Spread the love

ଭୁବନେଶ୍ବର : ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ ହୋଇଛନ୍ତି ରାଜ୍ୟ ସରକାରଙ୍କ ଦୁଇ ଜଣ ବରିଷ୍ଠ ଅଧିକାରୀ। ସେମାନେ ହେଉଛନ୍ତି- ଖଣି ନିର୍ଦ୍ଦେଶାଳୟର ଅତିରିକ୍ତ ନିର୍ଦ୍ଦେଶକ ଉମେଶ ଚନ୍ଦ୍ର ଜେନା ଓ ଭବାନୀପାଟଣାରେ ଅବସ୍ଥାପିତ କେବିକେ କ୍ଷୁଦ୍ର ଜଳସେଚନ ସର୍କଲର ଅତିରିକ୍ତ ମୁଖ୍ୟଯନ୍ତ୍ରୀ କନ୍ଦର୍ପ ପ୍ରଧାନ।
ଗତକାଲି ଏହି ଦୁଇ ଅଧିକାରୀଙ୍କ ବାସଭବନ ସହିତ ଅନ୍ୟାନ୍ୟ ଠିକଣାରେ ଚଢ଼ାଉ କରିଥିଲା ଭିଜିଲାନ୍ସ। ଉମେଶଙ୍କର ଖୋର୍ଦ୍ଧା ଓ କେନ୍ଦୁଝର ଜିଲ୍ଲାରେ ଥିବା ୧୩ଟି ଠିକଣାରେ ଚଢ଼ାଉ କରାଯାଇଥିଲା। ସେହିପରି ଅତିରିକ୍ତ ମୁଖ୍ୟଯନ୍ତ୍ରୀ କନ୍ଦର୍ପ ପ୍ରଧାନଙ୍କର ଖୋର୍ଦ୍ଧା, ଅନୁଗୋଳ ଓ କଳାହାଣ୍ଡିରେ ଥିବା ମୋଟ ୮ଟି ଠିକଣାରେ ଚଢ଼ାଉ କରାଯାଇଥିଲା।
ଖଣି ନିର୍ଦ୍ଦେଶାଳୟର ଅତିରିକ୍ତ ନିର୍ଦ୍ଦେଶକ ଉମେଶ ଚନ୍ଦ୍ର ଜେନାଙ୍କର ଆୟ ଠାରୁ ୩୬୮ ପ୍ରତିଶତ ଅଧିକ ସମ୍ପତ୍ତି ଠାବ କରାଯାଇଥିବା ବେଳେ କେବିକେ କ୍ଷୁଦ୍ର ଜଳସେଚନ ସର୍କଲ ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ କନ୍ଦର୍ପ ପ୍ରଧାନ ଆୟ ଠାରୁ ୭୫ ପ୍ରତିଶତ ଅଧିକ ସମ୍ପତ୍ତି ଠାବ କରାଯାଇଛି।
ଉମେଶ ଚନ୍ଦ୍ର ଜେନାଙ୍କର ଭୁବନେଶ୍ୱରରେ ଗୋଟିଏ ବହୁତଳ କୋଠା ଥିବା ବେଳେ କେନ୍ଦୁଝରରେ ୩ଟି କୋଠା ଅଛି। କେନ୍ଦୁଝରରେ ତାଙ୍କର ୫ଟି ପ୍ଲଟ୍ ଥିବା ବେଳେ ତାଙ୍କ ଠାରୁ ୨ଟି ଚାରି ଚକିଆ ଗାଡ଼ି, ୨ଟି ଦୁଇ ଚକିଆ ଗାଡ଼ି ଓ ୬୫୦ ଗ୍ରାମର ସୁନା ଗହଣା ଜବତ କରାଯାଇଛି। ସେହିପରି ତାଙ୍କ ଘରୁ ନଗଦ ୧ କୋଟି ୬୪ ଲକ୍ଷ ଟଙ୍କା ଜବତ କରାଯାଇଥିଲା।
ଅନ୍ୟପକ୍ଷରେ କନ୍ଦର୍ପ ପ୍ରଧାନଙ୍କର ଭୁବନେଶ୍ୱରରେ ୩ଟି ଫ୍ଲାଟ୍ ରହିଛି। ଅନୁଗୋଳରେ ତାଙ୍କର ୨ଟି କୋଠା ରହିଛି। ଅନୁଗୋଳ ସହର ଓ ଏହା ଆଖପାଖ ଅଞ୍ଚଳରେ ତାଙ୍କର ୫ଟି ପ୍ଲଟ୍ ଠାବ କରାଯାଇଛି। ତାଙ୍କ ଠାରୁ ୨ଟି ଚାରି ଚକିଆ ଗାଡ଼ି, ଗୋଟିଏ ଦୁଇ ଚକିଆ ଗାଡ଼ି ଓ ୫୩୦ ଗ୍ରାମ ସୁନା ଗହଣା ଜବତ କରାଯାଇଛି।
ଏହି ଦୁଇଟି ମାମଲାରେ ଭିଜିଲାନ୍ସ ପକ୍ଷରୁ ଅଧିକ ତଦନ୍ତ ଜାରି ରହିଛି।

Leave a Reply

Your email address will not be published. Required fields are marked *