Spread the love

ନୂଆଦିଲ୍ଲୀ : ପୁଣିଥରେ ବିବାଦରେ ଫସିଛନ୍ତି ବ୍ରିଟେନର ପ୍ରଧାନମନ୍ତ୍ରୀ ଋଷି ସୁନକ। ନିଜର କୁକୁର ପାଇଁ ସେ ଆଇନଗତ ଜାଲରେ ପଡ଼ିଛନ୍ତି। ପୂର୍ବରୁ ସେ ଲକଡାଉନ ନିୟମ ଉଲ୍ଲଙ୍ଘନ କରିଥିଲେ। ସେହିପରି ସେ କାର୍‌ର ସିଟ୍‌ ବେଲ୍ଟ ପିନ୍ଧି ନଥିବାରୁ ଫାଇନ ଦେଇଥିଲେ। ହେଲେ ଏବେ ସେ ତାଙ୍କ କୁକୁର ପାଇଁ ପୁଲିସ ତାଗିଦର ଶୀକାର ହୋଇଛନ୍ତି।
ଲଣ୍ଡନର ହାୟଡେ ପାର୍କରେ ସୁନକ ଓ ତାଙ୍କ ପରିବାର ସଦସ୍ୟ ବୁଲୁଥିବା ବେଳେ ସେମାନଙ୍କ ପୋଷା କୁକୁର ନୋଭାର ବେକରୁ ବେଲ୍ଟ ଖୋଲି ଦେଇଥିଲେ। ନିୟମ ମୁତାବକ ପାର୍କରେ କେହି ବି କୁକୁର କିମ୍ବା କୌଣସି ଗୃହପାଳିତ ପଶୁଙ୍କୁ ଖୋଲା ଛାଡ଼ିପାରିବେ ନାହିଁ। କିନ୍ତୁ ସୁନକ ପରିବାର ଏପରି କରିଥିବାରୁ ପୁଲିସ୍‌ ସେମାନଙ୍କୁ ତାଗିଦ କରିଛି।
ମେଟ୍ରୋପଲିଟାଣ୍ଟ ପୁଲିସ୍‌ ଫୋର୍ସ ଗୋଟିଏ ବିବୃତିରେ କହିଛି ଯେ “ଆମେ ହାୟଡେ ପାର୍କରେ ଗୋଟିଏ କୁକୁର ମୁକ୍ତ ଭାବେ ବୁଲୁଥିବାର ଭିଡିଓ ସମ୍ପର୍କରେ ଅବଗତ ରହିଛୁ। ଏହି ଘଟଣାରେ ପଦକ୍ଷେପ ମଧ୍ୟ ଗ୍ରହଣ କରାଯାଇଛି।”
ପୂରା ଘଟଣାକୁ କେହି ମୋବାଇଲରେ ରେକର୍ଡିଂ କରିବା ସହ ଏହାକୁ ଟିକଟକରେ ଛାଡ଼ିଥିଲା। ଏହାପରେ ଭିଡିଓଟି ଭାଇରାଲ ହୋଇଛି। ଏହି ଭିଡିଓରେ ଦେଖିବାକୁ ମିଳୁଛି ଯେ ସୁନକ ଓ ତାଙ୍କ ପରିବାର ସଦସ୍ୟ କୁକୁର ନୋଭା ବେକରୁ ବେଲ୍ଟ କାଢ଼ି ଦେବା ସହ ତାକୁ ମୁକ୍ତ ଭାବେ ବୁଲିବାକୁ ଅନୁମତି ଦେଇଛନ୍ତି। କୁକୁରଙ୍କୁ ବେଲ୍ଟ ଦ୍ୱାରା ବାନ୍ଧି ରଖିବାର ନିୟମ ପାର୍କ ମଧ୍ୟରେ ଲାଗୁ ହୋଇଥିବା ବେଳେ ସୁନକ ପରିବାର ଏହାକୁ ଉଲ୍ଲଙ୍ଘନ କରିଥିଲେ।
ଏକଥା ସେଠାରେ ଉପସ୍ଥିତ ଥିବା ପୁଲିସ୍‌ ଅଫିସର ଦେଖିବା ପରେ ସୁନକ ପରିବାରର ଜଣେ ମହିଳାଙ୍କ ପାଖକୁ ଯାଇଥିଲେ। ତାଙ୍କୁ ତାଗିଦ କରିବା ସହ ନିୟମ ସମ୍ପର୍କରେ ବୁଝାଇଥିଲେ। ଏହାପରେ କୁକୁର ବେକରେ ପୁଣି ବେଲ୍ଟ ବନ୍ଧା ଯାଇଥିଲା। ତେବେ ଭିଡିଓଟି କେବେ ଶୁଟିଂ ହୋଇଥିଲା, ସେକଥା ଜଣାପଡ଼ିନି। ସେହିପରି ପୁଲିସ୍‌ ମଧ୍ୟ କେବଳ ତାଗିଦ କରି ସୁନକ ପରିବାର ସଦସ୍ୟଙ୍କୁ ଛାଡ଼ି ଦେଇଛି।

Leave a Reply

Your email address will not be published. Required fields are marked *