Spread the love

ଭୁବନେଶ୍ବର : ଦିଲ୍ଲୀ ଘଟଣାର ପୁନରାବୃତ୍ତି ହୋଇଛି ରାଜଧାନୀ ଭୁବନେଶ୍ୱରରେ । ଦିଲ୍ଲୀରେ ଏକ କାର୍‌ ସ୍କୁଟି ଚଳାଉଥିବା ଯୁବତୀଙ୍କୁ ଧକ୍କା ଦେଇ ୪ କିମି ଯାଏ ଘୋଷାଡ଼ି ନେବା ଘଟଣା ମନରୁ ନ ଲିଭୁଣୁ ଏପରି ଘଟଣାର ରିପିଟ୍‌ ଭୁବନେଶ୍ୱରରେ ହୋଇଛି। ମହିଳାଜଣକ ଏପରି ଏକ ମର୍ମନ୍ତୁଦ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଥିବା ବେଳେ ଆହତ ହୋଇଥିବା ଜଣାଯାଇଛି। ହେଲେ ତାଙ୍କ ପରିଚୟ ମିଳିପାରିନି ।
ମହିଳାଜଣକ ଆଜି ସକାଳେ ଏଜି ଛକରେ ନିଜ ସ୍କୁଟି ଯୋଗେ ଯାଉଥିଲେ। ଏହି ସମୟରେ ଦ୍ରୁତ ଗତିରେ ଆସୁଥିବା ଏକ କାର୍‌ ମହିଳାଙ୍କୁ ଧକ୍କା ଦେଇଥିଲା। ଫଳରେ ମହିଳାଜଣକ ଛିଟିକି ପଡ଼ିଥିବା ବେଳେ କାର୍‌ଟି ସ୍କୁଟିକୁ ରବୀନ୍ଦ୍ର ମଣ୍ଡପ ଯାଏ ଘୋଷାଡ଼ି ନେଇଥିଲା।
ଏଜି ଛକ ପରି ବ୍ୟସ୍ତବହୁଳ ଛକରେ ଏପରି ଦୃଶ୍ୟ ଦେଖି ସ୍ଥାନୀୟ ଲୋକେ କାର୍‌ଟିକୁ ଅଟକାଇବାକୁ ଚେଷ୍ଟା କରିଥିବା ବେଳେ ତାହା ଅଟକି ନ ଥିଲା। ଏହାପରେ ଟ୍ରାଫିକ କର୍ମଚାରୀ ଗାଡ଼ିଟିର ପିଛା କରି ରବୀନ୍ଦ୍ର ମଣ୍ଡପ ନିକଟରେ ତାହାକୁ ଅଟକାଇଥିଲେ।
ଟ୍ରାଫିକ୍‌ ପୁଲିସ୍‌ କାର୍‌ଟିକୁ ଜବତ କରିଥିବା ବେଳେ ଏହାର ଚାଳକଙ୍କୁ ଅଟକ ରଖିଛନ୍ତି। ଏହି ଦୁର୍ଘଟଣାରେ ଆହତ ହୋଇଥିବା ମହିଳାଙ୍କୁ ଚିକିତ୍ସା ନିମନ୍ତେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ଜଣାଯାଇଛି। କାର୍‌ରୁ ଛିଟିକି ପଡ଼ିଥିବାରୁ ମହିଳାଜଣକ ଅଳ୍ପକେ ବର୍ତ୍ତି ଯାଇଥିବା ସ୍ଥାନୀୟ ଲୋକେ କହିଛନ୍ତି ।

Leave a Reply

Your email address will not be published. Required fields are marked *