Spread the love

କୋଲକାତା: ବିନା ବୈଧ କାଗଜପତ୍ରରେ ଅନ୍ୟ ପ୍ରବାସୀଙ୍କୁ ଦେଶ ଭିତରକୁ ପ୍ରବେଶ କରାଇବା ଅଭିଯୋଗରେ ବାଂଲାଦେଶର ୪ ଜଣ ବେଆଇନ ପ୍ରବାସୀଙ୍କୁ ଶନିବାର କୋଲକାତାର ସଲ୍‌ଟଲେକ୍‌ ସେକ୍ଟର-୫ରୁ ଗିରଫ କରାଯାଇଛି।
ହସ୍ତଗତ ହୋଇଥିବା ରିପୋର୍ଟରୁ ପ୍ରକାଶ, ବିନା ବୈଧ କାଗଜପତ୍ରରେ ଅନ୍ୟ ବିଦେଶୀ ପ୍ରବାସୀଙ୍କୁ ଦେଶ ଭିତରକୁ ପ୍ରବେଶ କରାଇବା ଅଭିଯୋଗରେ ପଶ୍ଚିମବଙ୍ଗ ସ୍ପେଶାଲ ଟାସ୍କ ଫୋର୍ସ (ଏସଟିଏଫ) କୋଲକାତାର ସଲ୍‌ଟଲେକ୍‌ ସେକ୍ଟର-୫ ଅଞ୍ଚଳରେ ବାଂଲାଦେଶରୁ ଆସିଥିବା ୪ ଜଣ ବେଆଇନ ପ୍ରବାସୀଙ୍କୁ ଗିରଫ କରିଛି।
ଏମାନେ ବେଆଇନ ଭାବେ ଭାରତୀୟ ଅଞ୍ଚଳ ମଧ୍ୟକୁ ଅନୁପ୍ରବେଶ କରି ଜାଲ୍‌ ଭାରତୀୟ କାଗଜପତ୍ର ହାସଲ କରିଥିବା ଅଭିଯୋଗରେ ସ୍ପେଶାଲ ଟାସ୍କ ଫୋର୍ସ ଏହି ୪ ଜଣ ପ୍ରବାସୀଙ୍କୁ ଗିରଫ କରିଛି।
ଏସ୍‌ଟିଏଫ୍‌ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଅଭିଯୁକ୍ତମାନେ ଅନ୍ୟ ବାଂଲାଦେଶୀ ନାଗରିକଙ୍କୁ ଭାରତରେ ଅନୁପ୍ରବେଶ କରାଇବାରେ ସାହାଯ୍ୟ କରୁଥିଲେ। ଅଭିଯୁକ୍ତମାନେ ବାଂଲାଦେଶୀ ନାଗରିକମାନଙ୍କୁ ନକଲି ଭାରତୀୟ ଦସ୍ତାବିଜ ହାସଲ କରିବା ଏବଂ ଦେଶର ବିଭିନ୍ନ ସ୍ଥାନକୁ ସ୍ଥାନାନ୍ତର କରିବାରେ ମଧ୍ୟ ସାହାଯ୍ୟ କରିଥିଲେ।
ଗିରଫ ଅଭିଯୁକ୍ତମାନେ ହେଲେ ଢାକାର ଶେଖ୍‌ ଅବଦୁଲ୍ଲା (୨୪), ଚିଟଗାଓଁର ଇମାମ ହୁସେନ୍‌ (୨୬), ଖୁଲନାର ଅବଦୁର ସୋବୁର (୨୪) ଓ ଖୈରୁଲ ଇସଲାମ (୨୭)।
ଅଭିଯୁକ୍ତଙ୍କ ବିରୋଧରେ ଇଲେକ୍ଟ୍ରୋନିକ୍‌ କମ୍ପ୍ଲେକ୍ସ ଥାନାରେ ଏକ ମାମଲା ରୁଜୁ ହୋଇଛି। ଅଭିଯୁକ୍ତଙ୍କୁ ବିଧାନନଗର କୋର୍ଟରେ ହାଜର କରାଯାଇ ପୁଲିସ ରିମାଣ୍ଡରେ ନେବାକୁ ଆବେଦନ କରାଯିବ ବୋଲି ଏସ୍‌ଟିଏଫ ସୂତ୍ରରୁ ଜଣାପଡ଼ିଛି।

Leave a Reply

Your email address will not be published. Required fields are marked *