ୍ୟୁଜିଲାଣ୍ଡ୍ର କରମାଡେକ୍ ଦ୍ୱୀପପୁଞ୍ଜରେ ଗୁରୁବାର ରିକ୍ଟର ସ୍କେଲ୍ରେ ୭.୧ ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇଛି। ଆମେରିକାର ଭୂତତ୍ତ୍ବ ସର୍ଭେ ସଂସ୍ଥା ଅନୁଯାୟୀ, ଏହି ଭୂକମ୍ପ ୧୦ କିଲୋମିଟର ଗଭୀରରେ ସଂଘଠିତ ହୋଇଛି । ଏହି ଭୂକମ୍ପ ପରେ ସୁନାମୀ ପାଇଁ ଚେତାବନୀ ଦିଆଯାଇଛି। ତେବେ ନ୍ୟୁଜିଲାଣ୍ଡର ଜାତୀୟ ଜରୁରୀକାଳିନ ପରିଚାଳନା ଏଜେନ୍ସି ପକ୍ଷରୁ ସୂଚନା ଦିଆଯାଇଛି ଯେ ଏହି ଭୂକମ୍ପରେ ନ୍ୟୁଜିଲାଣ୍ଡ୍ ପାଇଁ ସୁନାମୀ ବିପଦ ନାହିଁ।
ନ୍ୟୁଜିଲ୍ୟାଣ୍ଡରେ ପୃଥିବୀର ଦୁଇଟି ପ୍ରମୁଖ ଟେକ୍ଟୋନିକ୍ ପ୍ଲେଟ୍ – ପ୍ରଶାନ୍ତ ପ୍ଲେଟ୍ ଏବଂ ଅଷ୍ଟ୍ରେଲୀୟ ପ୍ଲେଟ୍ ସୀମାରେ ଅବସ୍ଥିତ ଥିବାରୁ ଭୂକମ୍ପ ପ୍ରବଣ ଅଞ୍ଚଳ ହୋଇ ରହିଛି। ଏଠାରେ ତୀବ୍ର ଭୂକମ୍ପ ହେଉଥିବା ବେଳେ ଏହି ଅଞ୍ଚଳକୁ ‘ରିଙ୍ଗ୍ ଅଫ୍ ଫାୟାର୍’ ବୋଲି ମଧ୍ୟ କୁହାଯାଉଛି। ପ୍ରତିବର୍ଷ ହଜାର ହଜାର ଭୂକମ୍ପ ହୋଇ ଏହି ଅଞ୍ଚଳକୁ ଥରାଇ ଦେଇଥାଏ।