Spread the love

ନୂଆଦିଲ୍ଲୀ: ପୂର୍ବ ରେଳମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କ ଝିଅ ରୋହିଣୀ ଆଚାର୍ଯ୍ୟ ସୋସିଆଲ୍‌ ମିଡିଆରେ ପୋଷ୍ଟ୍‌ କରି ନିଜ ସମସ୍ୟା ଜାହିର କରିବାର ସୁଯୋଗ କେବେ ବି ଛାଡ଼ନ୍ତି ନାହିଁ। ସେ ଆଜି ଅନେକ ଟ୍ବିଟ୍‌ ପୋଷ୍ଟ୍‌ ଜରିଆରେ କେନ୍ଦ୍ର ସରକାର ତାଙ୍କ ପରିବାର ଲୋକଙ୍କୁ ନିର୍ଯାତନା ଦେଉଛନ୍ତି ବୋଲି ଅଭିଯୋଗ ଆଣିଛନ୍ତି।
‌‌ରୋହିଣୀ ଆଜି ଅନେକ ଗୁଡ଼ିଏ ଟ୍ବିଟ୍‌ କରି ଲେଖିଛନ୍ତି କି ‘ବାସ୍‌ ତାଙ୍କ ଲକ୍ଷ୍ୟ ହେଉଛି କୌଣସି ବି ଉପାୟରେ ଲାଲୁ ଯାଦବଙ୍କ ପରିବାର ଲୋକଙ୍କୁ ଭାଙ୍ଗିଦେବା। ନୀଚ୍ଚତାର ସବୁ ସୀମା ପାର୍‌ ‌ହୋଇଯାଉ ପଛେ, ଇଏ ଲୋକ କରୁଥିଲେ ଓ କରିବେ। ତମମାନଙ୍କ ମନ୍ଦ ଉଦ୍ଦେଶ୍ୟକୁ ଆମେ ଧୂଳିସାତ୍‌ କରିବା ଜାଣୁ। ଆମେ ଲାଲୁବାଦୀ।’
ସେ ଅନ୍ୟ ଏକ ଟ୍ବିଟ୍‌ କରି ଲେଖିଛନ୍ତି, ‘ଅନ୍ୟାୟକୁ ଆମ‌େ ମନେ ରଖିବୁ। ଏସବୁକୁ ମନେ ରଖାଯିବ। ଭଉଣୀର ଛୋଟ ଛୋଟ ପିଲା କ’ଣ ଭୁଲ୍‌ କରିଛନ୍ତି? ମୋର ଗର୍ଭବତୀ ଭାଉଜ କ’ଣ ଭୁଲ୍‌ କରୁଛନ୍ତି? କାହିଁକି ସମସ୍ତଙ୍କୁ ଅତ୍ୟାଚାର କରାଯାଉଛି? ସେମାନଙ୍କ ଦୋଷ ଖାଲି ଏତିକି ଯେ ସେମାନେ ଅନ୍ୟାୟ ଆଗରେ ନଇଁ ନାହାନ୍ତି। ସମୟ ଆସିବା ମାତ୍ରେ ତମମାନଙ୍କୁ ଏ ଅନ୍ୟାୟର ଫଳ ମିଳିବ।’ ଅନ୍ୟ ଏକ ପୋଷ୍ଟ୍‌ରେ ରୋହିଣୀ ଲେଖିଛନ୍ତି, ‘ଲାଲୁଜୀଙ୍କ ପରିବାର ଡରିବା ନୁହେଁ, ଲଢ଼ିବା ଶିଖିଛି।’
ସିବିଆଇ ରୋହିଣୀଙ୍କ ମାଆ ରାବ୍ରି ଦେବୀଙ୍କ ପାଟ୍‌ନାସ୍ଥିିତ ଘରକୁ ଯାଇ ଜେରା କରିଥିବା ବେଳେ ଭଉଣୀ ସୀମାଙ୍କୁ ତାଙ୍କ ଦିଲ୍ଳୀ ଘରେ ଜେରା କରିଛି। ‘ଚାକିରି ବଦଳରେ ଜମି’ ଦୁର୍ନୀତି ମାମଲାର ଦତନ୍ତ କରି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ୧୫ଟି ସ୍ଥାନରେ ଚଢ଼ାଉ କରିବା ନେଇ ରୋହିଣୀ ଏହି ସବୁ ଟ୍ବିଟ୍‌ କରିଛନ୍ତି।

Leave a Reply

Your email address will not be published. Required fields are marked *