Spread the love

ବ୍ରହ୍ମପୁର: ଏମ୍‌କେସିଜି ବଡ଼ ଡାକ୍ତରଖାନାରେ ସିଟି ସ୍କାନ୍‌ ମେସିନ୍‌ ପୁଣି ଖରାପ୍‌ ହୋଇଯାଇଛି। ଫଳରେ ରୋଗୀମାନଙ୍କୁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଛି। ଦୁଇଟି ମେସିନ୍‌ ମଧ୍ୟରୁ ଗୋଟିଏ ଅଚଳ ଥିବାରୁ ରୋଗୀମାନେ ପରୀକ୍ଷା କରିବା ପାଇଁ ହନ୍ତସନ୍ତ ହେଉଛନ୍ତି। ସିଟିସ୍କାନ୍‌ ପାଇଁ ରୋଗୀମାନେ ଘଣ୍ଟାଘଣ୍ଟା ଧରି ଲମ୍ବା ଲାଇନ୍‌ରେ ଛିଡ଼ା ହୋଇ ଛଟପଟ ହେଉଛନ୍ତି। ଆଜି ପିଏମ୍ଏସ୍‌ଏସ୍‌ୱାଇ କୋଠାରେ ଥିବା ମେସିନ୍‌ ହଲ୍‌ ବାହାରେ ପରୀକ୍ଷା କରିବା ପାଇଁ ରୋଗୀଙ୍କ ଲମ୍ବା ଲାଇନ୍‌ ଦେଖିବାକୁ ମିଳିଥିଲା। ଏଭଳି ସ୍ଥିତିରେ ଗୁରୁତର ରୋଗୀ ଘରୋଇ ଡାଇଗ୍ନୋଷ୍ଟିକ୍‌ ସେଣ୍ଟର୍‌କୁ ଯିବାକୁ ବାଧ୍ୟ ହେଉଛନ୍ତି। ତୁରନ୍ତ ସିଟି ସ୍କାନ୍‌ ସେବା ସ୍ବାଭାବିକ କରିବାକୁ ବିଭିନ୍ନ ମହଲରେ ଦାବି ହୋଇଛି।

ଏମ୍‌କେସିଜି ବଡ଼ଡାକ୍ତରଖାନାରେ ଥିବା ସିଟି ସ୍କାନ୍‌ ମେସିନ୍‌ର ପରିଚାଳନା ଦାୟିତ୍ବ କଟକର ଏକ ଘରୋଇ ସଂସ୍ଥାକୁ ଦିଆଯାଇଛି। ଏମ୍‌କେସିଜି ପରିସରରେ ଥିବା ରଂଜନରଶ୍ମି ବିଭାଗ ଅଧୀନରେ ଏହି ମେସିନ୍‌ ରହିଛି। ୫ଦିନ ହେଲା ମେସିନ୍‌ଟି ଖରାପ୍‌ ହୋଇ ରହିଥିଲା। ଫଳରେ ରୋଗୀ ଏଠାରୁ ସେବା ପାଇପାରି ନଥିଲେ। କଟକର ସଂସ୍ଥା ମେସିନ୍‌ ପରିଚାଳନା ଦାୟିତ୍ବରେ ରହିଛି। ସଂସ୍ଥା ତରଫରୁ ମେସିନ୍‌ ମରାମତି କରାଯାଇଥିଲା। ହେଲେ ଦିନକ ପରେ ପୁଣିଥରେ ତାହା ଖରାପ୍‌ ହୋଇଯାଇଥିଲା। ଫଳରେ ରୋଗୀମାନେ ଗତକାଲି ଠାରୁ ଆଉ ସେବା ପାଇପାରୁ ନାହାନ୍ତି। ପିଏମ୍ଏସ୍‌ଏସ୍‌ୱାଇ କୋଠାରେ ମଧ୍ୟ ଏକ ସିଟି ସ୍କାନ୍‌ ମେସିନ୍‌ ରହିଛି। ପ୍ରତିଦିନ ଉଭୟ ମେସିନ୍‌ରେ ପ୍ରାୟ ଦେଢ଼ଶହ ରୋଗୀଙ୍କ ପରୀକ୍ଷା କରାଯାଉଛି।

ଘରୋଇ ସଂସ୍ଥା ଦ୍ବାରା ପ୍ରାୟ ଶହେ ପରୀକ୍ଷା କରାଯାଉଥିବା ବେଳେ ପିଏମ୍‌ଏସ୍‌ଏସ୍‌ୱାଇ କୋଠାରେ ଥିବା ମେସିନ୍‌ରେ ୫୦ଜଣଙ୍କ ପରୀକ୍ଷା କରାଯାଉଛି। ଏବେ ଗୋଟିଏ ମେସିନ୍‌ ଥିବାରୁ ରୋଗୀଙ୍କ ପ୍ରବଳ ଭିଡ଼ ଜମୁଛି। ପିଏମ୍‌ଏସ୍ଏସ୍‌ୱାଇ କୋଠାରେ ଥିବା ମେସିନ୍‌ ସରକାରୀ ଛୁଟିଦିନରେ ବନ୍ଦ ରହିଥାଏ। ଏଣୁ ସରକାରୀ ଛୁଟିରେ ଏମ୍‌କେସିଜିରେ ସିଟି ସ୍କାନ୍‌ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଉଛି। ଏ ସମ୍ପର୍କରେ ଏମ୍‌କେସିଜି ବଡ଼ ଡାକ୍ତରଖାନା ଅଧୀକ୍ଷକ ପ୍ରଫେସର ସନ୍ତୋଷ ମିଶ୍ର କହନ୍ତି, ଖରାପ୍‌ ହୋଇଥିବା ମେସିନ୍‌ ମରାମତି କରାଯାଇଥିଲା। କିନ୍ତୁ ଗତକାଲି ତାହା ପୁଣିଥରେ ଖରାପ ହୋଇଯାଇଥିଲା। ମେସିନ୍‌ ମରାମତି କରିବା ପାଇଁ ସମ୍ପୃକ୍ତ ଘରୋଇ ସଂସ୍ଥା ଉଦ୍ୟମ ଜାରି ରଖିଛି। ତୁରନ୍ତ ମେସିନ୍‌ କାର୍ଯ୍ୟକ୍ଷମ ହେବ ବୋଲି ସମ୍ପୃକ୍ତ ସଂସ୍ଥା ତରଫରୁ କୁହାଯାଇଥିବା ସେ କହିଛନ୍ତି।

Leave a Reply

Your email address will not be published. Required fields are marked *