ରାଉରକେଲା : ପୁରୁଷ ହକି ବିଶ୍ବକପ୍ର ସଫଳ ଆୟୋଜନ ପାଇଁ ମାତ୍ର ୧୫ ମାସ ଭିତରେ ରାଉରକେଲାସ୍ଥ ବିପିୟୁଟି କ୍ୟାମ୍ପସ୍ ପରିସରରେ ବିଶ୍ବର ସର୍ବାଧିକ ସିଟ୍ ବିଶିଷ୍ଟ ସର୍ବବୃହତ ହକି ଷ୍ଟାଡିୟମ ନିର୍ମାଣ କରାଯାଇଥିଲା। ଏହି ଅତ୍ୟାଧୁନିକ ଷ୍ଟାଡିୟମରେ ୨୦ ହଜାର ୧୧ ଆସନର ବ୍ୟବସ୍ଥା ରହିଛି। ରାଜ୍ୟ ସରକାରଙ୍କ ଏହି ଉଲ୍ଲେଖନୀୟ ପ୍ରୟାସକୁ ବିଶ୍ବବ୍ୟାପୀ ପ୍ରଶଂସା କରାଯାଇଥିଲା। ଏମିତିକି ଜାନୁଆରି ୨୮ ତାରିଖରେ ବିଶ୍ବର ସର୍ବବୃହତ ଆସନ ବିଶିଷ୍ଟ ହକି ଷ୍ଟାଡିୟମ ଭାବେ ଗିନିଜ୍ ବୁକ୍ ଅଫ୍ ୱାର୍ଲଡ ରେକର୍ଡସ୍ରେ ସ୍ଥାନିତ ହୋଇଥିଲା ବିର୍ସା ମୁଣ୍ଡା ଷ୍ଟାଡିୟମ। ଏହି ରେକର୍ଡ ପାଇଁ ଶୁକ୍ରବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମାନ୍ୟତା ପ୍ରମାଣପତ୍ର ଗ୍ରହଣ କରିଛନ୍ତି।
ଭାରତ-ଜର୍ମାନୀ ପ୍ରୋ ଲିଗ୍ ମ୍ୟାଚ୍ର ମଧ୍ୟାନ୍ତର ସମୟରେ ମୁଖ୍ୟମନ୍ତ୍ରୀ ପଡ଼ିଆ ଭିତରକୁ ଯାଇ ପ୍ରମାଣପତ୍ର ଗ୍ରହଣ କରିଥିଲେ। ଏହାକୁ ଷ୍ଟାଡିୟମ୍ର ଚତୁଃପାର୍ଶ୍ବକୁ ପ୍ରଦର୍ଶନ କରିଥିଲା ବେଳେ ହଜାର ହଜାର ଦର୍ଶକଙ୍କ କରତାଳିରେ ଫାଟିପଡ଼ିଥିଲା ସମଗ୍ର ଷ୍ଟାଡିୟମ। ଏହି ମୂହୁର୍ତ୍ତକୁ ସ୍ମରଣୀୟ କରିବାକୁ ବେଶ୍ କିଛି ସମୟ ପର୍ଯ୍ୟନ୍ତ ଆତସବାଜି ମଧ୍ୟ ଫୁଟାଯାଇଥିଲା।
ପ୍ରମାଣପତ୍ର ଗ୍ରହଣ କରିବାପରେ ମୁଖ୍ୟମନ୍ତ୍ରୀ ଖୁସିବ୍ୟକ୍ତ କରି କହିଥିଲେ, ଏହି ଷ୍ଟାଡିୟମ ଗିନିଜ୍ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡରେ ସ୍ଥାନିତ ହେବା ସ୍ପଷ୍ଟ କରେ ଯେ ଆମ ରାଜ୍ୟ ବହୁତ ଆଗେଇଲାଣି। ଅନ୍ତର୍ଜାତୀୟ କ୍ରୀଡ଼ା ମାନଚିତ୍ରରେ ଓଡ଼ିଶା ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିସାରିଲାଣି। ଏହା ଆମ ସମସ୍ତଙ୍କ ପାଇଁ ଅତ୍ୟନ୍ତ ଗର୍ବର ବିଷୟ। ପ୍ରକଳ୍ପରେ ଅଂଶଗ୍ରହଣ କରିଥିବା ପ୍ରତ୍ୟେକ ବ୍ୟକ୍ତିବିଶେଷଙ୍କୁ ଧନ୍ୟବାଦ।
ହକି ପ୍ରତି ସୁନ୍ଦରଗଡ଼ ତଥା ଓଡ଼ିଶାର ଅସଂଖ୍ୟ ହକିପ୍ରେମୀ ଯୋଡ଼ି ହୋଇଛନ୍ତି। ହକି ପ୍ରତି ସେମାନଙ୍କ ଭଲପାଇବା ହିଁ ଆମକୁ ମାତ୍ର ୧୫ ମାସ ଭିତରେ ବିଶ୍ବର ସର୍ବବୃହତ ଷ୍ଟାଡିୟମ ନିର୍ମାଣ କରିବାକୁ ପ୍ରେରଣା ଦେଇଥିଲା। ‘ ମୁଁ ଏହି ସ୍ୱୀକୃତିକୁ ଓଡିଶାବାସୀଙ୍କୁ ଉତ୍ସର୍ଗ କରୁଛ’, ବୋଲି କହିଥିଲେ।