Spread the love

ଭୁବନେଶ୍ୱର: ଓଡ଼ିଶା ଗୃହ ନିର୍ମାଣ ସଂସ୍ଥା(ଓଏସଏଚବି) ଓ ଉନ୍ନୟନ କର୍ତ୍ତୃପକ୍ଷ ମାନଙ୍କଠାରୁ ଘର ବା ପ୍ଲଟ୍‌ ନେଇଥିବା ନାଗରିକମାନଙ୍କ ପାଇଁ ଖୁସି ଖବର। ଏବେ ସେମାନଙ୍କୁ ମିଳିବ ମୁକ୍ତ ମାଲିକାନା। ଅର୍ଥାତ୍‌ ସେମାନେ ଘରର ମାଲିକ ଏବଂ ସେଇ ଘରଡିହର ବି ମାଲିକ ହେବେ। ସେମାନେ ଆଉ ଘରଡିହର ଲିଜ୍‌ଧାରୀ ହୋଇ ରହିବେ ନାହିଁ। ଓଡ଼ିଶା ଗୃହ ନିର୍ମାଣ ସଂସ୍ଥା(ଓଏସଏଚବି) ଓ ଉନ୍ନୟନ କର୍ତ୍ତୃପକ୍ଷ ମାନଙ୍କ ଆବାସିକ ପ୍ରକଳ୍ପଗୁଡ଼ିକର ହିତାଧିକାରୀମାନଙ୍କୁ ମୁକ୍ତ-ମାଲିକାନା ପ୍ରଦାନ କରାଯିବ। ଏହାଦ୍ୱାରା ପ୍ରାୟ ଏକ ଲକ୍ଷ ଲିଜ୍‌ଧାରୀ ଉପକୃତ ହେବେ। ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି।
ଓଡ଼ିଶା ଗୃହ ନିର୍ମାଣ ସଂସ୍ଥା(ଓଏସ୍‌ଏଚ୍‌ବି) ଓ ଉନ୍ନୟନ କର୍ତ୍ତୃପକ୍ଷ ମାନଙ୍କ ଲିଜ୍ ଆଧାରରେ ଆବାସିକ ପ୍ରକଳ୍ପରେ ଏକ ଲକ୍ଷରୁ ଅଧିକ ପରିବାରଙ୍କୁ କୋଠାଘର ବଣ୍ଟନ କରାଯାଇଛି। ଏହି ପ୍ଲଟ୍‌ ଓ ଘରଗୁଡିକର ହିତାଧିକାରୀମାନେ ଏହିପରି ସମ୍ପତ୍ତିର ମାଲିକାନା ପାଇବାକୁ ବ୍ୟାକୁଳ ହେଉଥିଲେ ସୁଦ୍ଧା କୌଣସି ବିଧିଗତ ବ୍ୟବସ୍ଥା ନଥିଲା। ତେଣୁ ରାଜ୍ୟ ସରକାରଙ୍କ ଏହି ନିଷ୍ପତ୍ତି କାର୍ଯ୍ୟକାରିତାକୁ ଏବେ ହିତାଧିକାରୀମାନେ ଏ ବାବଦରେ କର୍ତ୍ତୃପକ୍ଷମାନଙ୍କୁ ଆବଶ୍ୟକ ଫି ଗଣିବେ। ତେବେ ଭବିଷ୍ୟତରେ ଯେଉଁମାନେ ଏଭଳି ସଂସ୍ଥାମାନଙ୍କଠାରୁ ଜମି/ଘର କିଣିବେ ସେମାନେ ଆଉ କୌଣସି ଅସୁବିଧାର ସମ୍ମୁଖୀନ ହେବେ ନାହିଁ।
ଉଲ୍ଲେଖଯୋଗ୍ୟ, ସାରା ରାଜ୍ୟରେ ୨୭୯୭.୪୯୨ ଏକର ଜମିରେ ଓଡ଼ିଶା ଗୃହ ନିର୍ମାଣ ସଂସ୍ଥା(ଓଏସଏଚବି) ଏବଂ ଉନ୍ନୟନ କର୍ତ୍ତୃପକ୍ଷ ୯୯ଟି ପ୍ରକଳ୍ପ ଜରିଆରେ ଲୋକଙ୍କୁ ଘରଡିହ/ଘର ଆବଣ୍ଟନ କରିଛନ୍ତି।

Leave a Reply

Your email address will not be published. Required fields are marked *