Spread the love

ନୂଆଦିଲ୍ଲୀ : ପୁଣି ରାଜଧାନୀରେ ଲଜ୍ଜା। ରଙ୍ଗ ବୋଳିବା ନାଁରେ ଜାପାନୀ ମହିଳାଙ୍କୁ ଅସଦାଚରଣ। ବିଚ୍ ରାସ୍ତାରେ ମହିଳାଙ୍କୁ ଦୁର୍ବ୍ୟବହାର କଲେ ଦୁର୍ବୃତ୍ତ। ଏହି ମାମଲାରେ ପୁଲିସ ଜଣେ ନାବାଳକଙ୍କ ସମେତ ୪ ଜଣଙ୍କୁ ଗିରଫ କରିଛି। ରାଜଧାନୀ ଦିଲ୍ଲୀରେ ଏହି ଲଜ୍ଜାଜନକ ଘଟଣା ଘଟିଛି। ହୋଲି ଦିନ ଏଠାରେ ଜଣେ ଜାପାନୀ ମହିଳାଙ୍କୁ କିଛି ଯୁବକ ରଙ୍ଗ ଲଗାଇବା ବାହାନାରେ ଅସଦାଚରଣ କରିଛନ୍ତି। ମହିଳା ଜଣକ ମନା କରିବା ସତ୍ତ୍ୱେ ବି ଦୁର୍ବୃତ୍ତମାନେ କିଛି ଶୁଣି ନଥିଲେ। ରଙ୍ଗ ଲଗାଇବା ସହ ଅଣ୍ଡା ମଧ୍ୟ ତାଙ୍କ ମୁଣ୍ଡରେ ଭାଙ୍ଗିଛନ୍ତି। ଯାହାର ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।
ଦଳେ ଲୋକ ‘ହୋଲି ହୈ’ ଚିତ୍କାର କରି ବ୍ୟତିବ୍ୟସ୍ତ ହେଉଥିବା ଜଣେ ମହିଳାଙ୍କୁ ଘେରି ଟଣାଓଟରା କରି ରଙ୍ଗ ମାରୁଛନ୍ତି। ସେ ବାରମ୍ବାର ମନା କରିବା ସତ୍ତ୍ୱେ ବି କେହି ଶୁଣୁନାହାନ୍ତି। ଲୋକମାନଙ୍କ ମଧ୍ୟରୁ କିଏ ଜଣେ ସେ ମହିଳାଙ୍କ ମୁଣ୍ଡରେ ଅଣ୍ଡାଟିଏ ପିଟି ଭାଙ୍ଗୁଥିବା ବି ସାମ୍ନାକୁ ଆସିଥିବା ଭିଡିଓରେ ଦେଖିବାକୁ ମିଳିଛି।
ପୁଲିସ କହିବା ଅନୁସାରେ, ହୋଲି ଖେଳ ସମୟରେ ରଙ୍ଗ ମାରିବା ବାହାନାରେ ଉକ୍ତ ଜାପାନୀ ମହିଳା ସହିତ କିଛି ଦୁର୍ବୃତ୍ତ ଅସଦାଚରଣ କରିଥିଲେ। ସେ ସମୟର ଦୃଶ୍ୟ ଭାଇରାଲ୍ ହେବା ପରେ ସେମାନଙ୍କୁ ଗିରଫ କରାଯାଇଛି। ଫିଲ୍‌ଡ୍ ଅଫିସର୍ ଏବଂ ସ୍ଥାନୀୟ ଗୁଇନ୍ଦାଙ୍କ ଉଦ୍ୟମ ଯୋଗୁଁ ଭିଡିଓରେ ଦେଖାଯାଉଥିବା ଜାପାନୀ ମହିଳାଙ୍କୁ ଚିହ୍ନଟ କରାଯାଇଥିଲା। ଧରାପଡ଼ିଥିବା ୪ ଦୁର୍ବୃତ୍ତ ଦୋଷ ସ୍ୱୀକାର କରିଛନ୍ତି।
ଦିଲ୍ଲୀ ଡିସିପି ସଞ୍ଜୟ କୁମାର ସୈନ୍ କହିଛନ୍ତି, ପୀଡ଼ିତ ମହିଳାଙ୍କୁ ଚିହ୍ନଟ କରିବାରେ ସହାୟତା କରିବା ଲାଗି ଜାପାନୀ ଦୂତାବାସ ସହିତ ଯୋଗାଯୋଗ କରାଯାଇଥିଲା। କିନ୍ତୁ ଘଟଣା ସଂକ୍ରାନ୍ତରେ ସେମାନଙ୍କ ନିକଟରେ କୌଣସି ସୂଚନା ନାହିଁ ବୋଲି ସମୋନେ କହିଥିଲେ। ପୁଲିସ କହିବା ଅନୁସାରେ, ମହିଳାଜଣକ ହେଉଛନ୍ତି ଜେଣ ଜାପାନୀ ପର୍ଯ୍ୟଟକ। ସେ ଜାତୀୟ ରାଜଧାନୀର ପହାଡ଼ଗଞ୍ଜରେ ରହୁଥିଲେ। ଏବେ ସେ ବାଂଲାଦେଶ ଚାଲିଯାଇଛନ୍ତି। ତେବେ ପହାଡ଼ଗଞ୍ଜ ଥାନାରେ ଏ ସଂକ୍ରାନ୍ତରେ କୌଣସି ଲିଖିତ ଅଭିଯୋଗ ହୋଇନାହିଁ।
ସେପଟେ ଏହି ଘଟଣାକୁ ନେଇ ଦିଲ୍ଲୀ ମହିଳା କମିଶନ ଅଧ୍ୟକ୍ଷା ସ୍ୱାତୀ ମାଲେୱାଲ ନିନ୍ଦା କରିଛନ୍ତି। ସେ ଟ୍ୱିଟ୍ କରି କହିଛନ୍ତି, ଯେତେଥର ଏହି ଭିଡିଓକୁ ଦେଖୁଛି ସେତେଥର ମୋ ରକ୍ତ ଗରମ ହୋଇଯାଉଛି। କିଛି ବି ହେଉଯାଉ ମୁଁ ଏହି ଦୁର୍ବୃତ୍ତଙ୍କୁ ଛାଡିବି ନାହିଁ। ଏମାନେ ସମସ୍ତେ ନିଶ୍ଚିତ ରୂପେ ଜେଲ୍ ଯିବେ।

Leave a Reply

Your email address will not be published. Required fields are marked *