Spread the love

ନୂଆଦିଲ୍ଲୀ : ଆଦାନି-ହିଣ୍ଡେନବର୍ଗ ବିବାଦକୁ ନେଇ କଂଗ୍ରେସର ବିକ୍ଷୋଭ ଶୋଭଯାତ୍ରା ଜାରି ରହିଛି। ଆଜି କଂଗ୍ରେସ ଏହି ବିବାଦର ତଦନ୍ତ ପାଇଁ ଦାବି କରି ପୁଣିଥରେ ଦିଲ୍ଲୀରେ ଶୋଭାଯାତ୍ରା କରିଛି। ଏହି ସମୟରେ ଜଣେ ବ୍ୟକ୍ତି ବର ବେଶରେ ଆସିବା ସହ ୨ ହଜାର ଟଙ୍କିଆ ନୋଟର ମାଳ ପକାଇ ବିକ୍ଷୋଭରେ କରୁଥିବା ଦେଖିବାକୁ ମିଳିଛି। ବ୍ୟକ୍ତି ଜଣଙ୍କ କୁର୍ତ୍ତା-ପାଇଜାମା ଓ ପଗଡ଼ି ପିନ୍ଧି ଥିବା ବେଳେ ତାଙ୍କ ବେକରେ କେବଳ ୨ ହଜାର ଟଙ୍କିଆ ନୋଟରେ ତିଆରି ହୋଇଥିବା ଗୋଟିଏ ମାଳ ପଡ଼ିଛି।
କଂଗ୍ରେସର ବିକ୍ଷୋଭକୁ ଦେଖି ପୁଲିସ୍‌ ବ୍ୟାରିକେଡ କରିଥିବେ ବେଳେ ସମସ୍ତଙ୍କୁ ଶାନ୍ତି ବଜାୟୀ ରଖିବା ପାଇଁ ଅନୁରୋଧ କରିଥିଲେ। ଏତିକି ବେଳେ ବର ବେଶରେ ଥିବା ବ୍ୟକ୍ତିଙ୍କୁ ଆନ୍ଦୋଳନକାରୀମାନେ ଟେକିବା ସହ ତାଙ୍କୁ ବ୍ୟାରିକେଡର ଆରପଟକୁ ପଠାଇବା ପାଇଁ ଉଦ୍ୟମ କରିଥିଲେ। ବ୍ୟାରିକେଡ ଉପରେ ବ୍ୟକ୍ତି ଜଣଙ୍କ ଥିବା ବେଳେ ତାଙ୍କୁ ଗୋଟିଏ ପଟୁ ପୁଲିସ ଓ ଅନ୍ୟ ପଟୁ ଆନ୍ଦୋଳନକାରୀମାନେ ଠେଲାପେଲା କରୁଥିବା ଭିଡିଓ ସାମ୍ନାକୁ ଆସିଛି।
ଏହି ଠେଲାପେଲା ଭିତରେ ପୁଲିସ୍‌ ବ୍ୟକ୍ତିଙ୍କୁ କହିଥିଲା ଯେ “ଆପଣ ଆହତ ହୋଇଯିବେ। ଦୟା କରି ଓହ୍ଲାଇ ପଡ଼ନ୍ତୁ।” ତଥାପି ବେଶ କିଛି ସମୟ ଧରି ଏପରି ଦୃଶ୍ୟ ଦେଖିବାକୁ ମିଳିଥିଲା। ଆମେରିକାର ଶର୍ଟ ସେଲର ଫାର୍ମ ହିଣ୍ଡେନବର୍ଗ ରିସର୍ଚ୍ଚ ଦେଇଥିବା ରିପୋର୍ଟ ଶିଳ୍ପପତି ଗୌତମ ଆଦାନୀ ଓ ତାଙ୍କ କମ୍ପାନୀକୁ ମହଙ୍ଗା ପଡ଼ିଛି। ରିପୋର୍ଟ ପ୍ରକାଶ ପାଇବା ଦିନ ଠାରୁ ଷ୍ଟକ ମାର୍କେଟରେ ଆଦାନୀ ଗ୍ରୁପ୍‌ର ଶେୟାର ମୂଲ୍ୟ ହ୍ରାସ ପାଇବାରେ ଲାଗିଛି।
