Spread the love

ନୂଆଦିଲ୍ଲୀ: କଂଗ୍ରେସ ସାଂସଦ ରାହୁଲ୍‌ ଗାନ୍ଧୀଙ୍କୁ ତୀବ୍ର ସମାଲୋଚନା କରି ଶନିବାର ଦିନ ‘ବିଜେପି’ ସାଂସଦ ପ୍ରଜ୍ଞା ଠାକୁର କହିଛନ୍ତି ଯେ, ସେ ଚାଣକ୍ୟଙ୍କ ବାକ୍ୟକୁ ସତ୍ୟ ପ୍ରମାଣିତ କରିଛନ୍ତି।
ଜଣେ ବିଦେଶିନୀଙ୍କଠାରୁ ଜାତ ପୁତ୍ର କଦାପି ଦେଶପ୍ରେମୀ ହୋଇପାରେ ନାହିଁ ବୋଲି ଚାଣକ୍ୟ ଯାହା କହିଥିଲେ ତାହା ସତ୍ୟ ପ୍ରମାଣିତ ହୋଇଛି। ତେଣୁ, ବିଦେଶରେ ଦେଇଥିବା ମନ୍ତବ୍ୟ ଯୋଗୁଁ ତାଙ୍କୁ ଦେଶରୁ ବାହାର କରିଦିଆଯିବା ଦରକାର ବୋଲି ପ୍ରଜ୍ଞା ଠାକୁର କହିଛନ୍ତି।
ସୂଚନାଯୋଗ୍ୟ, ଚଳିତ ସପ୍ତାହରେ ଇଂଲଣ୍ଡ୍‌ ଗସ୍ତ ସମୟରେ ରାହୁଲ୍‌ ଗାନ୍ଧୀ କେମ୍ବ୍ରିଜ୍‌ ବିଶ୍ବବିଦ୍ୟାଳୟ ଏବଂ ଇଂଲଣ୍ଡ୍‌ ସଂସଦରେ ଭାରତ ବିରୋଧୀ ଟିପ୍ପଣୀ ଦେବା ସହିତ ନରେନ୍ଦ୍ର ମୋଦୀ ନେତୃତ୍ବାଧୀନ ସରକାରଙ୍କୁ ମଧ୍ୟ ତୀବ୍ର ସମାଲୋଚନା କରିଥିଲେ।
ସାଧ୍ବୀ ପ୍ରଜ୍ଞା ଭାବେ ସୁପରିଚିତା ଭୋପାଳ ଲୋକସଭା ଆସନର ସାଂସଦ ଠାକୁର କହିଛନ୍ତି, ଆପଣଙ୍କ ମାଆ ଇଟାଲୀୟ ହୋଇଥିବାରୁ ଆପଣ ଭାରତୀୟ ନୁହନ୍ତି ବୋଲି ଆମେ ଧରିନେଇଛୁ।
ସେ ଆହୁରି ମଧ୍ୟ କହିଛନ୍ତି, ସଂସଦ ସୁରୁଖୁରୁରେ ଚାଲିଲେ ଅଧିକ କାମ କରାଯାଇ ପାରିବ। ଯଦି ଅଧିକ କାମ ହୁଏ କଂଗ୍ରେସ ତିଷ୍ଠିବ ନାହିଁ। ସେମାନଙ୍କର ଅସ୍ତିତ୍ବ ବିଲୋପ ହେବାକୁ ଯାଉଛି। ଏବେ ତାଙ୍କ ମନୋଭାବ ବି କଳୁଷିତ ହୋଇଗଲାଣି।
ଆପଣ ଏ ଦେଶର ‌ଜଣେ ନେତା, ଏଠାକାର ଜନତାଙ୍କଦ୍ବାରା ନିର୍ବାଚିତ। କିନ୍ତୁ, ଏବେ ଜନସାଧାରଣଙ୍କୁ ଅପମାନ ଦେଉଛନ୍ତି। ବିଦେଶରେ ଆପଣ କହୁଛନ୍ତି କି, ସଂସଦରେ କହିବାକୁ ଆପଣଙ୍କୁ ସୁଯୋଗ ମିଳୁନି। ଏହାଠାରୁ ଲଜ୍ଜାକର କଥା ଆଉ କ’ଣ ଥାଇପାରେ। ତାଙ୍କୁ ରାଜନୀତି କରିବାକୁ ସୁଯୋଗ ଦେବା ଅନୁଚିତ। ବରଂ ତାଙ୍କୁ ଦେଶରୁ ବିତାଡ଼ିତ କରିବା କଥା।
ଉଲ୍ଲେଖଯୋଗ୍ୟ, ଚଳିତ ସପ୍ତାହ ପ୍ରାରମ୍ଭରେ ବ୍ରିଟିସ୍‌ ସାଂସଦମାନଙ୍କୁ ରାହୁଲ୍‌ ଗାନ୍ଧୀ କହିଥିଲେ ଯେ, ବିରୋଧୀମାନେ କହିବା ବ‌େଳେ ଭାରତୀୟ ସଂସଦରେ ମାଇକ୍ରୋଫୋନ୍‌ ବନ୍ଦ କରିଦିଆଯାଏ।

Leave a Reply

Your email address will not be published. Required fields are marked *