Spread the love

ନୂଆଦିଲ୍ଲୀ : ଦିଲ୍ଲୀର ତଥାକଥିତ ଅବକାରୀ ନୀତି ଦୁର୍ନୀତି ଘଟଣାରେ ପୁଣି ଜଣଙ୍କୁ ଗିରଫ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବା ଇଡି। ଆଜି ଇଡି ହାଇଦ୍ରାବାଦର ବ୍ୟବସାୟୀ ଅରୁଣ ରାମଚନ୍ଦ୍ରନ ପିଲ୍ଲାଇଙ୍କୁ ଗିରଫ କରିଛି। ଅରୁଣଙ୍କୁ ଇଡି ଦୁର୍ନୀତି ଘଟଣାର ଅଭିଯୁକ୍ତ ଭାବେ ପୂର୍ବରୁ ଦର୍ଶାଇଥିଲେ। ସେ ହେଉଛନ୍ତି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆରଙ୍କ ଝିଅ କେ କିବତାଙ୍କ ଘନିଷ୍ଠ ସହଯୋଗୀ। ବିଆରଏସ୍‌ ନେତ୍ରୀ କବିତାଙ୍କ ମାଲିକାନାରେ ଥିବା ଗୋଟିଏ କମ୍ପାନୀରେ ଅରୁଣ କାମ କରୁଥିଲେ।
ଇଡି ପୂର୍ବରୁ ଦାଖଲ କରିଥିବା ଚାର୍ଜଶିଟରେ କେ କବିତାଙ୍କ ନାଁ ଉଲ୍ଲେଖ କରିଥିଲା। ମଦ କମ୍ପାନୀ ଇଣ୍ଡୋସ୍ପିରିର ୬୫% ଅଂଶଧନ କବିତାଙ୍କ ନାଁରେ ରହିଥିବା ଅଭିଯୋଗ ହୋଇଛି। ଏଥିପାଇଁ ଇଡି କବିତାଙ୍କୁ ୨୦୨୨ ମସିହା ଡିସେମ୍ବର ୧୧ରେ ଜେରା କରିଥିଲା। ଇଡିର ଗୋଟିଏ ଟିମ ହାଇଦ୍ରାବାଦ ସ୍ଥିତ କବିତାଙ୍କ ଘରେ ପହଞ୍ଚି ଦୀର୍ଘ ସମୟ ଧରି ତାଙ୍କୁ ବିଭିନ୍ନ ପ୍ରଶ୍ନ କରିଥିଲା।
ଇଡି ଭଳି ସିବିଆଇ ମଧ୍ୟ ତଥାକଥିତ ଅବକାରୀ ନୀତି ଦୁର୍ନୀତି ଘଟଣାର ତଦନ୍ତ କରୁଛି। ସିବିଆଇ ପୂର୍ବରୁ କହିଥିଲା ଯେ ଅରୁଣ ପିଲ୍ଲାଇ ଇଣ୍ଡୋସ୍ପିରିଟ କମ୍ପାନୀର ମାଲିକ ସମୀର ମହେନ୍ଦ୍ରଙ୍କ ଠାରୁ ଅହେତୁକ ଅନୁକମ୍ପା ପାଇଥିଲେ। ସେ ବିଜୟ ନାୟରଙ୍କ ଦ୍ୱାରା ସରକାରୀ କର୍ମଚାରୀଙ୍କୁ ପ୍ରଭାବିତ କରିଥିଲେ। ବିଜୟ ନାୟର ହେଉଛନ୍ତି ଆମ ଆଦମୀ ପାର୍ଟିର କମ୍ୟୁନିକେସନ ଇନଚାର୍ଜ। ସମୀର ଓ ବିଜୟଙ୍କୁ ପୂର୍ବରୁ ଇଡି ଏହି ତଥାକଥିତ ଦୁର୍ନୀତି ଘଟଣାରେ ଗିରଫ କରି ସାରିଛି।
୨୦୨୨ ଅକ୍ଟୋବରରେ ସିବିଆଇ ଅରୁଣ ପିଲ୍ଲାଇଙ୍କୁ ଗିରଫ କରିଥିଲା। ତାଙ୍କର ସମ୍ପର୍କ ଅଭିଷେକ ବୋଇନପାଲ୍ଲୀଙ୍କ ସହ ରହିଥିବା ଜଣାପଡ଼ିବା ପରେ ଏପରି ଗିରଫଦାରୀ ହୋଇଥିଲା। ଅଭିଷେକ ହେଉଛନ୍ତି ରବିନ ଡିଷ୍ଟ୍ରିବ୍ୟୁସନ ଏଲଏଏପିର କମ୍ପାନୀର ମାଲିକ। ଏହା ଏକ ଶେଲ କମ୍ପାନୀ। ଅବକାରୀ ନୀତିରୁ ମିଳୁଥିବା ଫାଇଦା ବାବଦ କମିସିନ ଏହି କମ୍ପାନୀ ଦ୍ୱାରା ନିୟନ୍ତ୍ରଣ ହେଉଥିବା ସିବିଆଇ କହିଥିଲା।
ଅନ୍ୟପକ୍ଷରେ ଆଜି ଇଡି ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ଜେରା କରିଛି। ସିବିଆଇ ଦ୍ୱାରା ଗିରଫ ହୋଇ ତିହାର ଜେଲରେ ଥିବା ସିସୋଦିଆଙ୍କୁ ସେହି ଠାରେ ଜେରା କରାଯାଉଛି।

Leave a Reply

Your email address will not be published. Required fields are marked *