Spread the love

ପୁରୀ : ମାଟ୍ରିକ୍‌ ପରୀକ୍ଷାରେ ଅନିୟମିତତା ପାଇଁ ୪ ପରୀକ୍ଷା କେନ୍ଦ୍ରର ବହୁ ସୁପରିଟେଣ୍ଡେଣ୍ଟ, ପରୀକ୍ଷକଙ୍କ ସମେତ ଜଣେ କିରାଣି ନିଲମ୍ବିତ ହୋଇଛନ୍ତି। କପି ପାଇଁ ମୁଲଚାଲ ଅଡିଓ ଭାଇରାଲ ଘଟଣାରେ ତଥା ରାଜ୍ୟ ମୁକ୍ତାକାଶ ବିଦ୍ୟାଳୟ(ଏସ୍‌ଓଏସ୍‌) ପରୀକ୍ଷା ଅନିୟମିତତା ପାଇଁ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ପୁରୀ ଜିଲ୍ଲା ଶିକ୍ଷାଧିକାରୀ ବିଶ୍ୱଜିତ ଘୋଷ। ନିମାପଡ଼ା ହରିପୁର ଆଦର୍ଶ ଉଚ୍ଚ ବିଦ୍ୟାଳୟରେ ହୋଇଥିବା ଏହି ଅନିୟମିତତା ଘଟଣାରେ ଆଜି କାର୍ଯ୍ୟାନୁଷ୍ଠାନ ହୋଇଛି। ଏହି ପରୀକ୍ଷା କେନ୍ଦ୍ର ଅଧୀକ୍ଷକଙ୍କ ସମେତ ସବୁ ପରୀକ୍ଷକଙ୍କୁ ଦାୟିତ୍ୱରୁ ହଟାଇ ଦିଆଯାଇଛି। ୨୦ ତାରିଖରେ ପରୀକ୍ଷା ସରୁଥିବା ବେଳେ ସେ ପର୍ଯ୍ୟନ୍ତ ସ୍କୁଲ କ୍ୟାମ୍ପସ୍‌ ଆସିବାକୁ ସମସ୍ତଙ୍କୁ ମନା କରାଯାଇଛି। ସେମାନଙ୍କ ସ୍ଥାନରେ ନୂଆ ସୁପରିଟେଣ୍ଡେଣ୍ଟ , ଡେପୁଟି ସୁପରିଟେଣ୍ଡେଣ୍ଟ, ପରୀକ୍ଷକ ଓ ଅନ୍ୟ ନିରୀକ୍ଷକଙ୍କୁ ଦାୟିତ୍ୱ ଦିଆଯାଇଛି। ତେବେ ଏହି ଘଟଣାରେ କୌଣସି ପ୍ରମାଣ ମିଳି ନ ଥିବା ଜିଲ୍ଲା ଶିକ୍ଷାଧିକାରୀ କହିଛନ୍ତି।
ସେହିପରି ଆଜି ମାଟ୍ରିକ୍ ପରୀକ୍ଷାର ଦ୍ଵିତୀୟ ଦିନରେ ପୁରୀ ଜିଲା କାକଟପୁର ଓ ନୟାହାଟ ବାଳିକା ଉଚ୍ଚ ବିଦ୍ୟାଳୟରେ ଦୁଇ ଜଣ ସୁପରିଟେଣ୍ଡେଣ୍ଟଙ୍କ ଖାମଖିଆଲି ମନୋଭାବ ଓ ପରୀକ୍ଷାରେ ଅନିୟମିତତା କରିବା ପାଇଁ ସେମାନଙ୍କୁ ନିଲମ୍ବିତ କରାଯାଇଛି। ସେମାନଙ୍କ ସ୍ଥାନରେ ନୂଆ ସୁପରିଟେଣ୍ଡେଣ୍ଟ ନିଯୁକ୍ତ କରାଯାଇଛି।
କାକଟପୁର ବାଳିକା ଉଚ୍ଚ ବିଦ୍ୟାଳୟର କିରାଣି ମାନସ ରଞ୍ଜନ କୁଡ଼ୁ ପରୀକ୍ଷା ହଲ୍‌ରେ ମୋବାଇଲ ଅନ୍‌ ରଖି ବସିଥିବା ଯୋଗୁ ତାଙ୍କୁ ଚାକିରିରୁ ନିଲମ୍ବିତ କରାଯାଇଛି।
ଅନ୍ୟପଟେ ମାଟ୍ରିକ୍ ପରୀକ୍ଷା ପ୍ରଥମ ଦିନ ପରୀକ୍ଷା କେନ୍ଦ୍ରରେ ଅନିୟମିତତା କରିଥିବା ଯୋଗୁ ବ୍ରହ୍ମଗିରି ବ୍ଲକର ଜଣେ ଶିକ୍ଷୟିତ୍ରୀଙ୍କୁ ନିଲମ୍ବିତ ହୋଇଛନ୍ତି। ପୁରୀ ଜିଲ୍ଲାରେ ଚଳିତ ମାଟ୍ରିକ୍ ପରୀକ୍ଷାରେ ଶୂନ୍ୟ ସହନଶୀଳତା ନୀତି ଲାଗୁ ହୋଇଥିବାରୁ ନଜରକୁ ଆସୁଥିବା ସମସ୍ତ ଅଭିଯୋଗ ଓ ତୃଟି ଉପରେ ତତ୍‌କ୍ଷଣାତ୍ ପଦକ୍ଷେପ ନିଆଯାଉଛି ବୋଲି ଜିଲ୍ଲା ଶିକ୍ଷାଧିକାରୀ କହିଛନ୍ତି।
ସୂଚନା ଥାଉକି, ପୁରୀ ଜିଲ୍ଲା ନିମାପଡା ବ୍ଲକରେ state institute of open school(SOS) ବା ମୁକ୍ତ ବିଦ୍ୟାଳୟ ସେଣ୍ଟରରେ ସେକେଣ୍ଡାରୀ ବୋର୍ଡ ମାଧ୍ୟମରେ ଫର୍ମଫିଲପ କରି ୮୫ ଜଣ ବୟସ୍କ ପିଲା ନିମାପଡା ବ୍ଲକ ହରିପୁର ଠାରେ ଥିବା ଆଦର୍ଶ ଉଚ୍ଚ ବିଦ୍ୟାଳୟରେ ମେଟ୍ରିକ ପରୀକ୍ଷା ଦେଉଥିଲେ। ଏହି ପରୀକ୍ଷାରେ କପି ପାଇଁ ପରୀକ୍ଷାର୍ଥୀମାନେ ଏହି ବିଦ୍ୟାଳୟର ଜଣେ ଶିକ୍ଷକଙ୍କ ସହ ମୁଲଚାଲ କରୁଥିବା ଅଡିଓ ଗଣମାଧ୍ୟମରେ ପ୍ରସାରଣ ପରେ ଏହି ପରୀକ୍ଷା କେନ୍ଦ୍ରର ସୁପରିଟେଣ୍ଡେଣ୍ଟ, ଡେପୁଟି ସୁପରିଟେଣ୍ଡେଣ୍ଟ ସମେତ ସମସ୍ତ ପରୀକ୍ଷା ନିରୀକ୍ଷାକଙ୍କୁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ଦାୟିତ୍ୱର ନିବୃତ କରାଯାଇଛି।

Leave a Reply

Your email address will not be published. Required fields are marked *