ଷ୍ଟକରେ ଧୋକାଦାରୀ କରି ମୂଲ୍ୟ ଅଧିକ ଦେଖାଇବା, ଟିକସରେ ହେରଫେର କରିବା ଓ ମିଛ ତଥ୍ୟ ଦେଇ ଋଣ କରିବା ଭଳି କାମ ଆଦାନୀ ଗ୍ରୁପ୍‌ କରିଥିବା ହିଣ୍ଡେନବର୍ଗ ରିପୋର୍ଟ ଦେଇଛି। ଜାନୁଆରୀ ୨୪ରେ ପ୍ରଥମେ ଏହି ରିପୋର୍ଟ ପ୍ରକାଶ ପାଇଥିଲା। ଏହାପରଠାରୁ ଆଦିନୀ ଗ୍ରୁପ୍‌ ଉପରୁ ଲୋକଙ୍କ ଭରସା ତୁଟିବାରେ ଲାଗିଛି। ତେବେ ଆଦାନି ଗ୍ରୁପ ବିରୋଧରେ ଆସିଥିବା ରିପୋର୍ଟର ତଦନ୍ତ କରିବାକୁ କଂଗ୍ରେସ ସମେତ ବିଭିନ୍ନ ବିରୋଧୀ ଦଳଗୁଡ଼ିକ ଦାବି କରି ଆସୁଛନ୍ତି।
ଆମେରିକାରେ ଥିବା ହିଣ୍ଡେନବର୍ଗ ହେଉଛି ଗୋଟିଏ ଫରେନ୍ସିକ ଫାଇନାନ୍ସିଆଲ ରିସର୍ଚ୍ଚ ସଂସ୍ଥା। ବ୍ୟବସାୟିକ ଦୁନିଆରେ ବିଭିନ୍ନ କମ୍ପାନୀ କରୁଥିବା ଦୁର୍ନୀତି ଓ ଠକେଇ ଉପରେ ଏହା ଯାଞ୍ଚ କରି ରିପୋର୍ଟ ଦେଇଥାଏ। ୨୦୧୭ରେ ନାଥନ ଆଣ୍ଡରସନ ଏହାର ପ୍ରତିଷ୍ଠା କରିଥିଲେ। ୧୯୩୭ ମସିହାରେ ହିଣ୍ଡେନବର୍ଗ ଏୟାରଶିପ୍‌ ବିପର୍ଯ୍ୟୟ ଅନୁଯାୟୀ କମ୍ପାନୀ ନିଜ ନାଁ ହିଣ୍ଡେନବର୍ଗ ରଖିଛି।
ବିଭିନ୍ନ କମ୍ପାନୀ ଓ ଷ୍ଟାର୍ଟଅପ୍ସ କରୁଥିବା ଅନିୟମିତତା ସମ୍ପର୍କରେ ସଂସ୍ଥା ରିପୋର୍ଟ ଦେଇଥାଏ। ପୂର୍ବରୁ ମଧ୍ୟ ଅନେକ କମ୍ପାନୀ ବିରୋଧରେ ହିଣ୍ଡେନବର୍ଗ ରିପୋର୍ଟ ଦେଇଥିଲା। ରିପୋର୍ଟ ପରେ ଅନେକ କମ୍ପାନୀର ଶେୟାର ମୂଲ୍ୟ ରସାତଳକୁ ଖସି ଯିବାର ନଜିର ରହିଛି। ଏବେ ଆଦାନୀ ଗ୍ରୁପ୍‌ ମଧ୍ୟ ସମାନ ସ୍ଥିତି ଦେଇ ଗତି କରୁଛି।

Leave a Reply

Your email address will not be published. Required fields are marked *