Spread the love

ନବରଙ୍ଗପୁର : ଆରମ୍ଭ ହୋଇଛି ମାଟ୍ରିକ ପରୀକ୍ଷା। ହେଲେ ବହୁ ଛାତ୍ରଛାତ୍ରୀ ପରୀକ୍ଷାରେ ଅନୁପସ୍ଥିତ ରହିଛନ୍ତି। କେବଳ ନବରଙ୍ଗପୁର ଜିଲ୍ଲାରୁ ୯୭୩ ଜଣ ପରୀକ୍ଷାର୍ଥୀ ଅନୁପସ୍ଥିତ ଅଛନ୍ତି। ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ଲାଗି ୧୫ ହଜାର ୫୩୩ ଜଣ ଛାତ୍ରଛାତ୍ରୀ ଫର୍ମ ପୂରଣ କରିଥିଲେ। ସେହିଭଳି ପୂର୍ବରୁ ସମେଟିଭ୍‌-1 ପରୀକ୍ଷା ବେଳେ ମଧ୍ୟ ଜିଲ୍ଲାରେ ୯୧୭ ଜଣପରୀକ୍ଷାର୍ଥୀ ଅନୁପସ୍ଥିତ ଥିଲେ। ଅନୁପସ୍ଥିତ ଥିବା ଛାତ୍ରଛାତ୍ରୀ ଅଧିକାଂଶ ସରକାରୀ ସ୍କୁଲର ବୋଲି ଜଣାପଡିଛି। ଜିଲ୍ଲାରେ ମୋଟ ୭୯ଟି ପରୀକ୍ଷା କେନ୍ଦ୍ରରେ ବୋର୍ଡ ପରୀକ୍ଷା ହେଉଥିବା ବେଳେ ପ୍ରାୟ ସମସ୍ତ କେନ୍ଦ୍ରରେ ପରୀକ୍ଷାର୍ଥୀ ଅନୁପସ୍ଥିତ ରହିଛନ୍ତି
ପ୍ରଥମ ଦିନରେ ସର୍ବାଧିକ ରାଇଘର ବ୍ଲକରେ ୧୯୬ ଜଣ ଛାତ୍ରଛାତ୍ରୀ ଅନୁପସ୍ଥିତ ଥିବା ବେଳେ ସର୍ବନିମ୍ନ ଚନ୍ଦାହାଣ୍ଡି ବ୍ଲକରୁ ୫୪ ଜଣ ଛାତ୍ରଛାତ୍ରୀ ଅନୁପସ୍ଥିତ ରହିଥିବା ଜଣାପଡ଼ିଛି। ଅଧିକାଂଶ ଛାତ୍ରଛାତ୍ରୀ ସ୍କୁଲରେ ନାମ ଲେଖାଉଥିଲେ ମଧ୍ୟ ଫର୍ମପୂରଣ ପରେ ରୋଜଗାର ଲାଗି ଦାଦନ ଖଟିବାକୁ ବାହାର ରାଜ୍ୟକୁ ଚାଲି ଯାଉଥିବା ଆଶଙ୍କା କରାଯାଉଛି। ସେପଟେ ପିଲା କାହିଁକି ପରୀକ୍ଷା ଦେଉନାହାନ୍ତି, ଏହାର ସମୀକ୍ଷା କରାଯିବ ବୋଲି କହିଛନ୍ତି ଜିଲ୍ଲା ଶିକ୍ଷାଧିକାରୀ।
ଅନ୍ୟପକ୍ଷରେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ କହିଛନ୍ତି, ନିର୍ଦ୍ଦିଷ୍ଟ ଭାବେ କୌଣସି ତଥ୍ୟ ବୋର୍ଡକୁ ଆସିନି। ପରୀକ୍ଷା ଶେଷ ହେଲେ କେତେ ପିଲା ଅନୁପସ୍ଥିତ ଥିଲେ ଜଣାପଡିବ।

Leave a Reply

Your email address will not be published. Required fields are marked *